Return to their original religion: ସ୍ବଧର୍ମକୁ ଫେରିବାକୁ ଆଦିବାସୀଙ୍କ ଅଜବ ପରମ୍ପରା: ସୁଡ଼ଙ୍ଗରେ ପଶିଲେ କାନ୍ଦିକାନ୍ଦି ବାହାରିଲେ

ଦେବକୁଣ୍ଡ/ଉଦଳା-୧: ସ୍ବଧର୍ମକୁ ଫେରିଛନ୍ତି ପରିବାର। ତେବେ ଏଥିପାଇଁ ସମସ୍ତ ସଦସ୍ୟଙ୍କୁ ପାଳନ କରିବାକୁ ପଡ଼ିଛି ଅଦ୍ଭୁତ ଆଦିବାସୀ ପରମ୍ପରା। ଜଣେ ପରେ ଜଣେ ବିଲହିଡ଼ରେ କରାଯାଇଥିବା ସୁଡ଼ଙ୍ଗରେ ପଶିବା ପରେ କାନ୍ଦି କାନ୍ଦି ବାହାରିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜଜିଲ୍ଲା ଖୁଣ୍ଟା ବ୍ଲକ୍‌ ଅଞ୍ଚଳରେ। ଖୁଣ୍ଟା ବ୍ଲକ୍‌ ଡୁଙ୍ଗୁରୁଡ଼ିହି ଗ୍ରାମରେ ରହନ୍ତି ଲେମ୍ବୁ ହାଁସଦାଙ୍କ ପରିବାର। ବିଭିନ୍ନ ସମୟରେ ପରିବାରର ସଦସ୍ୟମାନେ ରୋଗାକ୍ରାନ୍ତ ହେଉଥିଲେ। ଏହାର ସୁଯୋଗ ନେଇ କିଛି ଲୋକ ସୁସ୍ଥ ରହିବା ପାଇଁ ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ପ୍ରବର୍ତ୍ତାଇଥିଲେ। ମାନସିକ ଚିନ୍ତାରେ ଥିବା ଲେମ୍ବୁ ସାର୍ନା ଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରିଥିଲେ। ତଥାପି ତାଙ୍କ ସମସ୍ୟା ଦୂର ହୋଇ ନଥିଲା। ଫଳରେ ସେ ଚକ୍ରାନ୍ତର ଶିକାର ହୋଇଥିବା‌ ବୁଝିପାରି ସ୍ବଧର୍ମକୁ ଫେରିବା ପାଇଁ ମନସ୍ଥ କରିଥିଲେ। ଏ ନେଇ ଗାଁରେ ବୈଠକ ବସିଥିଲା। ନିଜ ଧର୍ମକୁ ଫେରିବା ପାଇଁ ଆଦିବାସୀ ପରମ୍ପରା ଅନୁସରଣ କରିବାକୁ ପଡ଼ିବ ବୋଲି ସ୍ଥିର ହୋଇଥିଲା।

 

ପୁନର୍ଜନ୍ମ ଲଭିଲେ ପରିବାର ୫ ସଦସ୍ୟ!

ଏହିକ୍ରମରେ ଗତ ଗୁରୁବାର ଗାଁ ପାଖ ଏକ ବିଲହିଡ଼କୁ କାଟି ସୁଡ଼ଙ୍ଗ କରାଯାଇଥିଲା। ଯେଉଁ ସୁଡ଼ଙ୍ଗ ମଧ୍ୟରେ ଲେମ୍ବୁ ଓ ତାଙ୍କ ପରିବାରର ମୋଟ ୫ ଜଣ ସଦସ୍ୟ ପଶିଥିଲେ ଏବଂ କାନ୍ଦି କାନ୍ଦି ବାହାରକୁ ବାହାରିଥିଲେ। କେବଳ ସେତିକି ନୁହେଁ, ପ୍ରତୀକାତ୍ମକ ଭାବେ ସମସ୍ତଙ୍କର ନାହି କଟାଯିବା ସହ ଏକୋଇଶିଆ କାର୍ଯ୍ୟକ୍ରମ ହୋଇଥିଲା। ଲେମ୍ବୁ ଗାଁ ଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ କରିବା ସହ ୩ ହାଣ୍ଡି ହାଣ୍ଡିଆ ମଧ୍ୟ ପ୍ରଦାନ କରିଥିଲେ। ଉଲ୍ଲେଖଥାଉକି ସ୍ବଧର୍ମକୁ ଫେରିବା ପାଇଁ ଡୁଙ୍ଗୁରୁଡିହିରେ ଯେଉଁ ଅଦ୍ଭୁତ ପରମ୍ପରା ଦେଖିବାକୁ ମିଳିଛି, ତାହା ଆଦିବାସୀଙ୍କ ପୁନର୍ଜନ୍ମର ବିଶ୍ବାସକୁ ପ୍ରତିଫଳିତ କରୁଛି। ବିଲହିଡ଼ ସୁଡ଼ଙ୍ଗ ଗର୍ଭାଶୟର ପ୍ରତୀକ ଥିଲା। ନବଜାତକ ଯେମିତି ମାଆ ପେଟରୁ ବାହାରକୁ ଆସିଲେ କାନ୍ଦେ, ଲେମ୍ବୁ ଓ ତାଙ୍କ ପରିବାର ସଦସ୍ୟମାନେ ସୁଡ଼ଙ୍ଗରୁ ବାହାରିବା ବେଳେ ସେମିତି କାନ୍ଦିଥିଲେ।

 

 

 

 

ସୌଜନ୍ୟ ସମ୍ବାଦ