ବାଣିଜ୍ୟ

Electric vehicle: ୩୨% ଗ୍ରାହକଙ୍କ ପସନ୍ଦ ସିଏନ୍‌ଜି, ଇଭି

ନୂଆଦିଲ୍ଲୀ: ଦେଶରେ ତୈଳ ଦର ବଢ଼ିବା ସହ କାର୍‌ ଗ୍ରାହକଙ୍କ ପସନ୍ଦରେ ମଧ୍ୟ ପରିବର୍ତ୍ତନ ଘଟିଛି। ଗତ ମେ ମାସର ଗାଡ଼ି ବିକ୍ରି ତଥ୍ୟ ଅନୁଶୀଳନରୁ ଏକ ଭିନ୍ନ ଚିତ୍ର ସାମନାକୁ ଆସିଛି। ଏବେ ଅଧିକରୁ ଅଧିକ ଗ୍ରାହକ ସିଏନ୍‌ଜି, ଇଭି ଓ ହାଇବ୍ରିଡ୍‌ ଗାଡ଼ି ପସନ୍ଦ କରୁଛନ୍ତି। ତେଲ ଦର ବଢ଼ିବା ପରେ ଇଭି ଅଧିକ ଚାହିଦାରେ ରହିଥିବା ନେଇ ସାଧାରଣରେ ଯେଉଁ ଧାରଣା ରହିଛି ତାହା ସମ୍ପୂର୍ଣ୍ଣ ସତ ନୁହେଁ। ଗ୍ରାହକମାନେ ସିଏନ୍‌ଜି ଚାଳିତ ଗାଡ଼ିକୁ ଅଧିକ ପସନ୍ଦ କରୁଛନ୍ତି।

ଗତ ମେରେ ବିକ୍ରି ହୋଇଥିବା ଗାଡ଼ି ମଧ୍ୟରୁ ୩୨.୧ ପ୍ରତିଶତ ଗାଡ଼ି ଥିଲା ସିଏନ୍‌ଜି, ଇଭି ଓ ହାଇବ୍ରିଡ୍‌। ଏହି ଗାଡ଼ିଗୁଡ଼ିକର ଅଂଶ ମୋଟ୍‌ ବିକ୍ରିରେ ୨୭.୨ ପ୍ରତିଶତରୁ ବଢ଼ି ୩୨.୧ ପ୍ରତିଶତ ହୋଇଛି। ସେହି ସମୟରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଚାଳିତ ଗାଡ଼ିର ଅଂଶ ୭୨.୯ ପ୍ରତିଶତରୁ ୬୭.୯ ପ୍ରତିଶତକୁ ହ୍ରାସ ପାଇଛି। ଯଦିଓ ଏବେବି ପେଟ୍ରୋଲ ଓ ଡିଜେଲ ଗାଡ଼ି ସର୍ବାଧିକ ସଂଖ୍ୟାରେ ବିକ୍ରି ହେଉଛି, କିନ୍ତୁ ସିଏନ୍‌ଜି ଓ ଇଭିର ଚାହିଦା ଦ୍ରୁତ ଗତିରେ ବଢ଼ୁଛି। ଭାରତରେ ବିକ୍ରି ହେଉଥିବା ପ୍ରତି ତୃତୀୟ ଗାଡ଼ି ସିଏନ୍‌ଜିରେ ଚାଲୁଛି। ଇନ୍ଧନ ଦର ଓ ପରିଚାଳନା ଖର୍ଚ୍ଚ ବିଚାରକୁ ନେଇ ଅଧିକାଂଶ ଗ୍ରାହକ ସିଏନ୍‌ଜିକୁ ପସନ୍ଦ କରୁଛନ୍ତି। ମୋଟ୍‌ ଗାଡ଼ି ବିକ୍ରିରେ ସିଏନ୍‌ଜି ଗାଡ଼ିର ଭାଗ ୨୩.୫ ପ୍ରତିଶତକୁ ବୃଦ୍ଧି ପାଇଛି। ବର୍ଷକ ପୂର୍ବରୁ ଉକ୍ତ ହାର ୧୯.୯ ପ୍ରତିଶତ ରହିଥିଲା। ଇଭିର ଭାଗ ୬.୬ ପ୍ରତିଶତକୁ ବଢ଼ିଛି ଏବଂ ହାଇବ୍ରିଡ୍‌ର ଭାଗ ୨ ପ୍ରତିଶତକୁ ଖସିଆସିଛି।

 

ଗତ ମେ ମାସରେ ଦେଶରେ ୩.୯୬ ଲକ୍ଷ କାର୍‌ ବିକ୍ରି ହୋଇଥିଲା ଯାହା ଏପ୍ରିଲ୍‌ର ୪.୨୨ ଲକ୍ଷ ତୁଳନାରେ ୬.୩ ପ୍ରତିଶତ କମ୍‌। କ୍ରିସିଲ୍‌ର ବରିଷ୍ଠ ନିର୍ଦ୍ଦେଶକ ହେମଲ ଠକରଙ୍କ ମତରେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଓ ଇନ୍ଧନ ଦରବୃଦ୍ଧି ଗ୍ରାହକଙ୍କ ଆଚରଣରେ ପରିବର୍ତ୍ତନ ଆଣିଛି। ପରିଚାଳନା ଖର୍ଚ୍ଚ କମ୍‌ ରହୁଥିବା ଗାଡ଼ି କିଣିବାକୁ ଅଧିକ ଗ୍ରାହକ ପସନ୍ଦ କରୁଛନ୍ତି। ଇଭି ଡିଲରସିପ୍‌ରେ ଗ୍ରାହକମାନଙ୍କ ଅନୁସନ୍ଧାନରେ ୩୦-୪୦ ପ୍ରତିଶତ ବୃଦ୍ଧି ହୋଇଛି।

ଗାଡ଼ି ଡିଲର ସଂଘ ଏଫ୍‌ଏଡିଏର ପୂର୍ବତନ ସଭାପତି ଭିଙ୍କେଶ ଗୁଲାଟିଙ୍କ ମତରେ ଗାଡ଼ିର ଦାମ୍‌ ଗ୍ରାହକଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରୁଛି। କାରଖାନାରୁ ବାହାରୁଥିବା ସିଏନ୍‌ଜି ଗାଡ଼ିଗୁଡ଼ିକର ଦାମ୍‌ ସେହି ଭାରିଆଣ୍ଟ୍‌ର ପେଟ୍ରୋଲ ମଡେଲ୍‌ ତୁଳନାରେ ୯୫ ହଜାର ଟଙ୍କା ପର୍ଯ୍ୟନ୍ତ ଅଧିକ ରହୁଛି। ସେହି ତୁଳନାରେ ହାଇବ୍ରିଡ୍‌ ମଡେଲ୍‌ ଦାମ୍‌ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଧିକ ମହଙ୍ଗା ରହୁଛି। ଅର୍ଥାତ ସିଏନ୍‌ଜି ଗାଡ଼ିକୁ ଗ୍ରାହକମାନେ ହାଇବ୍ରିଡ୍‌ ଗାଡ଼ି ତୁଳନାରେ ୩ ଲକ୍ଷ ଟଙ୍କା କମ୍‌ରେ କିଣିପାରୁଛନ୍ତି। ଗ୍ରାହକଙ୍କ ଆଚରଣରେ ହୋଇଥିବା ପରିବର୍ତ୍ତନର ସର୍ବାଧିକ ଲାଭ ମାରୁତି ସୁଜୁକିକୁ ମିଳିଛି। ଟାଟା ମୋଟର୍ସ ଓ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଏସ୍‌ୟୁଭି ଓ ଇଭିରେ ଭଲ ପ୍ରଦର୍ଶନ କରିଛନ୍ତି। ହାଇବ୍ରିଡ୍‌ ଗାଡ଼ି ବିକ୍ରିରେ ଟୟୋଟା ଆଗରେ ରହିଛି ଏବଂ ଇଭିରେ ଜେଏସ୍‌ଡବ୍ଲ୍ୟୁ ଏମ୍‌ଜି ମୋଟର ମଧ୍ୟ ଦ୍ରୁତ ଗିରେ ଆଗକୁ ବଢ଼ୁଛି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button