ପାଣିପାଗ

Heavy Rain Alert : ୫ ଦିନ ବର୍ଷିଲାଣି ବର୍ଷା, ଆଗକୁ ଆହୁରି ଢାଳିବ

ଭୁବନେଶ୍ୱର ୦୬।୦୭ : ଗତ ୫ ଦିନରେ ନାକେଦମ୍ କଲାଣି ବର୍ଷା । ସ୍ୱାଭାବିକଠାରୁ ୨୩୪% ଅଧିକ ବର୍ଷିଛି । କେଉଁଠି ଘରେ ପାଣି ପଶିଲାଣି ତ’ ଆଉ କେଉଁଠି ରାସ୍ତା ଧସେଇ ଦେଲାଣି । ନିର୍ଧୁମ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ । ଆଗକୁ ଆହୁରି ଢାଳିବ । ସୋମବାର ପଶ୍ଚିମ ଓଡ଼ିଶାରେ ଅତିପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓ ଉତ୍ତର ଓଡ଼ିଶାରେ ବି ଲଗାଣ ବର୍ଷା ଲାଗି ରହିବ ।

ରବିବାର ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଉପରେ ଅବପାତ ସୃଷ୍ଟି ହୋଇଛି । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା ଉପକୂଳକୁ ଅତିକ୍ରମ କରିବ । ଆସନ୍ତା ୧୨ ଘଣ୍ଟାରେ ଏହି ଅବପାତ ବାଲେଶ୍ୱର ପାଖରେ ଚାନ୍ଦବାଲି ଓ ଦୀଘା ମଝି ଦେଇ ଅତିକ୍ରମ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଆକଳନ କରିଛି ।

ପୂରା ଜୁଲାଇ ମାସରେ ସ୍ୱାଭାବିକ ଭାବେ ୩୪୧.୪ ମିମି ବର୍ଷା ହେବା କଥା । କିନ୍ତୁ ପ୍ରଥମ ୫ ଦିନରେ ୧୫୫.୨ ମିମି ବର୍ଷା ହୋଇ ସାରିଲାଣି । ଗତ ୫ଦିନରେ ପୂରା ମାସର ପ୍ରାୟ ୪୫% ବର୍ଷା ହୋଇ ସାରିଲାଣି । ଏତିକି ଦିନରେ ସ୍ୱାଭାବିକଠାରୁ ୨୩୪% ଅଧିକ ବର୍ଷି ସାରିଲାଣି ।

ଏଭଳି ମୂଷଳ ଧାରାରେ ବର୍ଷା ସତ୍ତେ୍ୱ ଚଳିତ ମୌସୁମୀ ଋତୁ(ଜୁନ୍ ୧ରୁ ଜୁଲାଇ ୫) ଭିତରେ ୬ ଜିଲ୍ଲାରେ ମୋଟ ବର୍ଷା ପରିମାଣ ନିଅଣ୍ଟିଆ ରହିଛି । ସୁନ୍ଦରଗଡ଼ରେ ୪୧%, ନବରଙ୍ଗପୁରରେ ୩୭%, କଳାହାଣ୍ଡିରେ ୩୪%, ଦେବଗଡ଼ରେ ୩୧%, ଝାରସୁଗୁଡ଼ାରେ ୨୮%, ସମ୍ବଲପୁରରେ ୨୧% ବର୍ଷା ହୋଇଛି ।

ଉଭୟ ଜୁନ୍ ଓ ଜୁଲାଇ ମାସରେ ବୌଦ୍ଧ ଓ କନ୍ଧମାଳରେ ଅତ୍ୟଧିକ ବର୍ଷା ହୋଇଛି । ବୌଦ୍ଧରେ ସ୍ୱାଭାବିକଠାରୁ ୯୫% ଅଧିକ ଓ କନ୍ଧମାଳରେ ୭୭% ଅଧିକ ବର୍ଷା ହୋଇଛି । ଢେଙ୍କାନାଳ, କଟକ, ନୟାଗଡ଼, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ବରଗଡ଼, ବଲାଙ୍ଗୀର ଓ କୋରାପୁଟରେ ସ୍ୱାଭାବିକ ତୁଳନାରେ ପ୍ରବଳ ବର୍ଷା ହୋଇଛି । ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, ଗଜପତି, ରାୟଗଡ଼ା ଓ ନୂଆପଡ଼ାରେ ସ୍ୱାଭାବିକ ବର୍ଷା ହୋଇଛି ।

ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବାଧିକ ୨୨୪ ମିମି ବର୍ଷା ହୋଇଛି । ଟିଟିଲାଗଡ଼ରେ ୨୦୫ ମିମି, କେନ୍ଦ୍ରାପଡ଼ାରେ ୧୭୬, ବଲାଙ୍ଗୀରରେ ୧୪୦, କଟକରେ ୧୨୪, ଯାଜପୁରରେ ୧୨୦, ଭୁବନେଶ୍ୱରରେ ୧୧୯ ଓ ଚାନ୍ଦବାଲିରେ ୮୧ମିମି ବର୍ଷା ହୋଇଛି । ରାଜ୍ୟର ଅନେକ ସ୍ଥାନରେ ବର୍ଷା ବିତ୍ପାତ ଯୋଗୁ ଅଘଟଣ ଘଟିଛି । ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ୍ ପଥର୍ଲା ପଞ୍ଚାୟତ ଲୁହୁରେନପାଲିରେ କାନ୍ଥ ପଡ଼ିଯିବାରୁ ଚାପି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ବରଗଡ଼ ଲୁହୁରାଚଟି-ଲେଖାପଦ ରାସ୍ତାରେ ବାଇକ୍ ଭାସି ଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗୀର ଜିଲ୍ଲାରେ ଥିବା ଲାନ୍ଥ ନଦୀରେ ବନ୍ୟା ପାଣି ମାଡ଼ି ଆସିବାରୁ ୫୦ରୁ ଅଧିକ ଗୋରୁ ଫସି ରହିଥିଲେ । ଏନଡିଆରଏଫ ଟିମ୍ ସେମାନଙ୍କ ଉଦ୍ଧାର କାମରେ ନିୟୋଜିତ ହୋଇଥିଲେ ।

ବୌଦ୍ଧ ଜିଲ୍ଲା ସାଲୁଙ୍କି ନଦୀରେ ୨ ମହିଳା ଫସି ରହିଥିଲେ । ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରିଥିଲା । ସେହିଭଳି ଖୋର୍ଦ୍ଧା-ବଲାଙ୍ଗୀର ରେଳ ଟନେଲରେ ପାଣି ଭର୍ତ୍ତି ହୋଇ ଯାଇଥିଲା । ସମ୍ବଲପୁର ଓ ନୂଆପଡ଼ାର ଅନେକ ଅଞ୍ଚଳ ଜଳବନ୍ଦୀ ହେବା ସହ କଚ୍ଚା ଘର ଭାଙ୍ଗିଛି । ବରଗଡ଼ର ପଡ଼ା ଅଞ୍ଚଳ ଜଳମଗ୍ନ ହୋଇଛି ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button