CWG 2026: ବାପା ଜିତିଥିବା ପଦକର ରଙ୍ଗ ବଦଳାଇଲେ ପୁଅ, ଅଜୟ ବାବୁଙ୍କ ଗାଁ ମାଟିରେ ଅଛି ଭାରଉତ୍ତୋଳନ
ଅଜୟ ବାବୁ ମୋଟ୍ ୩୩୦ କିଲୋ ଉତ୍ତୋଳନ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେ ସ୍ନାଚରେ ୧୪୯ କିଲୋ ଉଠାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ କରିଥିଲେ ।

ନୂଆଦିଲ୍ଲୀ,୨୮/୦୭: ୨୩ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୁରୁଷ ୭୯ କିଲୋ ଭାରୋତ୍ତୋଳନରେ ଅଜୟ ବାବୁଙ୍କୁ ରୌପ୍ୟ ପଦକ ଜିତିଛନ୍ତି । ଅଜୟ ବାବୁ ମୋଟ୍ ୩୩୦ କିଲୋ ଉତ୍ତୋଳନ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେ ସ୍ନାଚରେ ୧୪୯ କିଲୋ ଉଠାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ କରିଥିଲେ । କ୍ଲିନ ଏଣ୍ଡ ଜର୍କରେ ୧୮୧ କିଲୋ ଉତ୍ତୋଳନ କରିଥିଲେ । ମୋଟ୍ ୩୩୧ କିଲୋ (ସ୍ନାଚରେ ୧୪୭ ଏବଂ କ୍ଲିନ ଏଣ୍ଡ ଜର୍କରେ ୧୮୪ କିଲୋ ) ଉତ୍ତୋଳନ କରି ମାଲେସିଆର ଏରି ହିଦାୟତ ମହମ୍ମଦ ସ୍ୱର୍ଣ୍ଣ ଜିତିଥିଲେ । ଇଂଲଣ୍ଡର କ୍ରିସ ମୁରେ (୩୨୫ କିଲୋ) ବ୍ରୋଞ୍ଜ ପଦକ ପାଇଥିଲେ ।
ଅଜୟ ବାବୁ ସେହି ଗାଁର ଯେଉଁଠାରୁ ୩୩ ଜଣ ଭାରୋତ୍ତୋଳକ ରହିଛନ୍ତି । ୨୨ ନଭେମ୍ବର ୨୦୦୪ରେ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାର କୋଣ୍ଡାଭେଲାଗାଡା ଗାଁରେ ଜନ୍ମଗ୍ରହଣ କରିଥିଲେ ଅଜୟ ବାବୁ । ଏହି ଗାଁ ୩୩ ଜଣ ଭାରୋତ୍ତୋଳକଙ୍କୁ ଜନ୍ମ ଦେଇଛି, ସେମାନଙ୍କ ମଧ୍ୟରୁ ୨୨ ଜଣ ଜାତୀୟ ସ୍ତରରେ ପ୍ରତିଯୋଗିତା କରିଛନ୍ତି ଏବଂ ୧୩ ଜଣ ଆନ୍ତର୍ଜାତୀୟ ସ୍ତରରେ ନିଜର ଛାପ ଛାଡ଼ିଛନ୍ତି । ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟ ଭାରୋତ୍ତୋଳକଙ୍କୁ ଜନ୍ମ ଦେଇଛି ଅଜୟଙ୍କ ଗାଁ ।
ଅଜୟଙ୍କ ବାପା ଜିତିଥିବା ପଦକ ରଙ୍ଗ ବଦଳିଛି- ଅଜୟ ବାବୁଙ୍କ ପରିବାର ଭାରୋତ୍ତୋଳନ ସହ ପୂର୍ବରୁ ଜଡିତ । ତାଙ୍କ ବାପା ଭାଲୁରି ଶ୍ରୀନିବାସା ରାଓ ନିଜେ ଜଣେ ଆନ୍ତର୍ଜାତୀୟ ଭାରୋତ୍ତୋଳକ ଥିଲେ । ୨୦୨୫ରେ, ଅଜୟ ବାବୁ ବାପାଙ୍କ ପ୍ରେରଣାରେ ପ୍ରଥମ ଭାରୋତ୍ତୋଳନ ଶିକ୍ଷା ଦିଆଯାଇଥିଲା । ୨୦୧୦ କମନୱେଲଥ ଗେମ୍ସରେ ଭାଲୁରି ଶ୍ରୀନିବାସା ରାଓ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ । ଅଜୟ ବାବୁ ଚଳିତ କମନୱେଲଥ ଗେମ୍ସରେ ପିତାଙ୍କ ବ୍ରୋଞ୍ଜ ପଦକକୁ ରୌପ୍ୟ ପଦକ ଜିତିଛି । ବାପାଙ୍କୁ ଟପିଛନ୍ତି ପୁଅ । ପଦକର ରଙ୍ଗ ବଦଳି ବ୍ରୋଞ୍ଜରୁ ରୌପ୍ୟ ହୋଇଛି ।
ଅଜୟ ବାବୁଙ୍କ କ୍ୟାରିଅର- ଅଜୟ ବାବୁଙ୍କ କ୍ୟାରିୟର ସଫଳତା ୨୦୨୩ ଖେଲୋ ଇଣ୍ଡିଆ ଗେମ୍ସରେ ଆସିଥିଲା । ଯେଉଁଠାରେ ସେ ଜାତୀୟ ରେକର୍ଡ ସହିତ ତାଙ୍କ ଓଜନ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ତାଙ୍କ ପ୍ରଦର୍ଶନ ଭାରତୀୟ ଦଳରେ ସ୍ଥାନ ଦେଇଥିଲା । ତା’ପରେ ସେ ଅନ୍ତର୍ଜାତୀୟ ଇଭେଣ୍ଟଗୁଡ଼ିକରେ ପ୍ରତିଯୋଗିତା କରିବା ଆରମ୍ଭ କରିଥିଲେ। ୨୦୨୪ ମସିହାରେ, ସେ କମନୱେଲ୍ଥ ଭାରୋତ୍ତୋଳନ ଚାମ୍ପିଅନସିପର ଜୁନିଅର ଏବଂ ସିନିୟର ସ୍ତରରେ ସ୍ୱର୍ଣ୍ଣ ପଦକ ଜିତି ତାଙ୍କର ପ୍ରମୁଖ ଡେବ୍ୟୁ କରିଥିଲେ । ସେହି ବର୍ଷ, ସେ ଏସୀୟ ଯୁବ ଏବଂ ଜୁନିଅର ଭାରୋତ୍ତୋଳନ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଥିଲେ।
ଅହମ୍ମଦାବାଦରୁ ଗ୍ଲାସଗୋକୁ ମିଳିଥିଲା ଟିକେଟ୍- ୨୦୨୫ ମସିହାରେ, ସେ ଅହମ୍ମଦାବାଦରେ ଅନୁଷ୍ଠିତ କମନୱେଲଥ ଭାରୋତ୍ତୋଳନ ଚାମ୍ପିଅନସିପରେ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିଥିଲେ । ଯେଉଁଠାରେ ସେ ୩୩୫ କିଲୋଗ୍ରାମ ଭାର ଉଠାଇ ସ୍ୱର୍ଣ୍ଣ ପଦକ ଜିତିବା ସହିତ ଏକ ଚାମ୍ପିଅନସିପ୍ ରେକର୍ଡ ସ୍ଥାପନ କରିଥିଲେ। ସେହି ରେକର୍ଡ ବିଜୟ ୨୦୨୬ କମନୱେଲଥ ଗେମ୍ସ ପାଇଁ ତାଙ୍କର ଯୋଗ୍ୟତା ପାଇଁ ପଥ ପରିସ୍କାର କରିଥିଲା । ଯେଉଁଠାରେ ସେ ତାଙ୍କ ଦେଶ ପାଇଁ ରୌପ୍ୟ ପଦକ ଜିତିଛନ୍ତି ।
ଅଜୟ ରୌପ୍ୟ ପଦକ ଜିତିଥିବାବେଳେ ମହିଳା ୫୮ କିଲୋ ବିନ୍ଦ୍ୟାରାଣୀ ଦେବୀ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏଥିସହ ଚଳିତ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୧୦ରେ (୨ ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ) ପହଞ୍ଚିଛି । କେବଳ ଭାରୋତ୍ତୋଳନରେ ଏ ପର୍ଯ୍ୟନ୍ତ ଭାରତକୁ ୬ଟି ପଦକ ମିଳିଛି ।
ସୌଜନ୍ୟ ପ୍ରମେୟ




