ମହାନଗର

Stolen from builder’s house: ବିଲ୍ଡରଙ୍କ ଘରୁ ଦେଢ଼କୋଟି ଟଙ୍କାର ଗହଣା ଓ ଟଙ୍କା ଚୋରି ଘଟଣା: ଖସିଗଲା ଅନ୍ତଃରାଜ୍ୟ ଚୋର ମନୋଜ ସିଂହ

ଲକ୍ଷ୍ମୀସାଗରର ବୁଦ୍ଧନଗରରେ ରହୁଥିବା ବିଲ୍ଡର ପ୍ରୀତମ କୁମାର ଜେନାଙ୍କ ଘରୁ ପ୍ରାୟ ଦେଢ଼କୋଟି ଟଙ୍କାର ଗହଣା, ଟଙ୍କା ଓ ଦାମୀ ଜିନିଷ ଲୁଟ୍ ମାମଲାରେ କମିସନରେଟ୍ ପୁଲିସକୁ ଅଧା ଅଧୁରା ସଫଳତା ମିଳିଛି।

ଭୁବନେଶ୍ବର: ଲକ୍ଷ୍ମୀସାଗରର ବୁଦ୍ଧନଗରରେ ରହୁଥିବା ବିଲ୍ଡର ପ୍ରୀତମ କୁମାର ଜେନାଙ୍କ ଘରୁ ପ୍ରାୟ ଦେଢ଼କୋଟି ଟଙ୍କାର ଗହଣା, ଟଙ୍କା ଓ ଦାମୀ ଜିନିଷ ଲୁଟ୍ ମାମଲାରେ କମିସନରେଟ୍ ପୁଲିସକୁ ଅଧା ଅଧୁରା ସଫଳତା ମିଳିଛି। ପ୍ରାୟ ୧୧ଦିନର ତଦନ୍ତ ମଧ୍ୟରେ ୨ଟି ରାଜ୍ୟର ୫ରୁ ଅଧିକ ଜିଲ୍ଲା ବୁଲିବା ପରେ ଚୋରି ସାମଗ୍ରୀ ଜବତ କରିଛି। ଏହି ହାଇପ୍ରୋଫାଇଲ୍ ଚୋରିରେ ସଂପୃକ୍ତ ଅନ୍ତଃରାଜ୍ୟ ଅପରାଧୀ ମନୋଜ ସିଂ ଆନ୍ଧ୍ରପ୍ରଦେଶର ନିଲୋର ସହରରେ ଥିବା ଏକ ବିଳାସପୂର୍ଣ୍ଣ ହୋଟେଲ୍‌ରେ ଚଢ଼ଉ ପୂର୍ବରୁ ଫେରାର୍ ହୋଇଯାଇଥିଲା ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି।

୧୭% ଚୋରି ସାମଗ୍ରୀ ଧରି ଆନ୍ଧ୍ରପ୍ରଦେଶରୁ ଫେରିଲା ପୁଲିସ

ପୁଲିସ ସୂଚନା ଅନୁସାରେ, ଆନ୍ତଃରାଜ୍ୟ ଅପରାଧୀ ତଥା ହାଇପ୍ରୋଫାଇଲ୍ ଲୁଟେରା ମନୋଜ ସିଂର ହେଉଛି ଉତ୍ତରାଖଣ୍ଡର ବାସିନ୍ଦା। ସେ ୧୦ବର୍ଷରୁ ଅଧିକ ସମୟ ହେବ ବିଭିନ୍ନ ରାଜ୍ୟ ବୁଲିବୁଲି ବିଳାସପୂର୍ଣ୍ଣ ହୋଟେଲ୍‌ରେ ରୁହେ। ଆଉ ଆଖପାଖ ଅଞ୍ଚଳରେ ଥିବା ଦାମୀ ଓ ବିଳାସପୂର୍ଣ୍ଣ ଘରକୁ ଟାର୍ଗେଟ୍‌ କରେ। ଘରେ ରହୁଥିବା ଲୋକଙ୍କ ଚାଲିଚଳନକୁ ଅନୁଧ୍ୟାନ କରିବା ପରେ ନିଜ ସୁବିଧା ହିସାବରେ ଲୁଟ୍‌ପାଟ୍ କରେ। ଉଚ୍ଚକ୍ଷମତା ସଂପନ୍ନ କଟର୍ ଓ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରି କବାଟ ଭାଙ୍ଗି ଚୋରି କରେ। ଏହିକ୍ରମରେ ସେ ଗତ ଜୁଲାଇ ୩୦ତାରିଖ ରାତିରେ ଝାଡ଼ଖଣ୍ଡର ରାଞ୍ଚିରୁ ବସ୍‌ ଯୋଗେ ଭୁବନେଶ୍ବର ଆସିଥିଲା। ଏହା ପରେ ୩୧ତାରିଖ ଅର୍ଥାତ ବିଲ୍ଡରଙ୍କ ଘରୁ ଚୋରି ହେବା ଦିନ ପୁରୀ ବାଇପାସ୍ ରାସ୍ତାରେ ଥିବା ଏକ ବିଳାସପୂର୍ଣ୍ଣ ହୋଟେଲ୍‌ରେ ରହିଥିଲା। ପରେ ରାତି ପ୍ରାୟ ୯ଟା ପରେ ବିଲ୍ଡର ପ୍ରୀତମଙ୍କ ଘରେ ପଶି ଚୋରି କରିଥିଲା। ପରେ ସେହିଦିନ ହିଁ ଟ୍ୟାକ୍ସି କରି ହୋଟେଲ୍‌ରୁ ପୁରୀ ଓ ପରେ ବ୍ରହ୍ମପୁର ପଳାଇଥିଲା। ପରେ ସେଠୁ ବିଶାଖାପାଟଣାସ୍ଥିତ ଏକ ହୋଟେଲ୍‌ରେ ଯାଇ ରହିଥିଲା। ପୁଲିସ ତାକୁ ଖୋଜୁଥିବା ଜାଣିପାରି ଉକ୍ତ ହୋଟେଲ୍ ଛାଡ଼ି ନିଲୋର୍‌ସ୍ଥିତ ଏକ ତାରକା ହୋଟେଲ୍‌ରେ ଯାଇ ରହିଥିଲା। କମିସନରେଟ୍ ପୁଲିସର ଏକାଧିକ ଟିମ୍ ହୋଟେଲ୍ ଘେରଉ କରି ଚଢ଼ଉ କରିବା ପୂର୍ବରୁ ହିଁ ସମସ୍ତଙ୍କ ଆଖିରେ ଧୂଳି ଦେଇ ଚମ୍ପଟ୍ ମାରିଥିଲା। ଆଉ ପୁଲିସ ଯେତେବେଳେ ମନୋଜ ରହୁଥିବା ରୁମ୍‌ରେ ଚଢ଼ଉ କରିଥିଲା, ସେଠାରୁ କିଛି ଚୋରି ଗହଣା ଓ ତା’ର ଦୁଇଟି ମୋବାଇଲ୍ ଧରି ଫେରିଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button