Pushpa gang chief: ପୁଷ୍ପା ଗ୍ୟାଙ୍ଗର ମୁଖ୍ୟ ପି.ରାମଲୁ ସହ ୨ ଗିରଫ: କାର ସହ ମାରଣାସ୍ତ୍ର ଜବତ
କିଛି ମାସ ତଳେ ଭୁବନେଶ୍ବର ଗୌତମନଗର ସ୍ଥିତ ଏକ କଦଳୀ ଗୋଦାମରେ ଖଣ୍ଡାରେ ଆକ୍ରମଣ କରି ଆତଙ୍କ ଖେଳାଇଥିଲେ ପୁଷ୍ପା ଗ୍ୟାଙ୍ଗ। ତିନି ସହଯୋଗୀ ଆଦିତ୍ୟ, ପ୍ରତ୍ୟୁଷ ଓ ସଂଗ୍ରାମ ସହ ପତ୍ନୀ ଶ୍ରୀବଲ୍ଲିକୁ ବଡ଼ଗଡ଼ ପୁଲିସ ଗିରଫ କରିଥିଲା।

ସୋନପୁର: କିଛି ମାସ ତଳେ ଭୁବନେଶ୍ବର ଗୌତମନଗର ସ୍ଥିତ ଏକ କଦଳୀ ଗୋଦାମରେ ଖଣ୍ଡାରେ ଆକ୍ରମଣ କରି ଆତଙ୍କ ଖେଳାଇଥିଲେ ପୁଷ୍ପା ଗ୍ୟାଙ୍ଗ। ତିନି ସହଯୋଗୀ ଆଦିତ୍ୟ, ପ୍ରତ୍ୟୁଷ ଓ ସଂଗ୍ରାମ ସହ ପତ୍ନୀ ଶ୍ରୀବଲ୍ଲିକୁ ବଡ଼ଗଡ଼ ପୁଲିସ ଗିରଫ କରିଥିଲା। ପୁଷ୍ପା ଗ୍ୟାଙ୍ଗର ମୁଖ୍ୟ ପୁଷ୍ପା ଓରଫ ପି.ରାମଲୁ ଫେରାର ହୋଇଯାଇଥିଲା। କମିସନରେଟ ପୁଲିସର ୱାଣ୍ଡେଡ୍ ତାଲିକାରେ ଥିବା ପୁଷ୍ପାକୁ କାବୁ କରିଛି ସୁବର୍ଣ୍ଣପୁର ପୁଲିସ। ସାଙ୍ଗରେ ଅନ୍ୟ ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରିଛି। ଏନେଇ ଏସ୍ପି ନାରାୟଣ ନାୟକ ପୁଲିସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି।
ଜିଲ୍ଲାର ତରଭା ଥାନା ଶିବତୁଲା ଅଞ୍ଚଳରେ ଏକ ଧଳା ରଙ୍ଗର କାର(ଓଡି-୦୨-ଡିକେ-୬୩୭୩)ରେ କିଛି ସନ୍ଦିଗ୍ଧ ବ୍ୟକ୍ତି ମାରଣାସ୍ତ୍ର ସହ ରହିଥିବା ରବିବାର ଅପରାହ୍ଣ୍ରେ ପୁଲିସକୁ ସୂଚନା ମିଳିଥିଲା। ପୁଲିସ ଚଢ଼ଉ କରି ତିନିଜଣଙ୍କୁ ଧରି ପଚରାଉଚୁରା କରିଥିଲା। ଜାତୀୟ ରାଜପଥ-୫୭ର ଶିବତୁଲାରୁ ଖାରି ମଧ୍ୟରେ ଗାଡ଼ିଚାଳକ ଓ ପଥଚାରୀଙ୍କୁ ଲୁଟ୍ କରିବା ସେମାନଙ୍କ ଉଦ୍ଦେଶ୍ୟ ଥିଲା। ଅଭିଯୁକ୍ତମାନେ ହେଲେ ଭୁବନେଶ୍ବର ଧଉଳି ଥାନା ଶିଶୁପାଳଗଡ଼ର ପୁଷ୍ପା ଓରଫ ରାମଲୁ ରାଓ(୨୫), ଢେଙ୍କାନାଳ ଟାଉନ ଥାନା ବାଜିଚୌକିର ମୂଳବାସିନ୍ଦା ତଥା ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ବୁଦ୍ଧନଗରରେ ରହୁଥିବା ପ୍ରତ୍ୟୁଷ ପ୍ରିୟାଂଶୁ ନାଏକ(୨୦) ଓ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଶିବତୁଲା ଗ୍ରାମର ରାଜେଶ ଓରଫ ରାଜନ ନାଏକ(୨୪)। ରାଜେଶ ଭୁବନେଶ୍ବରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିଲା। ସେ ଏମାନଙ୍କୁ ଆଣି ଥିବା ସୂଚନା ମିଳିଛି।
ପି.ରାମଲୁ ବିରୋଧରେ ଭୁବନେଶ୍ବର ବିଭିନ୍ନ ଥାନାରେ ୧୫ରୁ ଅଧିକ ମାମଲା ରହିଛି। ପୁଷ୍ପା ଗ୍ୟାଙ୍ଗ ନାମରେ ଏକ ଅପରାଧୀ ଗୋଷ୍ଠୀ ପରିଚାଳନା କରୁଥିବା ଜଣାଯାଇଛି। ସେହିପରି ପ୍ରତ୍ୟୁଷ ନାଏକ ବିରୋଧରେ ମଧ୍ୟ ଭୁବନେଶ୍ବର ସହରାଞ୍ଚଳ ପୁଲିସ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଥିବା ଜଣାଯାଇଛି। ତଲାସି ବେଳେ କାର୍ରୁ ମିଳିଥିବା ଗୋଟିଏ ଲେଖାଏଁ ଭୁଜାଲି, ଛୁରି, ଲୁହା ପାଇପ୍, ଦୌଡ଼ି, ଲଙ୍କାଗୁଣ୍ଡ ପ୍ୟାକେଟ, ୩ଟି କଳା ମାସ୍କ, ଦୁଇଟି ଲାଠି ଜବତ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି କେ.କେ ହରି ପ୍ରସାଦ ଉପସ୍ଥିତ ଥିଲେ।
ସୌଜନ୍ୟ ସମ୍ବାଦ




