Bhopal Farmers Protest: ଭୋପାଳରେ ଟଳିଲା କୃଷକ ଆନ୍ଦୋଳନ, ମୁଗ କ୍ରୟ ଏବଂ ଇ-ଟୋକନ୍ ବ୍ୟବସ୍ଥା ପ୍ରତ୍ୟାହାର ନେଇ ସରକାରଙ୍କ ବଡ଼ ପ୍ରତିଶ୍ରୁତି !
ଚଳିତ ବର୍ଷ ମୁଗର ବ୍ୟାପକ ଉତ୍ପାଦନ ହୋଇଥିଲେ ମଧ୍ୟ ସରକାର ସୀମିତ ପରିମାଣରେ କ୍ରୟ କରୁଥିବାରୁ ଚାଷୀମାନେ ବାଧ୍ୟ ହୋଇ ବଜାରରେ କମ୍ ଦାମରେ ଫସଲ ବିକ୍ରି କରୁଥିଲେ । ସାର ବଣ୍ଟନ ପାଇଁ ଲାଗୁ ହୋଇଥିବା ଇ-ଟୋକନ୍ ପ୍ରଣାଳୀ ଯୋଗୁଁ ସମୟ ମିଳୁନଥିବା ଏବଂ ଚାଷ କାର୍ଯ୍ୟ ପ୍ରଭାବିତ ହେଉଥିବା ଅଭିଯୋଗ କରି ୧୯ଟି କୃଷକ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇଥିଲେ ।

ମଧ୍ୟପ୍ରଦେଶ, ୩୦।୭: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଗତ କିଛି ଦିନ ହେବ ଚାଲିଥିବା କୃଷକ ଆନ୍ଦୋଳନ ଆଜି ଶେଷ ହୋଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚା (SKM) ନେତୃତ୍ୱରେ ଆନ୍ଦୋଳନରତ କୃଷକମାନେ ସରକାରଙ୍କ ସହ ଆଲୋଚନା ପରେ ଧାରଣା ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି । ସରକାର ମୁଗର ସର୍ବନିମ୍ନ ସହାୟକ ମୂଲ୍ୟ (MSP)ରେ କ୍ରୟ ପରିମାଣ ବୃଦ୍ଧି କରିବା, ସାର ବଣ୍ଟନ ପାଇଁ ଥିବା ଇ-ଟୋକନ୍ ବ୍ୟବସ୍ଥାକୁ ତତକ୍ଷଣାତ୍ ପ୍ରତ୍ୟାହାର କରିବା ଏବଂ ଅନ୍ୟାନ୍ୟ ଦାବିଗୁଡ଼ିକ ଉପରେ ସକାରାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବା ପରେ କୃଷକମାନେ ଏହି ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ମୁଗର ବ୍ୟାପକ ଉତ୍ପାଦନ ହୋଇଥିଲେ ମଧ୍ୟ ସରକାର ସୀମିତ ପରିମାଣରେ କ୍ରୟ କରୁଥିବାରୁ ଚାଷୀମାନେ ବାଧ୍ୟ ହୋଇ ବଜାରରେ କମ୍ ଦାମରେ ଫସଲ ବିକ୍ରି କରୁଥିଲେ । ସାର ବଣ୍ଟନ ପାଇଁ ଲାଗୁ ହୋଇଥିବା ଇ-ଟୋକନ୍ ପ୍ରଣାଳୀ ଯୋଗୁଁ ସମୟ ମିଳୁନଥିବା ଏବଂ ଚାଷ କାର୍ଯ୍ୟ ପ୍ରଭାବିତ ହେଉଥିବା ଅଭିଯୋଗ କରି ୧୯ଟି କୃଷକ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇଥିଲେ ।
ସରକାରଙ୍କ ପ୍ରମୁଖ ପ୍ରତିଶ୍ରୁତି ଓ ନିଷ୍ପତ୍ତି:
୬୦ ପ୍ରତିଶତ ମୁଗ କ୍ରୟ: କୃଷକମାନଙ୍କର ପୂର୍ବରୁ କେବଳ ୨୫ ପ୍ରତିଶତ ଉତ୍ପାଦନ ଏମଏସପିରେ କିଣାଯାଉଥିବାବେଳେ, ବର୍ତ୍ତମାନ ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କ ୬୦ ପ୍ରତିଶତ ଉତ୍ପାଦନ କିଣାଯିବ ବୋଲି କୃଷି ମନ୍ତ୍ରୀ ଐଦଳ ସିଂ କଂସାନା ଘୋଷଣା କରିଛନ୍ତି ।
ତାରିଖ ବୃଦ୍ଧି: ସ୍ଲଟ୍ ବୁକିଂର ଶେଷ ତାରିଖ ଜୁଲାଇ ୩୦ରୁ ବଢ଼ାଇ ଅଗଷ୍ଟ ୧୦ ଏବଂ କ୍ରୟର ଶେଷ ତାରିଖ ଅଗଷ୍ଟ ୧୦ରୁ ବଢ଼ାଇ ଅଗଷ୍ଟ ୨୦ କରାଯାଇଛି ।
ଇ-ଟୋକନ୍ ବ୍ୟବସ୍ଥା ସ୍ଥଗିତ: ବ୍ୟାବହାରିକ ଅସୁବିଧାକୁ ଦୃଷ୍ଟିରେ ରଖି ସାର ବଣ୍ଟନର ଇ-ଟୋକନ୍ ସିଷ୍ଟମକୁ ତତକ୍ଷଣାତ୍ ପ୍ରଭାବରୁ ସ୍ଥଗିତ ରଖାଯାଇଛି । ଏକ ଉଚ୍ଚସ୍ତରୀୟ କମିଟି ଏହାର ସମୀକ୍ଷା କରିବ ।
ନର୍ମଦାପୁରମରୁ ପ୍ରାୟ ଦୁଇ ହଜାର ଚାଷୀ ରାସନ ଓ ତମ୍ବୁ ସହ ଜୁଲାଇ ୨୭ରେ ଭୋପାଳ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ । ଚାଷୀମାନେ ମଣ୍ଡିଦୀପ ଓ ଓବେଦୁଲ୍ଲାଗଞ୍ଜ ଦେଇ ଜୁଲାଇ ୨୮ରେ ଭୋପାଳ ସୀମାରେ ପହଞ୍ଚି ବୀର ସାଭରକର ସେତୁ ନିକଟରେ ଡେରା ପକାଇଥିଲେ । ରାସ୍ତାକଡ଼ରେ ରୋଷେଇ କରି ଚାଷୀମାନେ ଜୁଲାଇ ୨୯ରେ ପ୍ରଦର୍ଶନ ଜାରି ରଖିଥିଲେ ଏବଂ ମୁଖ୍ୟମନ୍ତ୍ରୀ ବାସଭବନ ଆଡ଼କୁ ମାର୍ଚ୍ଚ କରିବାକୁ ଚେଷ୍ଟା କରିଥିଲେ । ସରକାରଙ୍କ ସହ ଲମ୍ବା ଆଲୋଚନା ଏବଂ ଦାବିପୂରଣର ଭରସା ମିଳିବା ପରେ ଜୁଲାଇ ୩୦ରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ ଶେଷ ହୋଇଥିବା ନେଇ ଘୋଷଣା କରାଯାଇଛି ।
ସୌଜନ୍ୟ ପ୍ରମେୟ




