ବ୍ରହ୍ମପୁର: ସପ୍ତାହକରେ ଦୁଇଟି ଏନ୍କାଉଣ୍ଟର୍। ଅପରାଧୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ନେଇ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଓ ଦକ୍ଷିଣାଞ୍ଚଳ ଆଇଜିଙ୍କ କଡ଼ା ଚେତାବନୀ। ଅପରାଧୀ ନ ସୁଧୁରିଲେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ତାଗିଦ୍ କଲେ ପୁଲିସ ଅଧିକାରୀ। ତଥାପି ଆଜି ବ୍ରହ୍ମପୁର ସହରରେ ଅପରାଧୀ ଖୁଲମଖୁଲା ଆତଙ୍କ ସୃଷ୍ଟି କରିଛନ୍ତି। ଏନକାଉଣ୍ଟର୍ ଭୟ ବି କାଟୁ କରୁନି। ଯାହାର ଜ୍ବଳନ୍ତ ଦୃଷ୍ଟାନ୍ତ ଆଜି ରାତିରେ ପୁଣି ଦେଖିବାକୁ ମିଳିଛି। ବଡ଼ବଜାର ଥାନା ଅଞ୍ଚଳର ଅମ୍ବିକାନଗରରେ ଆଜି ରାତିରେ ଜଣେ ଯୁବକଙ୍କୁ ସର୍ବସାଧାରଣଙ୍କ ଉପସ୍ଥିତିରେ ରାସ୍ତା ଉପରେ ଅତି ଅମାନୁଷିକ ଭାବେ ଚୋଟ ପରେ ଚୋଟ ପକାଇ ହତ୍ୟା ଉଦ୍ୟମ କରାଯାଇଛି। ରାସ୍ତାକଡ଼ରେ ଜଣେ ଯୁବକ ହାଣୁଥିବା ବେଳେ ଅନ୍ୟ ଜଣେ ଗୋଇଠା ମାରି ଚାଲିଥିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଆକ୍ରମଣରେ ଗୁରୁତର ହୋଇଥିବା ଯୁବକଜଣକ ମଙ୍ଗଳା ବେହେରା, ତାଙ୍କ ଘର ହରିଡ଼ାଖଣ୍ଡି ଜାଇମିଲ୍ ଅଞ୍ଚଳରେ ବୋଲି ଜଣାପଡ଼ିଛି।
ଭାଇରାଲ୍ ହେଲା ଭିଡିଓ
ଜାମିନରେ ଜେଲ୍ରୁ ଆସିଥିଲେ ଗୁରୁତର ଯୁବକ
ଦୁଇଟି ଏନ୍କାଉଣ୍ଟର୍ ପରେ ବି ସୁଧୁରିଲେନି
ଆଜି ରାତି ପ୍ରାୟ ୯ଟାରେ ମଙ୍ଗଳା ଫାଷ୍ଟଫୁଡ୍ ଖାଇବାକୁ ଅମ୍ବିକାନଗର ଛକକୁ ଯାଇଥିଲେ। ଏହି ସମୟରେ ୨ରୁ ୩ ଜଣ ଯୁବକ ବାଇକ୍ରେ ଆସି ତାଙ୍କୁ ଗାଳିଗୁଲଜ କରିବା ସହ କାତିରେ ଆକ୍ରମଣ କରିଥିଲେ। ରାସ୍ତା ଉପରେ ପକାଇ ୧୦ରୁ ଅଧିକ ଚୋଟ ପକାଇଥିଲେ। ଲହୁଲୁହାଣ ଅବସ୍ଥାରେ ମଙ୍ଗଳା ଛାଡ଼ିଦେବାକୁ କାକୁତିମିନତି ହୋଇଥିଲେ ହେଁ ରକ୍ତମୁଖା ଆକ୍ରମଣକାରୀମାନେ ତାଙ୍କୁ ଛାଡ଼ି ନଥିଲେ। ଅଚେତ ହୋଇଯିବା ପରେ ସେମାନେ ଚମ୍ପଟ ମାରିଥିଲେ। ମଙ୍ଗଳାଙ୍କୁ ବର୍ତ୍ତମାନ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ଅଭିଯୁକ୍ତମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୁଲିସ ଧରପଗଡ଼ ଆରମ୍ଭ କରିଛି। ଏସ୍ପି ଡା.ଶରବଣା ବିବେକ ଏମ୍. ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତାରୁ ତାଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଯୋଜନାବଦ୍ଧ ଭାବେ ମଙ୍ଗଳାଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖି ସେମାନେ ଏହି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ମଙ୍ଗଳା ଏକ ବୋମାମାଡ଼ ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିବା ବେଳେ ୪ ଦିନ ତଳେ ଜାମିନରେ ମୁକୁଳିଥିଲେ।
ତେବେ ପୁଲିସର କଡ଼ା ଚେତାବନୀ ସତ୍ତ୍ବେ ଅପରାଧୀଙ୍କ ଏଭଳି କାର୍ନାମା ସହରରେ ଭୟର ବାତାବରଣ ସୃଷ୍ଟି କରିଛି। ଗତ ସପ୍ତାହରେ ଖୋଡ଼ାସିଂ ଓଭରବ୍ରିଜ୍ ଉପରୁ ଶ୍ୟାମ ବେହେରା ନାମକ ଜଣେ ଯୁବକଙ୍କୁ ଠେଲି ହତ୍ୟା ଉଦ୍ୟମ କରାଯାଇଥିଲା। ଏହି ମାମଲାରେ ଅଭିଯୁକ୍ତ ଦିପୁନା ନାୟକକୁ ଗତ ଶନିବାର ଦିନ ପୁଲିସ ଏନ୍କାଉଣ୍ଟର କରିଥିଲା। ସେହିପରି ଗତ ୧୮ ତାରିଖରେ ଗିରିରୋଡ୍ରେ ଉମେଶ ରଥଙ୍କୁ ନିର୍ଘାତ ମାଡ଼ ମାରିବା ଭଳି ସମ୍ବେଦନଶୀଳ ଘଟଣା ସାରା ରାଜ୍ୟରେ ଆଳୋଡ଼ନ ସୃଷ୍ଟି କରିଥିଲା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ମୁକ୍ତେଶ ସାହୁକୁ ପୁଲିସ ଏନ୍କାଉଣ୍ଟର କରିଥିବା ବେଳେ ଚାରିଜଣ ଗିରଫ ହୋଇଥିଲେ।
ସୌଜନ୍ୟ ସମ୍ବାଦ

