ବାଣିଜ୍ୟ

Gold: ୨୦୨୫-୨୬ରେ ୭୨ ବିଲିଅନ ଡଲାରର ସୁନା ଆମଦାନି

ନୂଆଦିଲ୍ଲୀ: ବର୍ଷେ ପାଇଁ ସୁନା ନ କିଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ ଦେବା ପରେ ଏହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିପ୍ରେକ୍ଷୀରେ ବିଦେଶୀ ମୁଦ୍ରା ସଞ୍ଚୟ ପାଇଁ ପ୍ରଧାନମନ୍ତ୍ରୀ ଏଭଳି ଆହ୍ବାନ ଦେଇଛନ୍ତି। ଭାରତୀୟଙ୍କ ଉପରେ ଏହା କେତେ ମାତ୍ରାରେ ପ୍ରଭାବ ପକାଇବ ତାହା ଆଗାମୀ ଦିନରେ ଜଣାପଡ଼ିବ।

କିନ୍ତୁ ତଥ୍ୟ ଉପରେ ନଜର ପକାଇଲେ ଜଣାଯାଏ ଯେ ୨୦୨୫-୨୬ ଆର୍ଥିକବର୍ଷରେ ଭାରତ ରେକର୍ଡ ୭୧.୯୮ ବିଲିଅନ ଡଲାର ମୂଲ୍ୟର ସୁନା ଆମଦାନି କରିଛି। ୨୦୨୪-୨୫ରେ ହୋଇଥିବା ୫୮ ବିଲିଅନ ଡଲାରର ଆମଦାନି ତୁଳନାରେ ଏହା ପ୍ରାୟ ୨୪ ପ୍ରତିଶତ ଅଧିକ। କିନ୍ତୁ ପରିମାଣ ଦୃଷ୍ଟିରୁ ଗତ ଆର୍ଥିକବର୍ଷରେ ଦେଶର ସୁନା ଆମଦାନି ୪.୭୬ ପ୍ରତିଶତ ହ୍ରାସ ପାଇଛି। କାରଣ ୨୦୨୪-୨୫ରେ ଭାରତ ୭୫୭.୦୯ ଟନ୍‌ ସୁନା ଆମଦାନି କରିଥିଲା। ତାହା ପୂର୍ବ ଆର୍ଥିକବର୍ଷ ଅର୍ଥାତ ୨୦୨୩-୨୪ରେ ସୁନା ଆମଦାନି ୭୯୫.୨ ଟନ ସ୍ତରରେ ରହିଥିଲା। ୨୦୨୨-୨୩ରେ ଭାରତ ୬୭୮.୩ ଟନ ସୁନା ବିଦେଶରୁ କିଣିଥିଲା।

ଚୀନ ପରେ ଭାରତ ହେଉଛି ବିଶ୍ବର ଦ୍ବିତୀୟ ବୃହତ୍‌ ସୁନା ବ୍ୟବହାରକାରୀ ଦେଶ। ୨୦୨୫-୨୬ରେ ଭାରତ କିଗ୍ରା ପିଛା ହାରାହାରି ୯୯,୮୨୫.୩୮ ଡଲାରରେ ସୁନା ଆମଦାନି କରିଛି। କିନ୍ତୁ ୨୦୨୪-୨୫ରେ କିଗ୍ରା ପିଛା ୭୬,୬୧୭.୪୮ ଡଲାରରେ ସୁନା ଆମଦାନି କରିଥିଲା। ତେଣୁ ଗତ ଆର୍ଥିକବର୍ଷରେ ଦେଶର ସୁନା ଆମଦାନି ବିଲ୍‌ ବଢ଼ିଯାଇଛି।

ଅଧିକ ସୁନା ଆମଦାନି କରାଗଲେ ଦେଶର ବାଣିଜ୍ୟ ନିଅଣ୍ଟ ବୃଦ୍ଧି ପାଇବା ସହିତ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ଚାପ ସୃଷ୍ଟି ହୋଇଥାଏ। ୨୦୨୫-୨୬ରେ ଭାରତର ବାଣିଜ୍ୟ ନିଅଣ୍ଟ ୩୩୩.୨ ବିଲିଅନ ଡଲାରରେ ପହଞ୍ଚିଛି। ଭାରତ ଗତ ଆର୍ଥିକବର୍ଷରେ ମୋଟ ୭୭୫ ବିଲିଅନ ଡଲାର ମୂଲ୍ୟର ସାମଗ୍ରୀ ଆମଦାନି କରିଛି। ମୋଟ ଆମଦାନି ବିଲ୍‌ରେ ସୁନାର ଭାଗ ୯ ପ୍ରତିଶତରୁ ଅଧିକ ରହିଛି। ଭାରତ ସବୁଠୁ ଅଧିକ ରାଶି ପେଟ୍ରୋଲିୟମ ସାମଗ୍ରୀ ଆମଦାନି ବାବଦରେ ଖର୍ଚ୍ଚ କରିଥାଏ।

କେଉଁ ବର୍ଷ କେତେ

ବର୍ଷ ମୂଲ୍ୟ(ବିଲିଅନ ଡଲାରରେ) ପରିମାଣ(ଟନ୍‌ରେ)

  • ୨୦୨୫-୨୬ ୭୧.୯୮ ୭୨୧.୦୩
  • ୨୦୨୪-୨୫ ୫୮ ୭୫୭.୦୯
  • ୨୦୨୩-୨୪ ୪୫.୫୪ ୭୯୫.୨
  • ୨୦୨୨-୨୩ ୩୫ ୬୭୮.୩
  • ୨୦୨୧-୨୨ ୪୬.୧୬ –
  • ୨୦୨୦-୨୧ ୩୪.୬୨ –
  • ୨୦୧୯-୨୦ ୨୮.୨ –

କେଉଁଠୁ ଆସୁଛି

ଭାରତର ସୁନା ଆମଦାନିର ଏକ ପ୍ରମୁଖ ସ୍ଥାନ ହେଉଛି ସ୍ବିଜରଲାଣ୍ଡ। ଆମ ଦେଶର ମୋଟ ସୁନା ଆମଦାନିରେ ସ୍ବିଜରଲାଣ୍ଡର ଯୋଗଦାନ ପ୍ରାୟ ୪୦ ପ୍ରତିଶତ। ଏହା ପଛକୁ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ)ରୁ ପ୍ରାୟ ୧୬ ପ୍ରତିଶତ, ଦକ୍ଷିଣ ଆଫ୍ରିକାରୁ ପ୍ରାୟ ୧୦ ପ୍ରତିଶତ ସୁନା ଭାରତ ଆଣିଥାଏ। ସ୍ବିଜରଲାଣ୍ଡରୁ ଭାରତର ମୋଟ ସାମଗ୍ରୀ ଆମଦାନି (ସୁନା ସମେତ) ୨୦୨୫-୨୬ ଆର୍ଥିକବର୍ଷରେ ୧୧.୩୬ ପ୍ରତିଶତ ବୃଦ୍ଧି ପାଇ ୨୪.୨୭ ବିଲିଅନ ଡଲାରରେ ପହଞ୍ଚିଛି।

୬ ପ୍ରତିଶତ ଆମଦାନି ଶୁଳ୍କ
ବର୍ତ୍ତମାନ ସୁନା ଆମଦାନି ଉପରେ ୬ ପ୍ରତିଶତ ଆମଦାନି ଶୁଳ୍କ ଦେବାକୁ ପଡ଼ୁଛି। ୨୦୨୨ ମସିହାରେ ସୁନା ଆମଦାନି ଶୁଳ୍କକୁ ୧୦.୭୫ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ଚଳନ୍ତି ଖାତା ନିଅଣ୍ଟକୁ କମାଇବା ଏବଂ ବର୍ଦ୍ଧିତ ସୁନା ଆମଦାନିକୁ ରୋକିବା ଲାଗି ଏହା ହୋଇଥିଲା। କିନ୍ତୁ ୨୦୨୪-୨୫ ବଜେଟ୍‌ରେ ଉକ୍ତ ଶୁଳ୍କକୁ ୬ ପ୍ରତିଶତକୁ କମାଇ ଦିଆଯାଇଥିଲା। ଦେଶରେ ଗହଣା ଶିଳ୍ପକୁ ପ୍ରୋତ୍ସାହିତ କରିବା ସହ ବେଆଇନ ଚୋରାଚାଲାଣକୁ ରୋକିବା ଏବଂ ଘରୋଇ ବଜାରରେ ସୁନା ମୂଲ୍ୟକୁ କମାଇବା ଉଦ୍ଦେଶ୍ୟରେ ‌ଏହା ହୋଇଥିଲା।

ଭାରତ-ୟୁଏଇ ବାଣିଜ୍ୟ ଚୁକ୍ତିର ପ୍ରଭାବ

ବହିର୍ବାଣିଜ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଗତ କିଛିବର୍ଷ ମଧ୍ୟରେ ଭାରତର ସୁନା ଆମଦାନି ବୃଦ୍ଧି ପଛର ଏକ ବଡ଼ କାରଣ ହେଉଛି ଭାରତ-ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍‌ଟିଏ)। ୨୦୨୨ ମେ ମାସରେ ଏହି ରାଜିନାମାକୁ କାର୍ଯ୍ୟକାରୀ କରାଯାଇଛି। ରାଜିନାମା ଅନୁଯାୟୀ, ଭାରତ ୧ ପ୍ରତିଶତ କମ୍‌ ଶୁଳ୍କରେ ଏଠାରୁ ସୁନା ଆମଦାନି କରିପାରୁଛି। ଏହା କୋଟା ବା ପରିମାଣ ଅନୁସାରେ କରାଯାଉଛି। ୨୦୨୨ରେ ବାର୍ଷିକ ୧୨୦ ଟନ୍‌ରୁ ଏହି କୋଟା ଆରମ୍ଭ ହୋଇଥିବାବେଳେ ୨୦୨୭ରୁ ଏହା ବାର୍ଷିକ ୨୦୦ ଟନକୁ ବୃଦ୍ଧି ପାଇବ। ଅର୍ଥାତ ଦେଶର ମୋଟ ସୁନା ଆମଦାନିର ପ୍ରାୟ ୨୫ ପ୍ରତିଶତ ଏହି ମାର୍ଗରେ ହେବ। ରାଜିନାମା ଯୋଗୁ ଭାରତକୁ ଏଠାରୁ ୫ ପ୍ରତିଶତ ଆମଦାନି ଶୁଳ୍କରେ ସୁନା ଆମଦାନି କରାଯାଇ ପାରୁଛି। ୨୦୨୨ରେ ଭାରତ ୟୁଏଇରୁ ୨.୯ ବିଲିଅନ ଡଲାରର ଗୋଲ୍‌ଡ ବାର୍‌ ଆମଦାନି କରିଥିଲା। କିନ୍ତୁ ୨୦୨୫ରେ ଏହା ୧୬.୫ ବିଲିଅନ ଡଲାରକୁ ବୃଦ୍ଧି ପାଇଛି। ଏଫ୍‌ଟିଏ ପୂର୍ବରୁ ଭାରତର ସୁନା ଆମଦାନିରେ ଦୁବାଇର ଅଂଶ ୭.୯ ପ୍ରତିଶତ ରହିଥିବାବେଳେ ୨୦୨୫ରେ ଏହା ୨୮ ପ୍ରତିଶତରେ ପହଞ୍ଚିଛି। କମ୍‌ ଶୁଳ୍କର ଫାଇଦା ନେଇ ବିଶ୍ବର ଅନ୍ୟାନ୍ୟ ଦେଶରୁ ଏହି ମାର୍ଗ ଦେଇ ଭାରତକୁ ସୁନା ଆମଦାନି କରାଯିବା ଚିନ୍ତାର କାରଣ ପାଲଟିଛି।

 

 

ସୌଜନ୍ୟ ସମ୍ବାଦ

Show More
Back to top button