Gen-Z Workplace Language: ଅଫିସ୍ ମାହୋଲରେ ଦ୍ରୁତ ପରିବର୍ତ୍ତନ, ବରିଷ୍ଠ କର୍ମଚାରୀଙ୍କୁ ଚକିତ କରୁଛି ଜେନ୍-ଜିଙ୍କ ଭାଷା

ନୂଆଦିଲ୍ଲୀ ୨୯/୦୭: ଅଫିସ୍ ମାହୋଲରେ ଦ୍ରୁତ ପରିବର୍ତ୍ତନ ହେଉଛି । ଏଥିସହ ଏଠାରେ ବ୍ୟବହୃତ ଭାଷା ବି ବଦଳୁଛି । ଖାସ୍କରି ଜେନ୍-ଜି କର୍ମଚାରୀ ନିଜ କାମ କରିବାର ଶୈଳୀ ସହିତ ଏଭଳି ନୂଆ ଶବ୍ଦ ଆଣୁଛନ୍ତି, ଯାହା ଶୁଣି ଅନେକ ବରିଷ୍ଠ କର୍ମଚାରୀ ବି ଚକିତ ହେଉଛନ୍ତି । ମିଟିଂ, ଚାଟିଂ କିମ୍ବା କଫି ବ୍ରେକ୍ ସମୟରେ ବ୍ୟବହୃତ ଏହି ଶବ୍ଦ ଏବେ ଆଧୁନିକ ଅଫିସ୍ ସଂସ୍କୃତିର ଅଂଶ ହୋଇଛି । ଏହା କେବଳ ଟ୍ରେଣ୍ଡି ଶବ୍ଦ ନୁହେଁ, ନୂଆ ପିଢ଼ିର ଚିନ୍ତାଧାରର ପ୍ରତିଫଳନ ମଧ୍ୟ । କର୍ମ-ଜୀବନ ସନ୍ତୁଳନ (ୱର୍କ-ଲାଇଫ୍ ବାଲାନ୍ସ), ମାନସିକ ସ୍ୱାସ୍ଥ୍ୟ, ମାତ୍ରାଧିକ କାମଠୁ ଦୂରରେ ରହିବା ସହିତ ଅପେକ୍ଷାକୃତ ଭଲ ବୃତ୍ତିଗତ ଜୀବନ ଭଳି କଥାଗୁଡ଼ିକୁ ଜେନ୍-ଜି ଏଭଳି ଶବ୍ଦ ଜରିଆରେ ସହଜରେ ପ୍ରକାଶ କରୁଛନ୍ତି । ନିଜ କଥା କେମିତି ରହିବ, ବେଶ ଭଲ ଭାବେ ସେମାନେ ଜାଣନ୍ତି । ସେତିକି ନୁହେଁ, ଅଫିସ୍ର ସଂସ୍କୃତିକୁ କିଭଳି ପରିବର୍ତ୍ତନ କରାଯିବ, ସେଥିରେ ବି ସେମାନେ ଆଗରେ । ମୋଟାମୋଟି ସେମାନେ ନିଜ ସର୍ତ୍ତ ହିସାବରେ ହିଁ କାମ କରୁଛନ୍ତି । କେବଳ କାମକୁ ନୁହେଁ, ମାନସିକ ସ୍ୱାସ୍ଥ୍ୟକୁ ବି ପ୍ରାଥମିକତା ଦେଉଛନ୍ତି ।
ଆଜିର ଯୁବଗୋଷ୍ଠୀ କର୍ମସଂସ୍ଥାନରେ ବ୍ୟବହାର କରୁଥିବା ସବୁଠୁ ଚର୍ଚ୍ଚିତ ଶବ୍ଦ ମଧ୍ୟରେ ଅଛି ‘କ୍ୱାଇଟ୍ କ୍ୱିଟିଂ’ । ଏହାର ଅର୍ଥ ଚାକିରି ଛାଡ଼ିବା ନୁହେଁ, ବରଂ ଇସ୍ତଫା ବିନା ସେତିକି କାମ କରିବା, ଯେତିକି ଆବଶ୍ୟକ । ଅଧିକ କାମ କରିବା କିମ୍ବା ଅନାବଶ୍ୟକ ଓଭରଟାଇମ୍ କାମକୁ ସେମାନେ ସ୍ପଷ୍ଟ ମନା କରିଦେଉଛନ୍ତି ।
ଅଫିସ୍ରେ ମ୍ୟାନେଜର ଆପଣଙ୍କୁ କ୍ୟାବିନ୍କୁ ଡାକି ଗାଳି କରନ୍ତି । କିନ୍ତୁ ଜେନ୍-ଜି ଯେତେବେଳେ ଅଫିସ୍କୁ ନେଇ ବିରକ୍ତ ହୋଇଯାଉଛନ୍ତି, ଅନେକ କମ୍ପାନିକୁ ଚାକିରି ପାଇଁ ସିଭି ପଠାଉଛନ୍ତି । ଏହାକୁ ‘ରେଜ୍ ଆପ୍ଲାଇଂ’ କୁହାଯାଏ । ଏହା ସେମାନଙ୍କ କ୍ରୋଧ ପ୍ରକାଶ କରିବାର ମାର୍ଗ । ‘ଲାଉଡ୍ କ୍ୱିଟିଂ’ କ୍ୱାଇଟ୍ କ୍ୱିଟିଂଠୁ ସମ୍ପୂର୍ଣ୍ଣ ଭିନ୍ନ । ଏଥିରେ କର୍ମଚାରୀ ଚୁପ୍ଚାପ ଅଫିସ୍ରୁ ଚାଲିଯିବା ବଦଳରେ ସମସ୍ତଙ୍କ ସାମ୍ନାରେ ନିଜ ଅସନ୍ତୋଷ ଝାଡ଼ି ଚାକିରି ଛାଡୁଛନ୍ତି । ‘ବେୟର ମିନିମମ୍ ମଣ୍ଡେ’ର ଅର୍ଥ ସୋମବାର ନିଜ ଉପରେ ଅଧିକ ଚାପ ନ ପକାଇବା । କାମରୁ ବଞ୍ଚିବା ପାଇଁ ଏମାନେ କେବଳ ସେହି କାମ କରନ୍ତି, ଯାହା ଆବଶ୍ୟକ । ସେହିପରି ‘ଘୋଷ୍ଟିଂ ଦ ବସ୍’ର ଅର୍ଥ ଅଫିସ୍ ସମୟ ଶେଷ ହେବା ପରେ କିମ୍ବା ଛୁଟି ଦିନ ବସ୍ଙ୍କ ଫୋନ୍ କଲ୍ କିମ୍ବା ମେସେଜ୍ର ଜବାବ ନ ଦେବା ଏବଂ ନିଜର ବ୍ୟକ୍ତିଗତ ଜୀବନକୁ ସମୟ ଦେବା ।
ସୌଜନ୍ୟ ପ୍ରମେୟ




