Padma Vibhushan: ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ

ମୁମ୍ବାଇ: ସିନେମା ଜଗତର ମହାନ ଅଭିନେତା ଧର୍ମେନ୍ଦ୍ର ଆଜି ଆମ ଗହଣରେ ନାହାଁନ୍ତି ସତ କିନ୍ତୁ ମନୋରଞ୍ଜନ ଶିଳ୍ପରେ ତାଙ୍କର ଅବଦାନ ସବୁଦିନ ପାଇଁ ଅମର ହୋଇ ରହିଥିବ । ଭାରତୀୟ ସିନେମା ଜରିଆରେ ଦଶନ୍ଧିଦଶନ୍ଧି ଧରି ଦର୍ଶକଙ୍କ ମନୋରଞ୍ଜନ କରାଇ ଆସିଥିବା ଧର୍ମେନ୍ଦ୍ରଙ୍କୁ ଭାରତ ସରକାରଙ୍କ ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ମରଣୋତ୍ତର ‘ପଦ୍ମ ବିଭୂଷଣ’ ପ୍ରଦାନ କରାଯିବ । ସିନେମା ଜଗତରେ ତାଙ୍କର ଅବଦାନ ଏବଂ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ଧର୍ମ ପତ୍ନୀ ହେମା ମାଳିନୀ ଏହାକୁ ଗ୍ରହଣ କରିବେ।

 

ହେମା ମାଳିନୀ ଏହି ଅବସରରେ କହିଛନ୍ତି, “ଏହା ମୋ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ। ଅହାନା ମୋ ସହିତ ରହିବେ। ଇଶା ମଧ୍ୟ ଆମ ସହିତ ଯୋଗ ଦେବାକୁ ଚାହୁଁଥିଲେ କିନ୍ତୁ ଏଥିରେ ଯୋଗ ଦେଇପାରିଲେ ନାହିଁ। ସମଗ୍ର ପରିବାର ବହୁତ ଖୁସି। ସନି ଦେଓଲ, ବବି ଦେଓଲ ଏବଂ ଅନ୍ୟ ସମସ୍ତେ ଏହା ବିଷୟରେ ଜାଣନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଏକ ସ୍ମରଣୀୟ ଅବସର।”

ଧର୍ମେନ୍ଦ୍ରଙ୍କର ୨୦୨୫ ନଭେମ୍ବର ୨୪ରେ ୮୯ ବର୍ଷ ବୟସରେ ପରଲୋକ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ପରିବାରର ସମସ୍ତ ସଦସ୍ୟ ଭାଙ୍ଗି ପଡ଼ିଥିଲେ। ସମସ୍ତେ ଧୀରେ ଧୀରେ ଧୈର୍ଯ୍ୟ ଧରିବାକୁ ଚେଷ୍ଟା କରୁଛନ୍ତି।

ଧର୍ମେନ୍ଦ୍ରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ସେ ଦୁଇଥର ବିବାହ କରିଛନ୍ତି। ତାଙ୍କର ପ୍ରଥମ ବିବାହ ପ୍ରକାଶ କୌରଙ୍କ ସହିତ ହୋଇଥିଲା। ଧର୍ମେନ୍ଦ୍ର ଏବଂ ପ୍ରକାଶ କୌରଙ୍କର ଚାରିଟି ସନ୍ତାନ ଅଛନ୍ତି। ସନି ଦେଓଲ, ବବି ଦେଓଲ, ବିଜେତା ଏବଂ ଅଜେତା। ପରବର୍ତ୍ତୀ ସମୟରେ, ଧର୍ମେନ୍ଦ୍ର ପ୍ରକାଶ କୌରଙ୍କୁ ଛାଡପତ୍ର ନ ଦେଇ ଅଭିନେତ୍ରୀ ହେମା ମାଳିନୀଙ୍କ ସହିତ ଦ୍ୱିତୀୟ ବିବାହ କରିଥିଲେ। ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କ ପ୍ରେମ କାହାଣୀ ଆଜି ପର୍ଯ୍ୟନ୍ତ ଖୁବ ଚର୍ଚ୍ଚାରେ ରହିଛି।

 

 

ସୌଜନ୍ୟ ସମ୍ବାଦ