Murder Accused: ଘର ତଳେ ଗୁପ୍ତ ଭୂତଳ କୋଠରୀ କରି ୩୨ ବର୍ଷ ଲୁଚି ରହିଥିଲେ ହତ୍ୟା ଅଭିଯୁକ୍ତ

ଯାଜପୁର: ଓଡ଼ିଶାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୧୯୯୪ ମସିହାର ଏକ ହତ୍ୟା ମାମଲାରେ ଫେରାର ଥିବା ଅଭିଯୁକ୍ତ ରବୀନ୍ଦ୍ର ମଲ୍ଲିକଙ୍କୁ ୩୨ ବର୍ଷ ପରେ ପୁଲିସ ଗିରଫ କରିଛି। ସେ ନିଜ ଘର ତଳେ ଗୋଟିଏ ଗୁପ୍ତ ଭୂତଳ କୋଠରୀ ତିଆରି କରି ସେଠାରେ ଲୁଚି ରହୁଥିଲେ। ପୁଲିସ ସୂଚନା ଅନୁସାରେ, ରବୀନ୍ଦ୍ର ମଲ୍ଲିକ ଯାଜପୁର ଜିଲ୍ଲାର ନୁଆହାଟ ଗାଁର ବାସିନ୍ଦା। ୨୧ ଅକ୍ଟୋବର ୧୯୯୪ ରେ ସେ ନିଜ ସର୍ମ୍ପକୀୟ ଭାଇ ପରମାନନ୍ଦ ମଲ୍ଲିକଙ୍କୁ କୁରାଢ଼ିରେ ହତ୍ୟା କରିଥିବା ଅଭିଯୋଗ ରହିଛି। ଘଟଣା ପରେ ସେ ଫେରାର ହୋଇଯାଇଥିଲେ ଏବଂ ଅଦାଲତ ତାଙ୍କୁ ଫେରାର ଅଭିଯୁକ୍ତ ଭାବେ ଘୋଷଣା କରିଥିଲା। ଫେରାର ଥିବା ସମୟରେ ରବୀନ୍ଦ୍ର ନିଜର ପରିଚୟ ବଦଳାଇ ଦେଇଥିଲେ। ସେ ଅଲଗା ନାମରେ ଆଧାର କାର୍ଡ ଓ ଭୋଟର ପରିଚୟପତ୍ର ତିଆରି କରିଥିଲେ। ପ୍ରବାସୀ ଶ୍ରମିକ ଭାବେ ହାଇଦ୍ରାବାଦ, କେରଳ ଓ ଅନ୍ୟାନ୍ୟ ରାଜ୍ୟରେ ରାଜମିସ୍ତ୍ରୀ କାମ କରୁଥିଲେ। ଏହା ସତ୍ତ୍ୱେ ସେ ଗୁପ୍ତ ଭାବେ ପରିବାର ସହ ସମ୍ପର୍କ ରଖୁଥିଲେ।

ପୁଲିସ ହାତରେ ଧରାପଡ଼ିଲେ ଅଭିଯୁକ୍ତ

ପୁଲିସକୁ ଗୁପ୍ତ ସୂଚନା ମିଳିଥିଲା ଯେ ରବୀନ୍ଦ୍ର ଗୋଟିଏ ପାରିବାରିକ କାର୍ଯ୍ୟକ୍ରମ ପାଇଁ ଘରକୁ ଫେରିଛନ୍ତି। ଶୁକ୍ରବାର ରାତିରେ କୁଆଖିଆ ଥାନା ପୁଲିସ ତାଙ୍କ ଘରେ ଚଢ଼ାଉ କରିଥିଲା। ସେତେବେଳେ ଘର ତଳେ ଥିବା ଗୋଟିଏ ଗୁପ୍ତ କୋଠରୀରୁ ରବୀନ୍ଦ୍ରଙ୍କୁ ଧରାଯାଇଥିଲା। ପୁଲିସ କହିଛି ଯେ, ଗିରଫଦାରିରୁ ବଞ୍ଚିବା ପାଇଁ ସେ ୧୯୯୪ ମସିହାରେ ହିଁ ଏହି ଗୁପ୍ତ କୋଠରୀ ତିଆରି କରିଥିଲେ। ବର୍ଷ ବର୍ଷ ସେଠାରେ ଲୁଚି ରହି ପୁଲିସକୁ ଚକମା ଦେଇ ଆସୁଥିଲେ। ରବୀନ୍ଦ୍ର ୧୯୯୮ ମସିହାରେ ବିବାହ ମଧ୍ୟ କରିଥିଲେ। ନିଜ ଠିକଣା ଓ ପରିଚୟ ବଦଳାଇ ସେ ଦୀର୍ଘ ୩୨ ବର୍ଷ ଧରି ପୁଲିସ ଆଖିରେ ଧୁଳି ଦେଇଥିଲେ। ଶେଷରେ ଗୁପ୍ତ କୋଠରୀର ଦ୍ୱାର ଖୋଲିବା ସହିତ ତାଙ୍କ ଫେରାର ହୋଇଥିବା ଖବରର ପର୍ଦାଫାଶ ହୋଇଛି।

 

 

 

ସୌଜନ୍ୟ ସମ୍ବାଦ