ରାଜ୍ୟ

ଜନଶୁଣାଣିକୁ ଆସିଥିବା ମହିଳାଙ୍କ ଆତ୍ମାହୁତି ଉଦ୍ୟମ: ଜବରଦଖଲ ଜମିରୁ ଉଚ୍ଛେଦ ନିର୍ଦ୍ଦେଶ ଯୋଗୁଁ ଦେହରେ ପେଟ୍ରୋଲ୍‌ ଢାଳିଥିଲେ

କଟକ ଜିଲ୍ଲା କିଶନନଗର ତହସିଲରେ ଜିଲ୍ଲାପାଳଙ୍କ ଜନଶୁଣାଣି ସମୟରେ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି। ଉତ୍ତରକୁଳ ସାହାଣୀସାହିର ମହିଳା ଜଣକ ଜବରଦଖଲରେ ଥିବା ସରକାରୀ ଜମି ବିବାଦ ଓ ଏହାକୁ ଉଚ୍ଛେଦ ପାଇଁ କୁହାଯିବାରୁ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି।

କିଶନନଗର: କଟକଜିଲ୍ଲା କିଶନନଗର ତହସିଲରେ ଜିଲ୍ଲାପାଳଙ୍କ ଜନଶୁଣାଣି ସମୟରେ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି। ଉତ୍ତରକୁଳ ସାହାଣୀସାହିର ମହିଳା ଜଣକ ଜବରଦଖଲରେ ଥିବା ସରକାରୀ ଜମି ବିବାଦ ଓ ଏହାକୁ ଉଚ୍ଛେଦ ପାଇଁ କୁହାଯିବାରୁ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ମହିଳାଙ୍କ ବାପା ସ୍ବର୍ଗତ କେଶବ ଜେନା ଗ୍ରାମରେ ପାଖାପାଖି ୮ଗୁଣ୍ଠ ସରକାରୀ ଜମି ନିଜ ଅକ୍ତିଆରରେ ରଖିଥିଲେ। ପର୍ଯ୍ୟାୟକ୍ରମେ ତାଙ୍କ ପ୍ରଥମ ପତ୍ନୀଙ୍କ ପୁଅ ପ୍ରମୋଦ ସେଠାରେ ରହିଆସୁଥିଲା ବେଳେ ଦ୍ବିତୀୟ ପତ୍ନୀଙ୍କ ଝିଅ ତଥା ଅଭିଯୋଗକାରୀ ମଧ୍ୟ ପରବର୍ତ୍ତୀ ସମୟରେ ଗୋଟିଏ ଭାଗରେ ରହୁଛନ୍ତି। ଏହି ଜମିକୁ ନେଇ ଭାଇ-ଭଉଣୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦକୁ ନେଇ ମହିଳା ଜଣକ ପୂର୍ବରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ନ୍ୟାୟ ପାଇ ନଥିଲେ। ଆଜି କିଶନନଗର ତହସିଲରେ ଜିଲ୍ଲାପାଳଙ୍କ ଜନଶୁଣାଣି ଥିବା ବେଳେ ମହିଳା ଜଣକ ପୁଣି ଥରେ ତାଙ୍କ ପରିବାର ସହିତ ଅଭିଯୋଗ ଜଣାଇବାକୁ ଆସିଥିଲେ। ଅଭିଯୋଗ ଉପରେ ତଦନ୍ତ କରି ରିପୋର୍ଟ ଦେବାକୁ ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ହେଲେ ଏହାକୁ ନମାନି ତାଙ୍କ ସପକ୍ଷରେ ନିର୍ଦ୍ଦେଶ ଦେବାକୁ ଦାବି କରି ମହିଳା ଜଣକ ଜନଶୁଣାଣି ସମୟରେ ପାଟିତୁଣ୍ଡ କରିଥିଲେ। ଫଳରେ ଜିଲ୍ଲାପାଳ ସରକାରୀ ଜମି କବ୍‌ଜା କରିଥିବା ଦୁଇ ଭାଇଭଉଣୀଙ୍କୁ ନୋଟିସ୍‌ କରି ଜବରଦଖଲ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏତିକିରେ ମହିଳା ଜଣକ ହଠାତ୍‌ ଅଫିସ୍‌ ବାହାରକୁ ଚାଲିଆସି ବୋତଲରେ ଆଣିଥିବା ପେଟ୍ରୋଲ୍‌ ନିଜ ଦେହରେ ଢାଳିବାକୁ ଲାଗିଲେ। ଉପସ୍ଥିତ ପୁଲିସ କର୍ମଚରୀ ତାଙ୍କୁ ଅଟକାଇ ସେଠାରୁ ଉଠାଇ ଆଣିଥିଲେ। ପରେ ମେଡିକାଲ୍‌ରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବା ପରେ ଘରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି। ଗୁରୁବାର ତହସିଲଦାରଙ୍କ ଦ୍ବାରା ଏହି ମାମଲାର ବିଚାର ପାଇଁ ଦିନ ଧାର୍ଯ୍ୟ ହୋଇଛି। ଦୁଇମାସ ପୂର୍ବେ ଏହି ଜମିକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିବାରୁ କିଶନନଗର ପୁଲିସ ଉଭୟପକ୍ଷର ଲୋକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।

ଏ ସଂକ୍ରାନ୍ତରେ କିଶନନଗର ତହସିଲଦାର କ୍ଷୀରୋଦ ଚନ୍ଦ୍ର ଦାଶ କହିଛନ୍ତି, ସାବତ ଭାଇକୁ ସେଠାରୁ ହଟାଇବାକୁ ସବିତା ବାରମ୍ବାର ଦାବି କରୁଥିବାରୁ ଉଭୟ ପରିବାର ମଧ୍ୟରେ ବିଭିନ୍ନ ସମୟରେ ଗଣ୍ଡଗୋଳ ଘଟୁଥିବାରୁ ଉଭୟପକ୍ଷଙ୍କୁ ୧୦୭ ନୋଟିସ୍‌ ଦିଆଯାଇଛି। ଉଭୟଙ୍କୁ ଜବରଦଖଲ ଉଚ୍ଛେଦ ନୋଟିସ୍‌ ମଧ୍ୟ ଦିଆଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button