ଦେଶ ବିଦେଶ

Foreign Investers: ଭାରତୀୟ ଇକ୍ବିଟି ବଜାରରୁ ମୁହଁ ଫେରାଉଛନ୍ତି ବିଦେଶୀ ନିବେଶକ

ନୂଆଦିଲ୍ଲୀ: ଭାରତୀୟ ଇକ୍ବିଟି ବଜାରରୁ ବିଦେଶୀ ନିବେଶକମାନେ ମୁହଁ ଫେରାଇବା ଜାରି ରଖିଛନ୍ତି। ଜୁନ ପ୍ରଥମ ସପ୍ତାହରେ ସେମାନେ ପ୍ରାୟ ୪୩ ହଜାର କୋଟି ଟଙ୍କା ଭାରତୀୟ ବଜାରରୁ ଉଠାଇ ନେଇଛନ୍ତି। ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ସହ ଦକ୍ଷିଣ ‌କୋରିଆ ଓ ତାଇୱାନ ଭଳି ଦେଶର ଏଆଇ ପ୍ରଯୁକ୍ତି ସହ ଜଡ଼ିତ କମ୍ପାନିରେ ଥିବା ନିବେଶ ସୁଯୋଗ ପାଇଁ ଏଭଳି ହୋଇଥିବା କୁହାଯାଉଛି। ୨୦୨୬ ମସିହାରେ ବିଦେଶୀ ନିବେଶକମାନେ ଭାରତୀୟ ଇକ୍ବିଟି ବଜାରରୁ ୨.୬୭ ଲକ୍ଷ କୋଟି ଟଙ୍କା ଉଠାଇ ନେଲେଣି।

୨୦୨୫ ମସିହାରେ ସେମାନେ ମୋଟ ୧.୬୬ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରି ନେଇଥିବାବେଳେ ୨୦୨୬ ମସିହାର ୬ ମାସରୁ କମ୍‌ ସମୟ ମଧ୍ୟରେ ବିପୁଳ ରାଶି ଉଠାଇ ନେଇଛନ୍ତି। ୨୦୨୬ର ଫେବ୍ରୁଆରିକୁ ଛାଡ଼ି ଦେଲେ ଅନ୍ୟ ସବୁ ମାସରେ ବିଦେଶୀ ନିବେଶକମାନେ ଭାରତୀୟ ବଜାରରେ ନିବେଶ ତୁଳନାରେ ଅଧିକ ରାଶି ପ୍ରତ୍ୟାହାର କରି ନେଇଛନ୍ତି।

ଫେବ୍ରୁଆରି ମାସରେ ସେମାନେ ୨୨,୬୧୫ କୋଟି ଟଙ୍କା ନିବେଶ କରିଥିଲେ ଯାହାକି ୧୭ ମାସ ମଧ୍ୟରେ ସର୍ବାଧିକ ରହିଥିଲା। କିନ୍ତୁ ମାର୍ଚ୍ଚ ମାସରେ ରେକର୍ଡ ୧.୧୭ ଲକ୍ଷ କୋଟି, ଏପ୍ରିଲରେ ୬୦,୮୪୭ କୋଟି ଏବଂ ମେ ମାସରେ ୩୨,୯୬୩ କୋଟି ଟଙ୍କା ଉଠାଇ ନେଇଛନ୍ତି। ଜୁନ ମାସର ପ୍ରଥମ ସପ୍ତାହରେ ୪୨,୯୨୭ କୋଟି ଟଙ୍କା ସେମାନେ ପ୍ରତ୍ୟାହୃତ କରିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button