Digital Education : ଡିଜିଟାଲ ଭିତ୍ତିଭୂମିରେ ସରକାରୀ ସ୍କୁଲ ପଛୁଆ, ୩୧,୮୬୫ ସ୍କୁଲରେ ଏଯାଏ ହୋଇନି ସ୍ମାର୍ଟ କ୍ଲାସ୍ରୁମ୍
ଡିଜିଟାଲ ଭିତ୍ତିଭୂମିରେ ସରକାରୀ ସ୍କୁଲ ପଛୁଆ। ୮୬% ସ୍କୁଲରେ ନାହିଁ ଡିଜିଟାଲ ଲାଇବ୍ରେରୀ। ୩୧ହଜାର ୮୬୫ ସ୍କୁଲରେ ଏଯାଏ ହୋଇନି ସ୍ମାର୍ଟ କ୍ଲାସ୍ରୁମ୍। ୯୬ ପ୍ରତିଶତ ସ୍କୁଲରେ ଇଣ୍ଟିଗ୍ରେଟେଡ୍ ଟିଚିଂ ଲର୍ଣ୍ଣିଂ ଡିଭାଇସ୍ ନାହିଁ...

ଭୁବନେଶ୍ୱର, ୨୩/୦୭ : ବର୍ତ୍ତମାନ ସାରା ଦେଶ କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଆଦି ପଛରେ ଦୌଡ଼ୁଛି । ସରକାର ସ୍କୁଲ ଶିକ୍ଷାରୁ ଡିଜିଟାଲ ଭିତ୍ତିଭୂମିକୁ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି । ହେଲେ ଏବେବି ସ୍କୁଲ ଶିକ୍ଷାର ଡିଜିଟାଲ ଭିତ୍ତିଭୂମିରେ ପଛରେ ପଡ଼ିଛି ଓଡ଼ିଶା । ୮୩% ସ୍କୁଲରେ କମ୍ପ୍ୟୁଟର (ଡେସ୍କଟପ୍/ପିସି) ଅଚଳ ହୋଇପଡ଼ିଛି କିମ୍ବା ନାହିଁ । ଏପରିକି ୮୬% ସ୍କୁଲରେ ଡିଜିଟାଲ ଲାଇବ୍ରେରୀ ନାହିଁ । ୨୩.୬% ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍ ନାହିଁ । ୯୬% ସ୍କୁଲରେ ଇଣ୍ଟିଗ୍ରେଟେଡ୍ ଟିଚିଂ ଲର୍ଣ୍ଣିଂ ଡିଭାଇସ୍ ହିଁ ନାହିଁ । ଏହା ପୁଣି ସରକାରୀ ତଥ୍ୟ ହିଁ ପ୍ରକାଶ କରୁଛି ।
ନିକଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ୟୁନିଫାଇଏଡ୍ ଡିଷ୍ଟ୍ରିକ୍ ଇନ୍ଫରମେସନ୍ ସିଷ୍ଟମ ଫର ଏଜୁକେସନ (ୟୁଡିଆଇଏସ୍ଇ) ରିପୋର୍ଟ ୨୦୨୫-୨୬ରେ ସ୍କୁଲରେ ଡିଜିଟାଲ ଭିତ୍ତିଭୂମିର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି । ଏହି ରିପୋର୍ଟଟି ଜାତୀୟ ଶିକ୍ଷା ନୀତି (ଏନ୍ଇପି) ଢାଞ୍ଚାରେ ପ୍ରସ୍ତୁତ କରାଯାଇଛି । ରିପୋର୍ଟ ଅନୁଯାୟୀ, ରାଜ୍ୟରେ ମୋଟ୍ ୬୧ ହଜାର ୫୯୪ଟି ସ୍କୁଲ ରହିଛି । ଏଥିରୁ କେବଳ ୪୮ ହଜାର ୬୦୩ଟି ସରକାରୀ ବିଦ୍ୟାଳୟ । ୫୭୫୫ଟି ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ, ୬୩୨୯ଟି ଘରୋଇ ଅଣଅନୁଦାନପ୍ରାପ୍ତ ସ୍କୁଲ ଏବଂ ୯୦୭ଟି ଅନ୍ୟ ସ୍କୁଲ ରହିଛି । ଏଥିରୁ ମୋଟ ୧୬ ହଜାର ୬୯୦ଟି ସ୍କୁଲରେ କମ୍ପ୍ୟୁଟର ଅଛି । ଏଥିରୁ ସରକାରୀରେ ୮୩୩୪, ସରକାରୀ ଅନୁଦାନପ୍ରାପ୍ତରେ ୩୩୭୦, ଘରୋଇ ସ୍କୁଲରେ ୪୪୯୩ଟି ସ୍କୁଲରେ ଏହି ସୁବିଧା ରହିଛି । ସରକାରୀ ସ୍କୁଲର ମାତ୍ର ୧୭.୧% ରେ କମ୍ପ୍ୟୁଟର ସୁବିଧା ଥିବା ସହ କାର୍ଯ୍ୟ କରୁଛି ।
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି, ରାଜ୍ୟର ମୋଟ ସରକାରୀ ସ୍କୁଲର ୧୩୪୪ଟି ସ୍କୁଲରେ ଲାପଟପ୍ କିମ୍ବା ନୋଟ୍ବୁକ୍ର ସୁବିଧା ରହିଛି । ଅର୍ଥାତ୍ ମୋଟ ସ୍କୁଲର ମାତ୍ର ୨.୮% ସ୍କୁଲରେ ଏହି ସୁବିଧା ରହିଛି । ନିକଟରେ କିଛି ବର୍ଷ ପୂର୍ବରୁ ସରକାର ସମସ୍ତ ସରକାରୀ ସ୍କୁଲକୁ ଟାବ୍ ଯୋଗାଇ ଦେଇଥିଲେ । ହେଲେ ୟୁଡିଆଇଏସ୍ଇ ରିପୋର୍ଟ କହୁଛି, ରାଜ୍ୟର ମାତ୍ର ୩୨ ହଜାର ୧୨୫ଟି ସରକାରୀ ସ୍କୁଲରେ ଟାବ୍ ରହିବା ସହ କାର୍ଯ୍ୟକ୍ଷମ ରହିଛି । ଅର୍ଥାତ୍ ୬୬.୧ ସ୍କୁଲରେ ଏହା ଥିବା ବେଳେ ୩୪% ସ୍କୁଲରେ ଏହି ସୁବିଧା ନାହିଁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ଏବେ ଶିକ୍ଷା ବିଭାଗ ଇଣ୍ଟିଗ୍ରେଟେଡ୍ ଟିଚିଂ ଲର୍ଣ୍ଣିଂକୁ ଗୁରୁତ୍ୱ ଦେଉଥିବା ବେଳେ ରାଜ୍ୟର ସରକାରୀ ସ୍କୁଲରେ ମାତ୍ର ୪.୪% ଏହି ଡିଭାଇସ୍ ରହିଛି । ଅର୍ଥାତ୍ ମୋଟ ୪୮ ହଜାର ୬୦୩ଟି ସ୍କୁଲ ମଧ୍ୟରୁ ମାତ୍ର ୨୧୪୧ଟି ସ୍କୁଲରେ ଇଣ୍ଟିଗ୍ରେଟେଡ୍ ଟିଚିଂ ଲର୍ଣ୍ଣିଂ ଡିଭାଇସ୍ ରହିଛି ।
ସେହିପରି ମୋଟ ସରକାରୀ ସ୍କୁଲ ମଧ୍ୟରୁ ୪୪ ହଜାର ୪୩୪ଟି ଅର୍ଥାତ୍ ୯୧.୪% ସ୍କୁଲରେ ପ୍ରୋଜେକ୍ଟର ନାହିଁ । ମୋଟ୍ ସରକାରୀ ସ୍କୁଲ ମଧ୍ୟରୁ ୧୬ ହଜାର ୭୩୮ଟି ସ୍କୁଲରେ ସ୍ମାର୍ଟ କ୍ଲାସରୁମ କରାଯାଇଛି । ଏଠାରେ ସ୍ମାର୍ଟ ଡିଜିଟାଲ ବୋର୍ଡ, ଭର୍ଚୁଆଲ କ୍ଲାସରୁମ୍, ସ୍ମାର୍ଟ ଟିଭି ଆଦି ରହିଛି । ବାକି ୩୧ ହଜାର ୮୬୫ଟି ସ୍କୁଲରେ ସ୍ମାର୍ଟ କ୍ଲାସ୍ରୁମ୍ ନାହିଁ । ରିପୋର୍ଟ କହୁଛି, ମାତ୍ର ୩୮.୨% ସ୍କୁଲରେ ଶିକ୍ଷା ପାଇଁ ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ ରଖାଯାଇଛି । ମୋଟ୍ ସରକାରୀ ସ୍କୁଲ ମଧ୍ୟରୁ ମାତ୍ର ୬୫୨୬ଟି ସରକାରୀ ସ୍କୁଲରେ ଡିଜିଟାଲ ଲାଇବ୍ରେରୀ ରହିଛି । ଅର୍ଥାତ୍ ୧୩.୪% ସ୍କୁଲରେ ଡିଜିଟାଲ ଲାଇବ୍ରେରୀ ଥିବା ବେଳେ ବାକି ୮୬.୬% ସ୍କୁଲରେ ଏହି ସୁବିଧାରୁ ଛାତ୍ରଛାତ୍ରୀମାନେ ବଞ୍ଚିତ ହେଉଛନ୍ତି । ରାଜ୍ୟର ୭୪.୭% ସ୍କୁଲରେ ଆଇସିଟି ଲ୍ୟାବ୍ ନାହିଁ, ୮୦.୨% ସ୍କୁଲରେ ଆଇସିଟି ଲ୍ୟାବ୍ କାମ କରୁନି।
ସୌଜନ୍ୟ ପ୍ରମେୟ



