Municipal elections: ପୌର ନିର୍ବାଚନ ପାଇଁ ବାଟ ଖୋଲୁଛି: ୩୫ ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ଚିଠା ବିଜ୍ଞପ୍ତି
ସରକାର ନୂଆ କରି ଘୋଷଣା ହୋଇଥିବା ପୌରାଞ୍ଚଳ ଓ ଦୀର୍ଘଦିନ ଧରି ନିର୍ବାଚନ ବନ୍ଦ ରହିଥିବା ମହାନଗର ନିଗମ ପାଇଁ ଚିଠା ସଂରକ୍ଷଣ ବିଜ୍ଞପ୍ତି ଜାରି କରିଛନ୍ତି। ରାଜ୍ୟର ୩୫ଟି ପୌର ସଂସ୍ଥା ଓ ଏନ୍ଏସିର ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ନିର୍ଦ୍ଧାରଣ ସମ୍ପର୍କିତ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି।

ଭୁବନେଶ୍ବର: ସରକାର ନୂଆ କରି ଘୋଷଣା ହୋଇଥିବା ପୌରାଞ୍ଚଳ ଓ ଦୀର୍ଘଦିନ ଧରି ନିର୍ବାଚନ ବନ୍ଦ ରହିଥିବା ମହାନଗର ନିଗମ ପାଇଁ ଚିଠା ସଂରକ୍ଷଣ ବିଜ୍ଞପ୍ତି ଜାରି କରିଛନ୍ତି। ରାଜ୍ୟର ୩୫ଟି ପୌର ସଂସ୍ଥା ଓ ଏନ୍ଏସିର ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ନିର୍ଦ୍ଧାରଣ ସମ୍ପର୍କିତ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ପୌର ଆଇନ, ୧୯୫୦ ଓ ଓଡ଼ିଶା ପୌର (ୱାର୍ଡ ସୀମା ନିର୍ଦ୍ଧାରଣ, ଆସନ ସଂରକ୍ଷଣ ଓ ନିର୍ବାଚନ ପରିଚାଳନା) ନିୟମାବଳୀ, ୧୯୯୪ ଅନୁଯାୟୀ ଏହି ଚିଠା ପ୍ରସ୍ତୁତ କରାଯାଇଛି। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ୧୫ ଦିନ ମଧ୍ୟରେ ଜନସାଧାରଣ ନିଜର ଆପତ୍ତି କିମ୍ବା ପରାମର୍ଶ ଦେଇପାରିବେ।
୩୫ ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ଚିଠା ବିଜ୍ଞପ୍ତି
ପୁରୀ, ସମ୍ବଲପୁର ମେୟର ପଦ ସଂରକ୍ଷଣ ନେଇ ମଧ୍ୟ ବିଜ୍ଞପ୍ତି ଜାରି
୧୫ ଦିନ ମଧ୍ୟରେ ଆପତ୍ତି ଓ ପରାମର୍ଶ ଆହ୍ୱାନ
ପୌରାଞ୍ଚଳ ଚିଠା ତାଲିକା ଅନୁଯାୟୀ, ପାତ୍ରପୁର, ସାଲେପୁର, ବିଷମକଟକ, ଜଗନ୍ନାଥପ୍ରସାଦ, ତିହିଡ଼ି, ସୋହେଲା, ବୀରମହାରାଜପୁର, ନରସିଂହପୁର, ନର୍ଲା, ସିମୁଳିଆ ଓ ବଡ଼ମ୍ବା ଅନୁସୂଚିତ ଜାତି(ମହିଳା)ଙ୍କ ପାଇଁ ସଂରକ୍ଷିତ ପ୍ରସ୍ତାବ ରହିଛି। ସେହିପରି ଲୋଇସିଂହା, ଧୁଷୂରୀ, ପାଳଲହଡ଼ା, ଯଶୀପୁର, ବସ୍ତା, ଟାଙ୍ଗୀ ଓ ଛତ୍ରପୁର ଅନୁସୂଚିତ ଜାତି, ଚିତ୍ରଡ଼ା, ବାଙ୍ଗିରିପୋଷି, କପ୍ତିପଦା, ବେତନଟୀ, ବାମରା, ରେଙ୍ଗାଳି, ବୋରିଗୁମ୍ମା ଅନୁସୂଚିତ ଜନଜାତି (ମହିଳା), ରାସଗୋବିନ୍ଦପୁର, ଗଁଦିଅା, ଜୟପାଟଣା, ଚଣ୍ଡିଖୋଲକୁ ଅନୁସୂଚିତ ଜନଜାତି, ବୌଦ୍ଧଗଡ଼, ଆସିକା, ଭଞ୍ଜନଗର, କବିସୂର୍ଯ୍ୟନଗରକୁ ମହିଳା ଓ ପୋଲସରା ଓ ଓଡ଼ଗାଁ ଅଣସଂରକ୍ଷିତ ବର୍ଗ ପାଇଁ ପ୍ରସ୍ତାବିତ ହୋଇଛି।
ସେହିପରି ସମ୍ବଲପୁର ଓ ପୁରୀ ମହାନଗର ନିଗମର ମେୟର ପଦ ପାଇଁ ମଧ୍ୟ ଚିଠା ପ୍ରସ୍ତାବ ପ୍ରକାଶ ପାଇଛି। ଏଥିରେ ସମ୍ବଲପୁର ଅଣସଂରକ୍ଷିତ ଓ ପୁରୀ ଅନୁସୂଚିତ ଜାତି(ମହିଳା) ବର୍ଗ ପାଇଁ ପ୍ରସ୍ତାବ ରଖାଯାଇଛି। ତେବେ ରାଉରକେଲା ମହାନଗର ପାଇଁ କୌଣସି ବିଜ୍ଞପ୍ତି ଜାରି ହୋଇନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଏହି ଆପତ୍ତି ଓ ପରାମର୍ଶ ଦାଖଲ କରାଯାଇପାରିବ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ମିଳୁଥିବା ସମସ୍ତ ମତାମତକୁ ରାଜ୍ୟ ସରକାର ବିଚାରକୁ ନେବେ। ଆପତ୍ତି ଓ ପରାମର୍ଶର ବିଚାର ପରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରାଯିବ। ସେପର୍ଯ୍ୟନ୍ତ ଏହି ତାଲିକାକୁ ଚିଠା ବିଜ୍ଞପ୍ତିଭାବେ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।
ସୌଜନ୍ୟ ସମ୍ବାଦ




