Heavy Rain: ବର୍ଷାପାଣିରେ ଉବୁଟୁବୁ ପିମ୍ପୁଡ଼ିଆ ହାଟ
ସୁକିନ୍ଦା ବ୍ଲକ ପିମ୍ପୁଡ଼ିଆ ପଞ୍ଚାୟତର ମଙ୍ଗଳବାର ସାପ୍ତାହିକ ହାଟରେ ଆଜି ଉବୁଟୁବୁ ପରିସ୍ଥିତି। ସକାଳ ୮ ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ବସୁଥିବା ଏହି ହାଟରେ ଅପରାହ୍ଣ ସାଢ଼େ ୪ଟାରୁ ସଂଧ୍ୟା ସାଢ଼େ ୭ଟା ପର୍ଯ୍ୟନ୍ତ ଗ୍ରାହକଙ୍କ ଭିଡ଼ ରହିଥାଏ।

କାଳିଆପାଣି (ରବି ନାରାୟଣ କର): ସୁକିନ୍ଦା ବ୍ଲକ ପିମ୍ପୁଡ଼ିଆ ପଞ୍ଚାୟତର ମଙ୍ଗଳବାର ସାପ୍ତାହିକ ହାଟରେ ଆଜି ଉବୁଟୁବୁ ପରିସ୍ଥିତି। ସକାଳ ୮ ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ବସୁଥିବା ଏହି ହାଟରେ ଅପରାହ୍ଣ ସାଢ଼େ ୪ଟାରୁ ସଂଧ୍ୟା ସାଢ଼େ ୭ଟା ପର୍ଯ୍ୟନ୍ତ ଗ୍ରାହକଙ୍କ ଭିଡ଼ ରହିଥାଏ। ସୋମବାର ରାତିରୁ ଅବିଶ୍ରାନ୍ତ ବର୍ଷା ପାଇଁ ମଧ୍ୟାହ୍ଣରୁ ଏଠାରେ ଜଳାର୍ଣ୍ଣବ ପରିସ୍ଥିତି ଦେଖା ଯାଇଥିଲା। ପାଖାପାଖି ୫୦ ହଜାର ବର୍ଗଫୁଟ୍ର ପୂରା ହାଟ ପଡ଼ିଆରେ ଭଲରେ ଗୋଡ଼ ରଖିବାକୁ ଜାଗା ନଥିଲା।
କବାଟବନ୍ଧ, ଶଙ୍ଖଚିଲା, କୁଆଖିଆ, ବାରବାଟି, ଭୁବନ ଇଲାକାରୁ ଆସିଥିବା ବ୍ୟବସାୟୀ ପସରା ମେଲାଇବାକୁ ଜାଗା ନଥିଲା। ପନିପରିବା ବ୍ୟତୀତ ଅନ୍ୟ ସବୁ ବ୍ୟବସାୟ ମାନ୍ଦା ରହିଥିଲା। ସେ ଓ ଆଉ ଏକାଧିକ ଲୁଗା ବେପାରୀ ସେମାନଙ୍କ ଗଣ୍ଠିଲି ଖୋଲିବାକୁ ସୁଯୋଗ ପାଇନଥିବା ନେଇ ବ୍ୟବସାୟୀ ଅଭିମନ୍ୟୁ ସାହୁ ମନଊଣା କରି କହିଥିଲେ। ଜଳଖିଆ ଦୋକାନୀଙ୍କର ଅଧାଅଧି ଖାଦ୍ୟ ସାମଗ୍ରୀ ଅବିକ୍ରୟ ରହିଥିଲା। ଆଜି ସଂଧ୍ୟା ସାଢ଼େ ୬ଟା ସୁଦ୍ଧା ୧୦ ପ୍ରତିଶତ ବି ବ୍ୟବସାୟ ହୋଇନଥିବା କୁହାଯାଇଛି।
୨୦୨୨ ମସିହାରେ ଏହି ହାଟ ଶେଷଥର ପାଇଁ ବାର୍ଷିକ ୧ ଲକ୍ଷ ୯୦ ହଜାର ଟଙ୍କା ନିଲାମ ଡକା ଯାଇଥିଲା। ଏହାପର ବର୍ଷ ଠାରୁ ୧୦ ପ୍ରତିଶତ ବୃଦ୍ଧି ହାରରେ ନିଲାମର ମୂଳଦର ରହିଥିବା ପରିପ୍ରେକ୍ଷୀରେ ହାଟ ନିଲାମ ଡକା ଯାଉନଥିବା ସରପଞ୍ଚ ତପନ କୁମାର ନାୟକ କହନ୍ତି। ୨୦୨୦ ମସିହାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରେଙ୍ଗାଲି ବାମ କେନାଲ ପାର୍ଶ୍ବବର୍ତ୍ତୀ ହାଟ ପଡ଼ିଆ ତଳ ମୁଣ୍ଡରେ ନିର୍ମିତ ହ୍ୟୁମ୍ ପାଇପ୍ କଲଭର୍ଟର ପ୍ରବେଶ ପଥ ସଂକୀର୍ଣ୍ଣ ଥିବାରୁ ଜଳ ନିଷ୍କାସନ ସହଜ ହେଉନଥିବା ସେ ଅଭିଯୋଗ କରିଥିଲେ।
ସେହିପରି ହାଟ ପଡ଼ିଆ ଉପରମୁଣ୍ଡରେ ଥିବା ମହାଗିରି ପାହାଡ଼, ଚିଲିକାମାଟିଆ ବନ୍ଧ, ଦେହୁରୀସାହି ଝରଣାରୁ ପ୍ରବଳ ବେଗରେ ବର୍ଷାପାଣି ମାଡ଼ି ଆସୁଥିବାରୁ ଏଠାରେ ପ୍ରତିବର୍ଷ ବନ୍ୟା ପରିସ୍ଥିତି ଉପୁଜୁଥିବା ସରପଞ୍ଚ ଶ୍ରୀ ନାୟକ କହନ୍ତି। ଦ୍ବିତୀୟତଃ ଏହି ତଳିଆ ଅଞ୍ଚଳରେ ଲଗାଣ ଓ ମୂଷଳ ଧାରାରେ ବର୍ଷାର ପ୍ରଭାବ ରହୁଥିଲେ ହେଁ ତ୍ରୁଟିଯୁକ୍ତ ନିଷ୍କାସନ ବ୍ୟବସ୍ଥାକୁ ସେ ଦାୟୀ କରିଥିଲେ। ପ୍ରଶାସନ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରାଯାଇ ସମସ୍ୟା ସମାଧାନ ଦିଗରେ ସ୍ଥାୟୀ ପଦକ୍ଷେପ ନେବାକୁ ସରପଞ୍ଚ ଶ୍ରୀ ନାୟକ ଦାବି କରିଛନ୍ତି।
ସୌଜନ୍ୟ ସମ୍ବାଦ




