Investigation: କମର୍ଦ୍ଦା, ହାତୀହୁଡ଼ିରେ ଖଣି ସୁରକ୍ଷା ଉପନିର୍ଦ୍ଦେଶକଙ୍କ ତଦନ୍ତ
ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ କଅଁସ ପଞ୍ଚାୟତର କମର୍ଦ୍ଦା ମୁଣ୍ଡାସାହି ଓ ହାତୀହୁଡ଼ି ଗ୍ରାମବାସୀ ଗାଁ ସଂଲଗ୍ନ ସାରୁଆବିଲ-କମର୍ଦ୍ଦା ଦ୍ବୈତ କ୍ରୋମାଇଟ୍ ଖଣି ଖନନ ପାଇଁ କଲବଲ ହେଉଥିବା ଅଭିଯୋଗ ହୋଇଆସିଛି।

କାଳିଆପାଣି (ରବି ନାରାୟଣ କର):ଯାଜପୁରଜିଲ୍ଲା ସୁକିନ୍ଦା ତହସିଲ କଅଁସ ପଞ୍ଚାୟତର କମର୍ଦ୍ଦା ମୁଣ୍ଡାସାହି ଓ ହାତୀହୁଡ଼ି ଗ୍ରାମବାସୀ ଗାଁ ସଂଲଗ୍ନ ସାରୁଆବିଲ-କମର୍ଦ୍ଦା ଦ୍ବୈତ କ୍ରୋମାଇଟ୍ ଖଣି ଖନନ ପାଇଁ କଲବଲ ହେଉଥିବା ଅଭିଯୋଗ ହୋଇଆସିଛି। ଖଣିରେ ବ୍ଲାଷ୍ଟିଂ ଜନିତ କମ୍ପନ ପାଇଁ କମର୍ଦ୍ଦା ମୁଣ୍ଡାସାହିରେ ସବୁ ବାସଗୃହ ପ୍ରଭାବିତ ହେଉଥିବା ସହ ଘରେଘରେ କାନ୍ଥ ଫାଟୁଥିବା ଓ ଛାତ ଦୁର୍ବଳ ହେଉଥିବା ଏବଂ ହାତୀହୁଡ଼ି ଗାଁର ଚାଷଜମିରେ ଖଣି ଡମ୍ପ୍ରୁ ନିର୍ଗତ ବିଷାକ୍ତ ବର୍ଷାଜଳ ଓ କାଦୁଅ ମାଟି ମାଡ଼ି ଯାଉଥିବା ପରିପ୍ରେକ୍ଷୀରେ ଖଣି ସୁରକ୍ଷା ମହାନିର୍ଦ୍ଦେଶାଳୟର ଉଦାସୀନତା ନେଇ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଗତ ୨୧ ତାରିଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।
ଭୁବନେଶ୍ବର ଖଣି ସୁରକ୍ଷା ନିର୍ଦ୍ଦେଶକ ଅବନୀଶ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଖଣି ସୁରକ୍ଷା ଉପନିର୍ଦ୍ଦେଶକ(ଡିଡିଏମ୍ଏସ୍) ନିଲ୍ଲୀପ ମଲ୍ଲିକ ଆଜି ଏହି ୨ ଗାଁରେ ପହଞ୍ଚି ଅଭିଯୋଗର ତଦନ୍ତ ଆଧାରରେ ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖଣି କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଗ୍ରାମବାସୀଙ୍କ ସହ ଖୋଲା ଆଲୋଚନା କରି ସମସ୍ୟା ସମାଧାନ ଉଦ୍ୟମ କରିଛନ୍ତି। ହାତୀହୁଡ଼ି ଗାଁ ମୁଖିଆ ଜୁମା ସାଲବନିଆ, କାଞ୍ଚନ ସାଲବନିଆ, କମର୍ଦ୍ଦା ଗାଁ ପ୍ରତିନିଧି ସନ୍ଦୀପ କୁମାର କିସ୍କୁ, ସୁମନ୍ତ ଦାସ ଓ ସନାତନ ଦାସ ପ୍ରମୁଖ ଖଣି ଖନନ ଜନିତ ବିଭିନ୍ନ ସମସ୍ୟା ଉଠାଇଥିଲେ। ଶେଷରେ ପ୍ରସଙ୍ଗକୁ ନେଇ ସାରୁଆବିଲ ଖଣିମୁଖ୍ୟଙ୍କ କାର୍ଯ୍ୟାଳୟରେ ଡିଡିଏମ୍ଏସ୍ ଶ୍ରୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ଦ୍ବିପାକ୍ଷିକ ସମାଧାନ ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ଖଣି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଖଣିମୁଖ୍ୟ ଇଂ ନବୀନ ଶ୍ରୀବାସ୍ତବ, ଖଣି ପ୍ରବନ୍ଧକ ଇଂ ପ୍ରିୟଦର୍ଶୀ ଶୁଭକାନ୍ତ ପାଢ଼ୀ, ଇଂ ଚିରଞ୍ଜୀବୀ ମଲ୍ଲିକ, ଇଂ ଦେବଦତ୍ତ ଦେ, ନିରଞ୍ଜନ କୁମାର, ପ୍ରଦ୍ୟୁମ୍ନ କୁମାର ବିଶ୍ବାଳ, କୁମାର ଶ୍ରୀତାବ ଓ ଲିପିକା ଶତପଥୀ, ସୁକିନ୍ଦା ରିଜିଅନ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ ଓ ଉପସଭାପତି ଆଶିଷ କୁମାର ଜେନା, ୨ ଗାଁର ପ୍ରତିନିଧି ଭାବେ ସନ୍ଦୀପ କିସ୍କୁ ଓ ସୁମନ୍ତ ଦାସ ଉପସ୍ଥିତ ରହି ଚୁକ୍ତିନାମାରେ ସ୍ବାକ୍ଷର କରିଥିଲେ। ଉଭୟ ଗାଁକୁ ବିସ୍ଥାପନ ଓ ଥଇଥାନ ଉଦ୍ୟମ ଆରମ୍ଭ ହୋଇଥିବା ଖଣି କର୍ତ୍ତୃପକ୍ଷ କହିଥିଲେ। ପୁନର୍ବାସ ଓ ଥଇଥାନ ପର୍ଯ୍ୟନ୍ତ ପ୍ରଭାବିତ ଗ୍ରାମବାସୀଙ୍କୁ ନିୟମିତ ପାନୀୟଜଳ ଯୋଗାଣ ଓ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ଖଣି କର୍ତ୍ତୃପକ୍ଷ ଲିଖିତ ପ୍ରତିଶ୍ରୁତି ଦେଇଥିଲେ।
ସୌଜନ୍ୟ ସମ୍ବାଦ




