ମର୍ମନ୍ତୁଦ ଦୁର୍ଘଟଣା : ଆମ୍ବ ଗଛରେ ପିଟି ହେଲା ଥାର୍, ଗୋଟିଏ ପରିବାରର ୩ ମୃତ, ବାଉଁଶୁଣୀରେ ବାଇକ୍ ଧକ୍କାରେ ସାଇକେଲ ଆରୋହୀ ମୃତ

କେନ୍ଦୁଝର/ବାଉଁଶୁଣୀ, ୨୩।୭: ଗୁରୁବାର ସକାଳୁ ଅଶୁଭ ଖବର। ପୃଥକ୍ ଦୁର୍ଘଟଣାରେ ଗଡ଼ିଲା ୪ ମୁଣ୍ଡ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରଜିଆ ନିକଟରେ ଭାରସାମ୍ୟ ହରାଇ ଏକ ଥାର୍ ଗାଡ଼ି ରାସ୍ତା କଡ଼ରେ ଥିବା ଆମ୍ବ ଗଛରେ ପିଟି ହେବା ଫଳରେ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି । ସେହିପରି ଗୁରୁବାର ସକାଳ ସାଢେ ୮ଟାରେ 57 ନଂଜାତୀୟ ରାଜପଥ ବାଉଁଶୁଣୀ ଦମକଳ କେନ୍ଦ୍ର ନିକଟରେ ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ଆରୋହୀ ଆହତ ହୋଇଛନ୍ତି l
ମିଳିଥିବା ସୂଚନା ମୁତାବକ, ପର୍ଶଳା ପଞ୍ଚାୟତ ସିଜୁକଳା ଗ୍ରାମର ତ୍ରିଲୋଚନ ଆପଟ୍ଟଙ୍କର ପେଟ ବଥା ହୋଇଥିଲା । ତାଙ୍କର ଆଶୁ ଚିକିତ୍ସା ପାଇଁ ପରିବାର ଲୋକେ ବିଳମ୍ବ ନକରି ଥାର୍ ଗାଡ଼ିରେ ତାଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ନେଉଥିଲେ । ଗାଡ଼ିଟି ରଜିଆ ନିକଟରେ ପହଞ୍ଚିବା ସମୟରେ ରାସ୍ତା କଡ଼ରେ ଥିବା ଏକ ବଡ଼ ଆମ୍ବ ଗଛ ସହ ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ ଗାଡ଼ିର ଆଗ ପଟ ଚୁରମାର୍ ହୋଇଯାଇଥିଲା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ତ୍ରିଲୋଚନଙ୍କ ଭାଇ ଭାସ୍କର ଆପଟ୍ଟଙ୍କର ମୃତ୍ୟୁ ହୋଇଥିଲା । ଗାଡ଼ି ଭିତରେ ତ୍ରିଲୋଚନ, ତାଙ୍କ ସ୍ତ୍ରୀ କଇଁଫୁଲ ଓ ପୁଅ ରଞ୍ଜିତ୍ ପ୍ରମୁଖ ଗୁରୁତର ଅବସ୍ଥାରେ ଫସି ରହିଥିଲେ । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଚମ୍ପୁଆ ପୁଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଗୁରୁତର ଆହତମାନଙ୍କୁ ଗାଡ଼ି ଭିତରୁ ଉଦ୍ଧାର କରାଯାଇ ପ୍ରଥମେ ଚମ୍ପୁଆ ଡାକ୍ତରଖାନାକୁ ପଠାଯାଇଥିଲା । ଚମ୍ପୁଆ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତିନି ଜଣଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଆମ୍ବୁଲାନ୍ସରେ କେନ୍ଦୁଝର ନେବା ବାଟରେ ଅଧା ରାସ୍ତାରେ ତ୍ରିଲୋଚନ ଓ ତାଙ୍କ ସ୍ତ୍ରୀ କଇଁଫୁଲ ଦମ୍ପତି ଆଖି ବୁଜିଥିଲେ । ଦୁର୍ଘଟଣାରେ ଗୁରୁତର ତ୍ରିଲୋଚନଙ୍କ ପୁଅ ରଞ୍ଜିତଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି । ପୁଲିସ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅଧିକ ତଦନ୍ତ କରୁଛି ।
ସୌଜନ୍ୟ ପ୍ରମେୟ



