Andhra election news: ସୀମାନ୍ତରେ ଆନ୍ଧ୍ର ନିର୍ବାଚନ ତାତି; ଗାଁ କାନ୍ଥରେ ଲାଗିଲା ପ୍ରାର୍ଥୀଙ୍କ ପୋଷ୍ଟର, ହଟାଇଲେ ସରପଞ୍ଚ

ନନ୍ଦପୁର,୨୮\୧୦: କୋରାପୁଟ ଜିଲ୍ଲା ସୀମାନ୍ତ ନନ୍ଦପୁର ବ୍ଲକ୍ରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । ନଭେମ୍ବର ୩ ତାରିଖରେ ଆନ୍ଧ୍ରରେ ହେବାକୁ ଥିବା ନିର୍ବାଚନ ପାଇଁ ସୀମାନ୍ତ ଗାଁ ଗୁଡ଼ିକରେ ପ୍ରାର୍ଥୀ ଓ ସମର୍ଥକଙ୍କ ପ୍ରଚାର ଆରମ୍ଭ ହୋଇଛି । ଦୁଇ ରାଜ୍ୟର ଭୋଟର ତାଲିକାରେ ନାଁ ଥିବା ଲୋକଙ୍କୁ ନିଜ ସପକ୍ଷରେ ଭୋଟ ଦେବାକୁ ପ୍ରାର୍ଥୀମାନେ ପ୍ରବର୍ତ୍ତାଉଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ଓଡ଼ିଶା ପ୍ରଶାସନ ସୀମାନ୍ତ ଅଞ୍ଚଳରେ ତତ୍ପରତା ବଢ଼ାଇଛି ।
ପାନ୍ଥଲୁଙ୍ଗ ପଞ୍ଚାୟତର ଜରାଇ ଓ ପ୍ରଧାନୀପୁଟ ଗ୍ରାମର କାନ୍ଥରେ ଆନ୍ଧ୍ରର ପ୍ରାର୍ଥୀଙ୍କ ନିର୍ବାଚନୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ସରପଞ୍ଚଙ୍କ ନିର୍ଦ୍ଦେଶରେ ପୋଷ୍ଟରଗୁଡ଼ିକୁ ହଟାଯାଇଛି । ଏଭଳି ପୋଷ୍ଟର ଲାଗିଥିବା ଖବରକୁ ତହସିଲଦାର ଦେବବ୍ରତ ମହାରଣା ଖଣ୍ଡନ କରିଛନ୍ତି । ଏହାକୁ ନେଇ ଅଞ୍ଚଳରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ସୀମାନ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କୁ ସଚେତନ କରିବା ପାଇଁ ବିଡିଓ ଦୁର୍ଗାପ୍ରସାଦ ଦୋରା, ତହସିଲଦାର ଦେବବ୍ରତ ମହାରଣା ଓ ପାଡୁଆ ଥାନାଧିକାରୀ ଟୁନା ପିଡ଼ିକା ପ୍ରମୁଖ ବ୍ଲକର ସୀମାନ୍ତ ଗ୍ରାମଗୁଡ଼ିକ ପରିଦର୍ଶନ କରିଥିଲେ । ଏହି ସମୟରେ ସେମାନେ ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ଓ ଲୋକଙ୍କୁ ମିଳୁଥିବା ସୁବିଧା ସମ୍ପର୍କରେ ବୁଝାଇଥିଲେ । ଏଥିସହ ଆନ୍ଧ୍ରରେ ହେବାକୁ ଥିବା ନିର୍ବାଚନରେ ଭାଗ ନନେବାକୁ ଲୋକଙ୍କୁ ବୁଝାଇଛନ୍ତି । ଓଡ଼ିଶା ସୀମା ମଧ୍ୟରେ ଆନ୍ଧ୍ରର କୌଣସି ନିର୍ବାଚନୀ ବୁଥ୍ ଯେପରି ଖୋଲା ନଯାଏ, ସେଥିପ୍ରତି ନଜର ରଖାଯାଇଥିବା ଅଧିକାରୀମାନେ କହିଛନ୍ତି ।
ସୌଜନ୍ୟ ପ୍ରମେୟ




