Iran: ଟ୍ରମ୍ପଙ୍କ ସହ ବୈଠକକୁ ମନା କଲା ଇରାନ, ବାସ୍ତବ ଦୁନିଆରେ ବଞ୍ଚିବା ଉଚିତ୍ କହି କଟାକ୍ଷ କଲେ ଇରାନ ବୈଦେଶିକ ମନ୍ତ୍ରୀ

ତେହେରାନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖେମିନିଙ୍କ ମଧ୍ୟରେ ଆଗାମୀ ଦିନରେ ଏକ ସାକ୍ଷାତକାର ହେବା ନେଇ ୱାଶିଂଟନ ପକ୍ଷରୁ କରାଯାଉଥିବା ଦାବିକୁ ଶେଷରେ ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଆରାଗଚି ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିବା ସହ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ଭିତରେ ଏଭଳି ଆଶା ରଖିବା ସମ୍ପୂର୍ଣ୍ଣ ”ଅବାସ୍ତବ” ଓ କାଳ୍ପନିକ ବୋଲି କହିଛନ୍ତି। ଲେବାନନର ପ୍ରସିଦ୍ଧ ଗଣମାଧ୍ୟମ ”ଅଲ୍ ମାୟାଦିନ” କୁ ଦେଇଥିବା ଏକ ସାକ୍ଷାତକାରରେ ଆରାଗଚି କହିଛନ୍ତି ଯେ ଟ୍ରମ୍ପ ବାସ୍ତବ ଦୁନିଆରେ ଭାବିବା ଓ ବଞ୍ଚିବା ଉଚିତ୍, କାରଣ ଦୁଇ ଦେଶ ମଧ୍ୟରେ କୌଣସି ଉଚ୍ଚସ୍ତରୀୟ ବୈଠକ ପାଇଁ କୌଣସି ନିଷ୍ପତ୍ତି ହୋଇନାହିଁ। ଚଳିତ ସପ୍ତାହ ପ୍ରାରମ୍ଭରେ ଟ୍ରମ୍ପ ଦାବି କରିଥିଲେ ଯେ ସେ ଆଗାମୀ ଦିନରେ ଇରାନର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିବାକୁ ଆଗ୍ରହୀ ଏବଂ ୱାଶିଂଟନ-ତେହେରାନ ମଧ୍ୟରେ ଆଲୋଚନା ସକାରାତ୍ମକ ଦିଗରେ ଆଗେଇଲେ ଏହି ଐତିହାସିକ ବୈଠକ ସମ୍ଭବ ହୋଇପାରେ।
ଟ୍ରମ୍ପ ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ଆଞ୍ଚଳିକ ସୁରକ୍ଷା ଉପରେ ଏକ ବ୍ୟାପକ ଚୁକ୍ତି ପାଇଁ ରାଜି ଥିବା ସଙ୍କେତ ଦେଇଥିଲେ ମଧ୍ୟ ଇରାନ ବୈଦେଶିକ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଆମେରିକାର ପ୍ରତିବନ୍ଧକ ଓ ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ସଂଘର୍ଷ ଯୋଗୁଁ ବର୍ତ୍ତମାନ ପରିପ୍ରେକ୍ଷୀରେ କୌଣସି ବାର୍ତ୍ତାଳାପ ସହଜ ନୁହେଁ। ତେହେରାନ କୌଣସି ସର୍ବସାଧାରଣ ସ୍ପେକୁଲେସନ୍ ବା ଅନୁମାନ ବଦଳରେ କେବଳ ରାଜନୈତିକ ବାସ୍ତବତା ଆଧାରରେ ହିଁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି।
ସୌଜନ୍ୟ ସମ୍ବାଦ




