ଭୁବନେଶ୍ବର: ଡିଜିଟାଲ୍ ଯୁଗରେ ଆମ ଯୁବପିଢ଼ିଙ୍କୁ ବିପଥଗାମୀ କରିବାକୁ କିଛି ବାହ୍ୟ ଶକ୍ତି ଓ ଅଦୃଶ୍ୟ ଶତ୍ରୁ ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରୁଛନ୍ତି। ନିଶାଦ୍ରବ୍ୟ ଭଳି କୁପ୍ରଭାବରେ ସକ୍ରିୟ ରହିଛନ୍ତି। ସେହି ଅଦୃଶ୍ୟ କୁଚକ୍ରୀ ଶକ୍ତି କେବେ ହେଲେ ନିଜ ଉଦ୍ଦେଶ୍ୟରେ ସଫଳ ହେବେ ନାହିଁ। ସେମାନଙ୍କ ମାୟାଜାଲରେ ନପଡ଼ି ଦେଶଭକ୍ତିକୁ ପ୍ରାଥମିକତା ଦେବା ପାଇଁ ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ‘ଜେନ୍-ଜି’ ଓ ଯୁବସମାଜକୁ ଆହ୍ବାନ ଦେଇଛନ୍ତି।
ଭୁବନେଶ୍ୱରଠାରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୧୯୪୨ ଅଗଷ୍ଟ ୯ରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମଇଦାନରୁ ଆରମ୍ଭ ହୋଇଥିବା ‘ଭାରତ ଛାଡ଼’ ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମକୁ ନୂଆ ଦିଗଦର୍ଶନ ଦେଇଥିଲା। ଜାତୀୟ ପତାକା ‘ତ୍ରିରଙ୍ଗା’ କେବଳ ତିନିଟି ରଙ୍ଗର ସମାହାର ନୁହେଁ, ଏହା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ, ଗୌରବ ଓ ଆକାଂକ୍ଷାର ପ୍ରତୀକ। କେଶରୀ ରଙ୍ଗ ସାହସ ଓ ତ୍ୟାଗ, ଶ୍ୱେତ ରଙ୍ଗ ଶାନ୍ତି ଓ ସତ୍ୟ, ସବୁଜ ରଙ୍ଗ ସମୃଦ୍ଧି ଏବଂ ମଝିରେ ଥିବା ଅଶୋକଚକ୍ର ନିରନ୍ତର କର୍ତ୍ତବ୍ୟପଥରେ ଆଗେଇ ଚାଲିବାର ଶିକ୍ଷା ଦିଏ। ତେଣୁ ଅଗଷ୍ଟ ୯ରୁ ୧୭ ପର୍ଯ୍ୟନ୍ତ ପ୍ରତି ଗ୍ରାମ ପଞ୍ଚାୟତ, ସହର, ଘର, ବିଦ୍ୟାଳୟ ଓ କାର୍ଯ୍ୟାଳୟରେ ଗୌରବର ସହ ଜାତୀୟ ପତାକା ଉଡ଼ାଇବାକୁ ସେ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି। ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ-୨୦୪୭’ ସଂକଳ୍ପରେ ଓଡ଼ିଶାର ଭୂମିକା ସବୁଠାରୁ ନିର୍ଣ୍ଣାୟକ ହେବ। ରାଜ୍ୟର ଚାଷୀ, ଶ୍ରମିକ, ଯୁବକ ଓ ସ୍ୱାବଲମ୍ବୀ ମହିଳାଙ୍କ ଅବଦାନ ଯୋଗୁଁ ଓଡ଼ିଶା ଆଗାମୀ ଦିନରେ ଦେଶର ଆର୍ଥିକ ଓ ଶିଳ୍ପ ବିକାଶର ପ୍ରମୁଖ ଇଞ୍ଜିନ୍ ପାଲଟିବ। ଏହି ଜାତୀୟ ଉତ୍ସବକୁ ସମ୍ପୂର୍ଣ୍ଣ ପରିବେଶ-ଅନୁକୂଳ କରିବା ସହ ପ୍ଲାଷ୍ଟିକ୍ ପତାକାକୁ ସମ୍ପୂର୍ଣ୍ଣ ବର୍ଜନ କରି କପଡ଼ା ପତାକା ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
‘ଘରେ ଘରେ ତ୍ରିରଙ୍ଗା’ର ଶୁଭାରମ୍ଭ, ୧୭ ଯାଏଁ ଚାଲିବ
ଜାତୀୟ ପତାକା ଉଡ଼ାଇବାକୁ ଓଡ଼ିଶାବାସୀଙ୍କୁ ନିବେଦନ
ଏହି ଅବସରରେ ରାଜଧାନୀରେ ଏକ ପଦଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍କାଉଟ୍ସ ଆଣ୍ଡ ଗାଇଡ୍ସ, ଏନ୍ସିସି, ଏନ୍ଏସ୍ଏସ୍ର ସ୍ୱେଚ୍ଛାସେବୀ ତ୍ରିରଙ୍ଗା ଧରି ସାମିଲ ହୋଇଥିଲେ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଂସ୍କୃତିକ ଦଳ ପାରମ୍ପରିକ ଲୋକନୃତ୍ୟ ଓ କଳା ପ୍ରଦର୍ଶନ କରିଥିଲେ। ସମାରୋହରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ସୁରେଶ ପୂଜାରୀ, ବିଭୂତି ଭୂଷଣ ଜେନା, ନିତ୍ୟାନନ୍ଦ ଗଣ୍ଡ ଓ ସୂର୍ଯ୍ୟବଂଶୀ ସୂରଜ ମଞ୍ଚାସୀନ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବାବୁ ସିଂ, ଅଶୋକ ମହାନ୍ତି ଓ ଆଶ୍ରିତ ପଟ୍ଟନାୟକ, ବିଜେପି ରାଜ୍ୟ ସଙ୍ଗଠନର ସାଧାରଣ ସମ୍ପାଦକ ମାନସ ମହାନ୍ତି, ଓଡ଼ିଶା ରାଜ୍ୟ ପ୍ରଭାରୀ ବିଜୟପାଲ୍ ସିଂହ ତୋମାର ପ୍ରମୁଖ ଉପସ୍ଥିତ ଥିଲେ। କ୍ରୀଡ଼ାବିତ ପ୍ରମୋଦ ଭଗତ, ଅନୁପମା ସ୍ୱାଇଁ, ସୁନୀଲ ପ୍ରଧାନ, ରବି କୁମାର, କମଳାକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ଯୁବସମାଜ ମଧ୍ୟରେ ଦେଶପ୍ରେମ ଓ ଉତ୍ସାହ ଭରିଥିଲେ।
ସୌଜନ୍ୟ ସମ୍ବାଦ