Commonwealth Games: ରାଜ୍ୟଗୋଷ୍ଠୀ କ୍ରୀଡ଼ା: ମୀରାବାଇଙ୍କୁ ହ୍ୟାଟ୍ରିକ୍ ସ୍ବର୍ଣ୍ଣ, ରେକର୍ଡ ସହ ଋଷିକାନ୍ତଙ୍କୁ ରୌପ୍ୟ
ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଭାରୋତ୍ତୋଳନରୁ ଯୁଗଳ ଖୁସି ମିଳିଛି। ନାମ୍ବାମ୍ ଋଷିକାନ୍ତ ସିଂହ (ପୁରୁଷ ୬୦ କେଜି)ରେ ସ୍ନାଚ୍ରେ ରାଜ୍ୟଗୋଷ୍ଠୀ ରେକର୍ଡ ସହ ରୌପ୍ୟ ପଦକ ଜିତିଥିଲେ। ଏଥିରେ ରବିବାର ଭାରତର କିଂବଦନ୍ତି ଭାରୋତ୍ତୋଳିକା ମୀରାବାଇ ଚାନୁ ଗୋଟିଏ ସ୍ବର୍ଣ୍ଣ ପଦକ ଯୋଡ଼ିଛନ୍ତି।

ଗ୍ଲାସ୍ଗୋ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଭାରୋତ୍ତୋଳନରୁ ଯୁଗଳ ଖୁସି ମିଳିଛି। ନାମ୍ବାମ୍ ଋଷିକାନ୍ତ ସିଂହ (ପୁରୁଷ ୬୦ କେଜି)ରେ ସ୍ନାଚ୍ରେ ରାଜ୍ୟଗୋଷ୍ଠୀ ରେକର୍ଡ ସହ ରୌପ୍ୟ ପଦକ ଜିତିଥିଲେ। ଏଥିରେ ରବିବାର ଭାରତର କିଂବଦନ୍ତି ଭାରୋତ୍ତୋଳିକା ମୀରାବାଇ ଚାନୁ ଗୋଟିଏ ସ୍ବର୍ଣ୍ଣ ପଦକ ଯୋଡ଼ିଛନ୍ତି। ମହିଳା ୪୮ କେଜି ବର୍ଗରେ ଏହି ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ୮୫ କେଜି ସ୍ନାଚ୍ ଓ ୧୦୫ କେଜି କ୍ଲିନ୍ ଓ ଜର୍କ ସହ ମୋଟ ୧୯୦ କେଜି ଭାର ଉଠାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଲଗାତାର ତୃତୀୟ ସ୍ବର୍ଣ୍ଣ ଜିତି ହ୍ୟାଟ୍ରିକ୍ କରିଛନ୍ତି। ୨୦୧୮ ଗୋଲ୍ଡକୋଷ୍ଟ ଏବଂ ୨୦୨୨ ବର୍ମିଂହାମ୍ରେ ସେ ସ୍ବର୍ଣ୍ଣ ଜିତିଥିଲା ବେଳେ ୨୦୧୪ରେ ରୌପ୍ୟ ପାଇଥିଲେ।
ସେ କୁସ୍ତିବିତ୍ ସୁଶୀଲ କୁମାର (୨୦୧୦, ୨୦୧୪, ୨୦୧୮) ଓ ଭିନେଶ ଫୋଗତ (୨୦୧୪, ୨୦୧୮, ୨୦୨୨)ଙ୍କ ପରେ ତୃତୀୟ ଭାରତୀୟ ଖେଳାଳି ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହ୍ୟାଟ୍ରିକ୍ ଅର୍ଜନ କରିବାର ଗୌରବ ପାଇଛନ୍ତି। ଏଥିସହ ଏହି ୩୧ ବର୍ଷୀୟ ଭାରତୀୟ ମହିଳା ରାଜ୍ୟଗୋଷ୍ଠୀ କ୍ରୀଡ଼ରେ ସ୍ନାଚ୍, କ୍ଲିନ୍ ଓ ଜର୍କ ଏବଂ ମୋଟ ଉପରେ ରେକର୍ଡ କରିଥିଲେ। ମୀରାବାଇ ପ୍ରଥମ ପ୍ରୟାସରେ ୮୨ କେଜି ଉଠାଇବାକୁ ଯାଇ ବିଫଳ ହୋଇଥିଲେ। ଏହାପରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୮୫ କେଜି ଉଠାଇ ଦେଇଥିଲେ। ସେହିପରି କ୍ଲିନ୍ ଓ ଜର୍କର ପ୍ରଥମ ପ୍ରୟାସରେ ବିଫଳ ହେବା ପରେ ଦ୍ବିତୀୟରେ ସେ ୧୦୫ କେଜି ଉଠାଇ ରୌପ୍ୟ ବିଜୟିନୀ ନାଇଜେରିଆର ରୁଥ ଆସୁକ୍ୟୁ ନିୟଙ୍ଗ (୧୬୮ କେଜି)ଙ୍କଠାରୁ ୨୨ କେଜି ଆଗରେ ରହିଥିଲେ। ରେକର୍ଡ କରିବା ସହ ସ୍ବର୍ଣ୍ଣ ହରାଇବାର ଆଶଙ୍କା ନଥିବାରୁ ସେ ଆଗାମୀ ଏସୀୟ କ୍ରୀଡ଼ାକୁ ନଜରରେ ରଖି ତୃତୀୟ ପ୍ରୟାସ କରି ନଥିଲେ।
ଗ୍ଲାସ୍ଗୋ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଦ୍ବିତୀୟ ପଦକ ଭେଟି ଦେଇଛନ୍ତି ଭାରୋତ୍ତୋଳକ ଚନାମ୍ବାମ୍ ଋଷିକାନ୍ତ ସିଂହ। ପୁରୁଷ ୬୦ କିଲୋଗ୍ରାମ୍ରେ ଏହି ୨୮ ବର୍ଷୀୟ ମଣିପୁର ଯୁବକ ଚମତ୍କାର ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିବା ପୂର୍ବରୁ ନିଜ ନାମରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ନାଚ୍ ରେକର୍ଡ କରିଥିଲେ। ସେ ନିଜର ତୃତୀୟ ତଥା ଶେଷ ସ୍ନାଚ୍ ପ୍ରୟାସରେ ୧୨୧ କେଜି ଉଠାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନୂଆ ରେକର୍ଡ କରିଥିଲେ। ଏହି ରେକର୍ଡ ସହ ସେ ମାଲେସିଆର ମହମ୍ମଦ ଅନିକ୍ ବିନ୍ କାସ୍ଡାନ୍ଙ୍କ ଶୀର୍ଷରେ ରହିଥିଲେ। କ୍ଲିନ୍ ଓ ଜର୍କରେ ଉଭୟଙ୍କ ମଧ୍ୟରେ ଲଢ଼େଇ ଜୋର୍ଦାର ହୋଇଥିଲା। ଋଷିକାନ୍ତ ୧୪୩ କେଜି ଉଠାଇବା ପରେ ଶେଷ ପ୍ରୟାସରେ ୧୫୧ କେଜି ଉଠାଇବାରେ ବିଫଳ ହୋଇଥିଲେ। ଅନ୍ୟପକ୍ଷରେ କାସ୍ଡାନ୍ ୧୪୫ କେଜି କ୍ଲିନ୍ ଓ ଜର୍କ ଉଠାଇ ଋଷିକାନ୍ତଙ୍କୁ ପଛରେ ପକାଇ ଦେଇଥିଲେ। ଋଷିକାନ୍ତ ମୋଟ୍ ୨୬୪ କେଜି (୧୨୧ କେଜି ସ୍ନାଚ୍ ଏବଂ ୧୪୩ କେଜି କ୍ଲିନ୍ ଓ ଜର୍କ) ଭାର ଉଠାଇ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ଜିତିଥିଲା ବେଳେ କାସ୍ଡାନ୍ ୨୬୬ କେଜି (୧୨୧ କେଜି ସ୍ନାଚ୍ ଏବଂ ୧୪୫ କେଜି କ୍ଲିନ୍ ଓ ଜର୍କ) ସ୍ବର୍ଣ୍ଣ ଜିତିଥିଲେ। କେନିୟାର ଏମ୍ପୋୟା ୨୬୦ କେଜି (୧୧୫+୧୪୫) କାଂସ୍ୟ ପାଇଥିଲେ।
ସୌଜନ୍ୟ ସମ୍ବାଦ




