Justin Greaves: ୫ ଓଭର, ୫ ୱିକେଟ୍, ୦ରନ୍…ଏହି ବୋଲର ରଚିଲେ ଇତିହାସ, ନାକରେ କାନ୍ଦିଲା ପାକିସ୍ତାନ
ୱେଷ୍ଟଇଣ୍ଡିଜ୍ ବନାମ ପାକିସ୍ତାନ ଟେଷ୍ଟ ମ୍ୟାଚ୍ରେ ପାକିସ୍ତାନକୁ ଘାଇଲା କରିଛନ୍ତି ଜଷ୍ଟିନ୍ ଗ୍ରେଭ୍ସ । ଘାତକ ବୋଲିଂ କରି ଏକ ଅପୂର୍ବ ସଫଳତା ହାସଲ କରିଛନ୍ତି । ବ୍ୟାକ୍ ଟୁ ବ୍ୟାକ୍ ୱିକେଟ୍ ନେଇ ଇତିହାସ ରଚିଛନ୍ତି ୱେଷ୍ଟିଇଣ୍ଡିଜ ବୋଲର ।

ନୂଆଦିଲ୍ଲୀ,୨୮/୦୭: ୫ ଓଭର ଏବଂ ୫ ୱିକେଟ୍। ପ୍ରତ୍ୟେକ ଓଭରରେ ଗୋଟିଏ ୱିକେଟ୍ । ଖାଲି ସେତିକି ନୁହେଁ କୌଣସି ବ୍ୟାଟର ତାଙ୍କର ବଲରେ ଖାତା ଖୋଲି ପାରିନାହାନ୍ତି । ଟେଷ୍ଟ କ୍ରିକେଟ୍ ଇତିହାସରେ ଏହି ଅନନ୍ୟ ସଫଳତା କେବେ କଳ୍ପନା କରାଯାଇ ନଥିଲା। ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ବୋଲର ଜଷ୍ଟିନ୍ ଗ୍ରେଭସ ପ୍ରଥମ ଥର ପାଇଁ ଏହି ସଫଳତା ହାସଲ କରିଛନ୍ତି । ୱେଷ୍ଟଇଣ୍ଡିଜ୍ ବନାମ ପାକିସ୍ତାନ ପ୍ରଥମ ଟେଷ୍ଟରେ ଜଷ୍ଟିନଙ୍କ ବୋଲିଂ ପାକିସ୍ତାନର ମେରୁଦଣ୍ଡ ଭାଙ୍ଗି ଦେଇଛି । ଏହା ଟେଷ୍ଟ କ୍ରିକେଟରେ ଜଷ୍ଟିନଙ୍କର ପ୍ରଥମ ପାଞ୍ଚ ୱିକେଟ୍ ସଫଳତା । ମ୍ୟାଚ୍ ଏବେ ବି ଜାରି ରହିଛି ।
ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପ୍ରଥମ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚ୍ର ତୃତୀୟ ଦିନ ଇତିହାସ ସୃଷ୍ଟି କରିଛି । ୱେଷ୍ଟଇଣ୍ଡିଜ୍ ଦ୍ରୁତ ବୋଲର ଜଷ୍ଟିନ୍ ଗ୍ରେଭସ ଲଗାତାର ୫ ଓଭରରେ ଗୋଟିଏ ବି ରନ ନ ଦେଇ ୫ଟି ୱିକେଟ୍ ନେଇଥିଲେ। ଗ୍ରେଭସ ଇନିଂସର ୬୪ତମ ଓଭର ବୋଲିଂ କରିବାକୁ ଆସିଥିଲେ, ସେ ସେହି ଓଭରର ୫ଟି ବଲ୍ରେ କୌଣସି ରନ ଦେଇନଥିଲେ । ଶେଷ ବଲ୍ରେ ଗୋଟିଏ ୱିକେଟ୍ ନେଇଥିଲେ। ତା’ପରେ ସେ ୬୬ତମ ଓଭର ବୋଲିଂ କରିଥିଲେ, ଦ୍ୱିତୀୟ ବଲ୍ରେ ଗୋଟିଏ ୱିକେଟ୍ ନେଇଥିଲେ ଏବଂ ବାକି ବଲ୍ରେ କୌଣସି ରନ ଦେଇନଥିଲେ । ତା’ପରେ ସେ ୬୮ତମ ଓଭର ବୋଲିଂ କରିଥିଲେ, ତୃତୀୟ ବଲ୍ରେ ଗୋଟିଏ ୱିକେଟ୍ ନେଇଥିଲେ ଏବଂ କୌଣସି ରନ ଦେଇନଥିଲେ। ୭୦ତମ ଓଭରରେ ସେ ଚତୁର୍ଥ ବଲ୍ରେ ଗୋଟିଏ ୱିକେଟ୍ ନେଇଥିଲେ । ସମାନ ଭାବେ ୭୨ତମ ଓଭରରେ ସେ ଶେଷ ବଲ୍ରେ ଗୋଟିଏ ୱିକେଟ୍ ନେଇଥିଲେ ଏବଂ କୌଣସି ରନ ଦେଇନଥିଲେ । ଏହା ଏକ ଅନନ୍ୟ ରେକର୍ଡ ।
ଜଷ୍ଟିନଙ୍କ ଏହି ରେକର୍ଡ ଟେଷ୍ଟ କ୍ରିକେଟ୍ରେ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଏହି ସଫଳତା ପରେ ଗ୍ରେଭ୍ସ ସୋସିଆଲ ମିଡିଆ ସେନସେସନ୍ ପାଲଟିଛନ୍ତି । ଏହି ଇନିଂସ୍ରେ ମୋଟ ୧୧ ଓଭର ବୋଲିଂ କରିଥିଲେ, ଯେଉଁଥିରୁ ୬ଟି ମେଡେନ୍ ଥିଲା । ସେ ୨୭ ରନ୍ ଦେଇ ୫ଟି ୱିକେଟ୍ ନେଇଥିଲେ । ତାଙ୍କ ଶିକାର ହୋଇଥିଲେ ପାକିସ୍ତାନର ଶାନ୍ ମାସୁଦ, ମହମ୍ମଦ ରିଜୱାନ୍, ଆମିର ଜମାଲ୍, ଅଲି ଉସମାନ୍ ଏବଂ ଅବଦୁଲ୍ ଆବାସ୍ ।
ସୌଜନ୍ୟ ପ୍ରମେୟ




