ଧରମଶାଳା: ରବିବାର ଧର୍ମଶାଳାରେ ପଞ୍ଜାବ କିଙ୍ଗସ୍ ପୁଣି ଥରେ ପରାଜୟ ବରଣ କରିବା ପରେ ଏହାର ସହ-ମାଲିକାଣୀ ଭୀଷଣ ଅସନ୍ତୁଷ୍ଟ ଥିବା ଦେଖାଯାଇଥିଲା। ପଡ଼ିଆ ମଧ୍ୟରେ ହିଁ ସେ ଅଧିନାୟକ ଶ୍ରେୟସ୍ ଆୟରଙ୍କ ସହ ଉଚ୍ଚସ୍ବରରେ କିଛି କହୁଥିବା ଦେଖାଯାଇଥିଲା। କିନ୍ତୁ ସେ କ’ଣ କହିଥିଲେ ତାହା ଜଣାପଡ଼ିନାହିଁ। ଗୋଟିଏ ପଟେ ଏହି ଘଟଣା ଚାଲିଥିବାବେଳେ ଅନ୍ୟପଟେ ଦଳର ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂ ଅତ୍ୟନ୍ତ ଉଦାସ ମନରେ ବସିଥିବା ଦେଖାଯାଇଥିଲା। ସେ ଦଳର ପ୍ଲେଅଫ୍ ସମ୍ଭାବନାକୁ ନେଇ ହତାଶ ହୋଇପଡ଼ିଥିବା ଲାଗୁଥିଲା। ତେବେ ଏହି ଘଟଣାଟିର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଲୋକମାନେ ଏହି ଘଟଣାକୁ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମାଲିକ ସଂଜୀବ ଗୋଏଙ୍କା ପଡ଼ିଆ ଭିତରେ ଋଷଭ ପନ୍ତଙ୍କ ସହ କରିଥିବା ଉଚ୍ଚବାଚ ପ୍ରକରଣକୁ ମନେ ପକାଇଛନ୍ତି।
ଦଳ ୧୩ ପଏଣ୍ଟରେ ସ୍ଥିର ରହିଯାଇଛି
ଚଳିତ ଆଇପିଏଲ୍ର ପ୍ରଥମ ପର୍ଯ୍ୟାୟରେ ପଞ୍ଜାବ କିଙ୍ଗ୍ସ ଲଗାତାର ସାତଟି ବିଜୟ ସହ ଅପରାଜେୟ ମନେ ହୋଉଥିଲା। କିନ୍ତୁ ଗତ ଛ’ଟି ମ୍ୟାଚ୍ରେ ଦଳ ଲଗାତାର ପରାଜୟ ବରଣ କରିଛି। ଏହା ଫଳରେ ଦଳର ପ୍ଲେଅଫ୍ ଆଶା ସୂଚାଖିଅରେ ଝୁଲୁଛି। ଗତ ପ୍ରାୟ ଏକ ମାସ ହେଲା ଦଳ ୧୩ ପଏଣ୍ଟରେ ସ୍ଥିର ରହିଯାଇଛି। ଏବେ କିଛି ଚମତ୍କାର ହିଁ ଏହି ଦଳକୁ ପ୍ଲେଅଫ୍କୁ ନେଇପାରିବ।
ସୌଜନ୍ୟ ସମ୍ବାଦ

