ପୁନଶ୍ଚ ପୃଥିବୀ

Environment: ‘ପରିବେଶ ଅନୁକୂଳ ବିକାଶକୁ ପ୍ରାଥମିକତା ଦିଆଯାଉ’

ବ୍ୟକ୍ତି, ସମାଜ ଓ ପରିବେଶ ମଧ୍ୟରେ ସନ୍ତୁଳନ ନରହିଲେ ପାଣିପାଗରେ ଅନିୟମିତତା ସହିତ ସମାଜରେ ବିଶୃଙ୍ଖଳା ଏବଂ ଅଶାନ୍ତ ବାତାବରଣ ସୃଷ୍ଟି ହେବ। ଏଭଳି ସ୍ଥିତିରେ କେହି ତିଷ୍ଠି ରହିବା ଅସମ୍ଭବ। ଏକ ସୁସ୍ଥ ସମାଜ ଓ ଉତ୍ତମ ପରିବେଶ ଗଠନ ପାଇଁ ସନ୍ତୁଳନ ରକ୍ଷା କରିବାର...

ବରୀ: ବ୍ୟକ୍ତି, ସମାଜ ଓ ପରିବେଶ ମଧ୍ୟରେ ସନ୍ତୁଳନ ନରହିଲେ ପାଣିପାଗରେ ଅନିୟମିତତା ସହିତ ସମାଜରେ ବିଶୃଙ୍ଖଳା ଏବଂ ଅଶାନ୍ତ ବାତାବରଣ ସୃଷ୍ଟି ହେବ। ଏଭଳି ସ୍ଥିତିରେ କେହି ତିଷ୍ଠି ରହିବା ଅସମ୍ଭବ। ଏକ ସୁସ୍ଥ ସମାଜ ଓ ଉତ୍ତମ ପରିବେଶ ଗଠନ ପାଇଁ ସନ୍ତୁଳନ ରକ୍ଷା କରିବାର ଗୁରୁଦାୟିତ୍ବ ହେଉଛି ଆମମାନଙ୍କର।

ଜନବସତି ବୃଦ୍ଧି ତଥା ଅନାବଶ୍ୟକ ଲାଭଖୋର ମନୋବୃତ୍ତି ନେଇ ଗଛଲତା ନଷ୍ଟ କରିବା, କଳକାରଖାନାର ବହୁଳତା, କୃଷିରେ ଅତ୍ୟଧିକ ରାସାୟନିକ ସାର ବ୍ୟବହାର, ବର୍ଜ୍ୟବସ୍ତୁର କୁପରିଚାଳନା ଆଦି କାରଣରୁ ପରିବେଶ ଉଜୁଡ଼ିବାକୁ ବସିଛି। ତେଣୁ ସମସ୍ତଙ୍କୁ ପରିବେଶ ଅନୁକୂଳ ବିକାଶକୁ ପ୍ରାଥମିକତା ଦେବାକୁ ହେବ। ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ପରିବେଶ ପ୍ରତି ସଚେତନତା ସୃଷ୍ଟି ‌କରାଯାଇ ସେଥିପ୍ରତି ଯତ୍ନବାନ ହେବାକୁ ବୁଝାଇବାକୁ ହେବ ବୋଲି ଆଜି ଯାଜପୁରଜିଲ୍ଲା ବରୀ ନିର୍ବାଚନମଣ୍ଡଳୀ କିମ୍ଭିରିଆପାଳ ପଞ୍ଚାୟତର ଶଙ୍ଖାରିଗଡ଼ାଠାରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତରେ ଯୋଗଦେଇ ଅତିଥିମାନେ ଏଭଳି ମତ ରଖିଛନ୍ତି।

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରୀ ବିଧାୟକ ବିଶ୍ବରଂଜନ ମଲ୍ଲିକ ‘ସମ୍ବାଦ’ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ। ସେ କହିଥିଲେ, ପରିବେଶ ସୁରକ୍ଷା ପାଇଁ ସରକାର, ବିଭିନ୍ନ ସଂଗଠନ, ବ୍ୟକ୍ତିବିଶେଷ ଦୀର୍ଘବର୍ଷ ଧରି ପ୍ରୟାସ ଜାରି ରଖିଛନ୍ତି। ଜନସଚେତନତା ଅଭାବରୁ ଏହାର ସଫଳ ରୂପାୟନ ହୋଇପାରୁନାହିଁ। ପରିବେଶ ସୁରକ୍ଷା ଲାଗି ସାମୂହିକ ଉଦ୍ୟମ ଆବଶ୍ୟକ। ବରୀ ନିର୍ବାଚନମଣ୍ଡଳୀ ଏକ କୃଷିପ୍ରଧାନ ଓ ସବୁଜିମା ଭରା ଅଞ୍ଚଳ। ଏହାସତ୍ତ୍ବେ ଅସନ୍ତୁଳିତ ଜଳବାୟୁ କାରଣରୁ ଖରାଦିନରେ ଅସହ୍ୟ ଗରମ ହେଉଛି। ବର୍ଷାଦିନରେ ବର୍ଷା ସ୍ବପ୍ନ ହୋଇଗଲାଣି।

ଉପରମୁଣ୍ଡରେ କଳକାରଖାନାଗୁଡ଼ିକ ନଦୀଜଳକୁ ପ୍ରଦୂଷିତ କରୁଥିବାରୁ ତଳମୁଣ୍ଡରେ ବରୀ ଓ ଏହାର ଆଖପାଖ ଅଞ୍ଚଳର ଜୀବନଜୀବିକା ପ୍ରଭାବିତ ହେଉଛି। କେବଳ ମଣିଷ ନୁହନ୍ତି, ଗୋରୁଗାଈ ନାନାଦି ରୋଗରେ ଆକ୍ରାନ୍ତ ହେଉଛନ୍ତି। ସ୍ବଚ୍ଛ ପାନୀୟଜଳ ଓ ନିର୍ମଳ ବାୟୁ ମିଳିବା ‌ଏବେ ସ୍ବପ୍ନ ହୋଇଗଲାଣି। ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସବୁଠି ପରିବେଶର ସ୍ଥିତି ବିଗିଡ଼ିଯାଇଛି। ତେଣୁ ପରିବେଶ ଅନୁକୂଳ ବିକାଶ ଲାଗି ସରକାର ଯତ୍ନବାନ ହେବା ଉଚିତ ବୋଲି ସେ କହିଥିଲେ।
ସମ୍ମାନିତ ଅତିଥି ଭାବେ ବରୀ ବ୍ଲକ୍‌ ଉପାଧ୍ୟକ୍ଷା ଅର୍ଚ୍ଚନା ମଲ୍ଲିକ, ସାମାଜିକ କର୍ମୀ କେଦାର ସାମଲ, ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଲୀପ ମହାନ୍ତି, ଅଶୋକ କୁମାର ସାମଲ, ସନ୍ତୋଷ କୁମାର ସାମଲ, ସାମାଜିକକର୍ମୀ ବାବୁଲି ମହାନ୍ତି, ସ୍ଥାନୀୟ ସରପଞ୍ଚ ହରପ୍ରିୟା ସାହୁ ଯୋଗଦେଇ ସମସ୍ତେ ପରିବେଶ ପାଇଁ ଚିନ୍ତିତ, କିନ୍ତୁ ଏହାର ସୁରକ୍ଷା ଲାଗି କେହି ଯତ୍ନବାନ ହେଉନାହାନ୍ତି ବୋଲି କହିଥିିଲେ। ଏଥିପାଇଁ ଆତ୍ମସଚେତନତା ଆବଶ୍ୟକ। ବ୍ୟାପକ ବୃକ୍ଷରୋପଣ ସହିତ ଜୈବିକ ପଦ୍ଧତିରେ ଚାଷ କରିବା, ପରିବେଶକୁ ସଫା ରଖିବା, ପ୍ରକୃତି ଆମକୁ ଯାହା ଦେଇଛି, ତା’ର ସଦୁପଯୋଗ ନିମନ୍ତେ ସମସ୍ତେ ପ୍ରୟାସ କରିବା ଜରୁରି ବୋଲି କହିଥିଲେ। ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ‌ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ବରୀ ପ୍ରତିନିଧି ସଂଜୟ କୁମାର ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବରୀ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ନିର୍ବାଚିତ ପ୍ରତିନିଧି, ପରିବେଶ କର୍ମୀ ଓ ଜନସାଧାରଣ ଅଂଶଗ୍ରହଣ କରିଥିଲେ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button