ମୁମ୍ବାଇ: ଭାରତର ପ୍ରମୁଖ ଶିଳ୍ପପତି ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣିଥରେ ଚର୍ଚ୍ଚାରେ ଆସିଛନ୍ତି। ଏଥର ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ନୁହେଁ, ବରଂ ସରଳ ଜୀବନଯାପନ ଏବଂ ଧାର୍ମିକ ଅନୁରାଗ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। କମ୍ପାନୀର ବାର୍ଷିକ ରିପୋର୍ଟ ଅନୁଯାୟୀ, କୋଭିଡ୍-୧୯ ମହାମାରୀ ପରଠାରୁ ସେ ଲଗାତାର ଛଅ ବର୍ଷ ଧରି ନିଜ କମ୍ପାନୀରୁ କୌଣସି ଦରମା ନେଇନାହାନ୍ତି।
ମୁକେଶ ଅମ୍ବାନୀଙ୍କ ବ୍ୟକ୍ତିଗତ ଶୈଳୀ ଅତ୍ୟନ୍ତ ସରଳ
ଅମ୍ବାନୀ ପରିବାର ପ୍ରାୟତଃ ନିଜର ଆଡମ୍ବରପୂର୍ଣ୍ଣ ଜୀବନଶୈଳୀ ପାଇଁ ଚର୍ଚ୍ଚାକୁ ଆସନ୍ତି । କିନ୍ତୁ ମୁକେଶ ଅମ୍ବାନୀଙ୍କ ବ୍ୟକ୍ତିଗତ ଶୈଳୀରେ ଅତ୍ୟନ୍ତ ସରଳତା ଦେଖିବାକୁ ମିଳେ । ବିଶେଷ କରି ମନ୍ଦିର ଏବଂ ଧାର୍ମିକ କାର୍ଯ୍ୟକ୍ରମରେ ତାଙ୍କର ବ୍ୟବହାର ଜଣେ ବଡ଼ ଶିଳ୍ପପତି ଠାରୁ, ଅଧିକ ଜଣେ ସାଧାରଣ ଲୋକପରି ଦେଖାଯାଏ। ନିକଟରେ ତାଙ୍କ ଜନ୍ମଦିନ ଅବସରରେ ସେ ପରିବାର ସହିତ ସିଦ୍ଧିବିନାୟକ ମନ୍ଦିର ଦର୍ଶନ ପାଇଁ ପହଞ୍ଚିଥିଲେ। ସେହି ସମୟରେ ସେ ଅଫ୍-ହ୍ୱାଇଟ୍ କୁର୍ତ୍ତା-ପାଇଜାମା ସହ ମାରୁନ୍ ନେହେରୁ ଜ୍ୟାକେଟ୍ ପିନ୍ଧିଥିଲେ। ତାଙ୍କ ପାଦରେ ଥିବା କୋଲହାପୁରୀ ଚପଲ ତାଙ୍କର ସରଳ ବ୍ୟକ୍ତିତ୍ୱକୁ ଆହୁରି ସ୍ପଷ୍ଟ କରୁଥିଲା। ସମଗ୍ର ଲୁକ୍ରେ ଭାରତୀୟ ସଂସ୍କୃତିର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଥିଲା।
ସେହିପରି ଶ୍ରୀନାଥଜୀଙ୍କ ଦର୍ଶନ ସମୟରେ ମଧ୍ୟ ମୁକେଶ ଅମ୍ବାନୀଙ୍କ ସରଳ ଶୈଳୀ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ସିଲ୍କ-ଫିନିଶ୍ ବେଜ୍ କୁର୍ତ୍ତା ଓ ଚୁଡ଼ିଦାର ସହ ଗଭୀର ମାରୁନ୍ ନେହେରୁ ଜ୍ୟାକେଟ୍ ପିନ୍ଧିଥିଲେ। କୌଣସି ଭାରୀ ଆଭୂଷଣ କିମ୍ବା ଚକଚକିଆ ଫ୍ୟାସନ୍ ବିନା ତାଙ୍କର ଏହି ଲୁକ୍ ବେଶ୍ ଆକର୍ଷଣୀୟ ଥିଲା ।
ଅନ୍ୟପଟେ, ଝିଅ ଈଶା ଅମ୍ବାନୀଙ୍କ ସହ ସିଦ୍ଧିବିନାୟକ ମନ୍ଦିରକୁ ଯାଇଥିବା ବେଳେ ମଧ୍ୟ ସେ ଧଳା କୁର୍ତ୍ତା-ପାଇଜାମାରେ ନଜର ଆସିଥିଲେ। ବିଶ୍ୱର ଶୀର୍ଷ ଧନୀ ବ୍ୟବସାୟୀମାନଙ୍କ ମଧ୍ୟରେ ଥିବା ସତ୍ତ୍ୱେ ମୁକେଶ ଅମ୍ବାନୀଙ୍କ ଏହି ସରଳ ଜୀବନଶୈଳୀ ଏବଂ ପାରମ୍ପରିକ ଭାରତୀୟ ପୋଷାକ ପ୍ରତି ଆକର୍ଷଣ ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ଦିଏ।

