The cool shadow: ରାଜପଥ କଡ଼ରୁ ହଜିଯାଇଛି ଶୀତଳ ଛାୟା
ବହୁ ପୂର୍ବରୁ ରାଜତନ୍ତ୍ର ସମୟରେ ଦେଶର ପ୍ରମୁଖ ସଡ଼କ କଡ଼ରେ ଧାଡ଼ି ଧାଡ଼ି ଗଛ ଲଗାଯାଉଥିଲା। ଉଦ୍ଦେଶ୍ୟ ଥିଲା ପଥିକଙ୍କୁ ଛାୟା ପ୍ରଦାନ। ସ୍ବାଧୀନତା ପରବର୍ତ୍ତୀ ସମୟରେ ଦେଶର ଜାତୀୟ....

ବହୁ ପୂର୍ବରୁ ରାଜତନ୍ତ୍ର ସମୟରେ ଦେଶର ପ୍ରମୁଖ ସଡ଼କ କଡ଼ରେ ଧାଡ଼ି ଧାଡ଼ି ଗଛ ଲଗାଯାଉଥିଲା। ଉଦ୍ଦେଶ୍ୟ ଥିଲା ପଥିକଙ୍କୁ ଛାୟା ପ୍ରଦାନ। ସ୍ବାଧୀନତା ପରବର୍ତ୍ତୀ ସମୟରେ ଦେଶର ଜାତୀୟ ରାଜପଥଠାରୁ ଆରମ୍ଭ କରି ରାଜ୍ୟ ରାଜପଥ ଓ ଅନ୍ୟାନ୍ୟ ସଡ଼କ କଡ଼ରେ ବିଶାଳ ଓ ଦେଶୀୟ ପ୍ରଜାତିର ଗଛଗୁଡ଼ିକ ଶୋଭାବର୍ଦ୍ଧନ କରିବା ସହିତ ଶୀତଳ ଛାୟା ପ୍ରଦାନ କରିଆସୁଥିଲେ। ରାସ୍ତାର ଦୁଇକଡ଼ରେ ନାଲି ଧଳା ରଂଗ ଚିହ୍ନିତ ଏହି ଗଛଗୁଡ଼ିକ ଦୂରରୁ ରାସ୍ତାର ଅବସ୍ଥିତି ନେଇ ସୂଚାଇ ଦିଅନ୍ତି। ରାସ୍ତାକଡ଼ରେ ଥିବା ଏହି ସବୁ ବିଶାଳ ଦ୍ରୁମ ଯୋଗୁଁ ପରିବେଶ ପ୍ରଦୂଷଣ ହ୍ରାସ ପାଇଥାଏ। ରାସ୍ତାର ଉତ୍ତାପକୁ ମଧ୍ୟ ଏହା ନିୟନ୍ତ୍ରଣ କରିଥାଏ। ଏବେ କିନ୍ତୁ ଜାତୀୟ ରାଜପଥ କଡ଼ରେ ସେଭଳି ବଡ଼ ଦ୍ରୁମ ଦେଖିବା ସ୍ବପ୍ନ।
ଓଡ଼ିଶା ମଧ୍ୟ ଦେଇ ଯାଇଥିବା କୋଲକାତା-ଚେନ୍ନାଇ, କୋଲକାତା-ମୁମ୍ବାଇ ଜାତୀୟ ରାଜପଥ ଓ କଟକ–ସମ୍ବଲପୁର, ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ ସମେତ ବିଭିନ୍ନ ସଂପ୍ରସାରିତ ରାଜପଥ କଡ଼ରେ ବଡ଼ବଡ଼ ଗଛ ପ୍ରାୟତଃ ନିଶ୍ଚିହ୍ନ ହୋଇଯାଇଛି। ରାଜ୍ୟ ରାଜପଥଗୁଡ଼ିକର ସଂପ୍ରସାରଣ ପାଇଁ ମଧ୍ୟ ରାସ୍ତା କଡ଼ରୁ ବ୍ୟାପକ ଗଛ କଟାଯାଉଛି, କିନ୍ତୁ ସଂପ୍ରସାରଣ ହେଲା ପରେ ଆଉ ଗଛ ଲାଗୁନାହିଁ। ଯେଉଁ ନୂତନ ଢାଞ୍ଚାରେ ହାଇସ୍ପିଡ୍ ଏକ୍ସପ୍ରେସ୍ କରିଡର୍ ନିର୍ମାଣ ହେଉଛି ସେଥିରେ ପ୍ରାୟତଃ ଗଛ ଲଗାଯିବାର ଯୋଜନା ରହୁନି। ଏପରିକି ରାସ୍ତା କଡ଼ର ଗଛ ଯୋଗୁଁ ଗଛ ପତ୍ରରୁ ନିଗିଡ଼ା ପାଣିରେ ରାସ୍ତା ନଷ୍ଟ ହେଉଥିବା ମଧ୍ୟ କିଛି ପ୍ରଯୁକ୍ତିବିତ୍ ମତ ଦିଅନ୍ତି। ତେଣୁ ୬ ଲେନ୍ ରାଜପଥ କଡ଼ରେ ଆଉ ପୂର୍ବଭଳି ଛାଇ ଦେଖିବାକୁ ମିଳୁ ନଥିବା ବେଳେ ରାସ୍ତାର ମେଡିଆନ୍ରେ କେବଳ ଶୋଭାବର୍ଦ୍ଧନକାରୀ ଛୋଟ ଫୁଲଗଛ ଲଗାଯାଉଛି। ତେବେ ଏସବୁର ଗୁରୁତର ପ୍ରଭାବ ପରିବେଶ ଉପରେ ପଡୁଥିବା ପରିବେଶବିତ୍ ମତ ଦିଅନ୍ତି। ଏପରିକି କେତେକ କ୍ଷେତ୍ରରେ ରାସ୍ତା ସଂପ୍ରସାରଣକୁ ନେଇ ଗଛ କଟାଯିବାକୁ ତୀବ୍ର ବିରୋଧ ମଧ୍ୟ ହେଉଛି। ନିକଟରେ ବେଙ୍ଗାଲୁରୁ-ମହୀଶୂର ଜାତୀୟ ରାଜପଥ କଡ଼ରେ ଥିବା ବହୁ ପୁରୁଣା ୫୬୦ଟି ଗଛକୁ ରକ୍ଷା କରିବାକୁ ଯାଇ ସ୍ଥାନୀୟ ଲୋକେ ଆନ୍ଦୋଳନ କରିଥିବା ଏକ ସମ୍ବେଦନଶୀଳ ଖବର। ଏହାକୁ ନେଇ ବିଭିନ୍ନ ସଂଗଠନ ଜାତୀୟ ରାଜପଥ ପ୍ରାଧିକରଣର ସଂପ୍ରସାରଣ କାର୍ଯ୍ୟକୁ ବିରୋଧ କରିଥିବା ଜଣାପଡ଼ିଛି। ଏହି ରାସ୍ତା କଡ଼ରେ ଥିବା ଅଧିକାଂଶ ଗଛ ୧୦୦ ବର୍ଷରୁ ପୁରୁଣା ହୋଇଥିବା ବେଳେ ଏସବୁକୁ କଟା ନଯାଇ ରାସ୍ତାର ବିକଳ୍ପ ନକ୍ସା କରିବାକୁ ସେମାନେ ଦାବି କରିଛନ୍ତି। ଏହା ସତ ଯେ, ବିକାଶକୁ ତ୍ବରାନ୍ବିତ କରିବା ପାଇଁ ସଂପ୍ରସାରଣ ଅପରିହାର୍ଯ୍ୟ। କିନ୍ତୁ ସଂପ୍ରସାରଣ ପୂର୍ବରୁ ଯୋଜନା କରାଯାଇ ବୃକ୍ଷରୋପଣ ପାଇଁ ଜାଗା ଛାଡ଼ିବା ମଧ୍ୟ କମ୍ ଗୁରୁତ୍ବପୂର୍ଣ୍ଣ ନୁହେଁ। ସେହିପରି ବହୁ ପୁରୁଣା ଗଛକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ହେଲେ ରାସ୍ତାର ଢାଞ୍ଚାରେ ପରିବର୍ତ୍ତନ କରାଯିବା ଜରୁରି।
– ପ୍ରଶାନ୍ତ ପୀୟୂଷ ମହାପାତ୍ର
ସୌଜନ୍ୟ ସମ୍ବାଦ




