କାକଟପୁର: କାକଟପୁର ଥାନା ଅନ୍ତର୍ଗତ କାକଟପୁର – କୋଣାର୍କ ମୁଖ୍ୟ ରାସ୍ତାର ଶଙ୍କରେଶ୍ୱର ଠାରେ ଥିବା ମଲ୍ଲିକ କନଭେନସନ ଏଣ୍ଡ ଲଜର ମାଲିକ ତଥା ଭିଣୋଇ ଅଲେଖ କୁମାର ମଲ୍ଲିକଙ୍କ ଘରେ ଦୀର୍ଘ ୧୫ ବର୍ଷ ଧରି ରହି ଆସୁଥିବା ଶାଳୀ ମିଲି ପ୍ରିୟା ବେହେରାଙ୍କୁ ଗତକାଲି ବିଳମ୍ବିତ ରାତ୍ରରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି l ଏହି ହତ୍ୟା ଘଟଣାକୁ ନେଇ ନାନା କଥା ଶୁଣିବାକୁ ମିଳୁଥିବା ବେଳେ ମୃତା ମିଲିଙ୍କ ମାଆ ଲତା ବେହେରା ଏହି ଜଘନ୍ୟ ହତ୍ୟାକାଣ୍ଡରେ ବଡ଼ ଝିଅର ଭଣଜା ସ୍ମୃତିରଞ୍ଜନ ସ୍ୱାଇଁ ଓରଫ ରାହୁଲ ସମ୍ପୃକ୍ତ ବୋଲି କାକଟପୁର ଥାନାରେ ଅଭିଯୋଗ କରିଛନ୍ତି l ଅଭିଯୁକ୍ତ ଭଣଜା ସ୍ମୃତି ରଞ୍ଜନ ଗତ କିଛି ବର୍ଷ ହେବ ମାମୁ ଅଲେଖ ମଲ୍ଲିକଙ୍କ ଘରେ ରହି ତାଙ୍କ କନଭେନସନ ଏଣ୍ଡ ଲଜର ଦେଖାଶୁଣା କରି ଆସୁଥିଲା l
ଜଘନ୍ୟ ହତ୍ୟା କାଣ୍ଡ
ଗତ କିଛିଦିନ ତଳେ ଭଣଜାର ହାବଭାବ ଠିକ ନଥିବା ଦେଖି ମାମୁ ଅଲେଖ ଭଣଜା ସ୍ମୃତିରଞ୍ଜନକୁ ଘରୁ ବାହାର କରି ଦେଇଥିଲେ l ଏଥିରେ ଉତକ୍ଷିପ୍ତ ହୋଇ ଭଣଜା ସ୍ମୃତିରଞ୍ଜନ ନିଶାସକ୍ତ ଅବସ୍ଥାରେ ଗତକାଲି ବିଳମ୍ବିତ ରାତ୍ରରେ ମାମୁଁ ଘର ଛାତ ଉପର ଦେଇ ଘରେ ପଶି ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଏଭଳି କାଣ୍ଡ କରିଥିବା କୁହାଯାଉଛି l ତେବେ ଏହି ଜଘନ୍ୟ ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ କାକଟପୁର ଥାନା ଭାରପ୍ରାପ୍ତ ନିରୀକ୍ଷକ ବସନ୍ତ କୁମାର ସାହୁ, ନିମାପଡା ଏସଡିପିଓ ଜନାର୍ଦନ ପାଢ଼ୀ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି l ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସ୍ମୃତିରଞ୍ଜନକୁ ପୁଲିସ ନିଶାସକ୍ତ ଅବସ୍ଥାରେ କାବୁ କରିବାରେ ସକ୍ଷମ ହୋଇଛି l ପୁରୀରୁ ଫରେନସିକ ଟିମ ଆସି ହତ୍ୟାକାଣ୍ଡ ସୁରାକ ଖୋଜି ବାହାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତିl
ସୌଜନ୍ୟ ସମ୍ବାଦ

