୬ ବଲ୍ରେ ୬ଟି ଛକା ମାରିଲେ ଆଲ୍ବର୍ଟ

ହୋଭ୍ : ୬ଟି ବଲ୍ରେ ୬ଟି ଛକା କ୍ରିକେଟ୍ ପଡ଼ିଆରେ ଅତ୍ୟନ୍ତ ବିରଳ ଦୃଶ୍ୟ। ତେବେ ରବିବାର ଇଂଲଣ୍ଡର କାଉଣ୍ଟି ଦଳ ହାମ୍ପ୍ସାୟରର ବ୍ୟାଟ୍ସମ୍ୟାନ ଟୋବି ଆଲ୍ବର୍ଟ ଏହି କୃତିତ୍ବ କରି ପାରିଛନ୍ତି। ଇଂଲଣ୍ଡର ଘରୋଇ ଦିନିକିଆ ଟୁର୍ଣ୍ଣାମେଣ୍ଟ ୱାନ୍ଡେ କପ୍ରେ ଆଲ୍ବର୍ଟ ସମ୍ମୁଖୀନ ହୋଇଥିବା ୬ଟି ବଲ୍ରୁ ୬ଟି ଛକା ମାରି ପାରିଛନ୍ତି। ସସେକ୍ସ ବିପକ୍ଷ ମ୍ୟାଚ୍େର ଟୋବି ଆଲ୍ବର୍ଟ ୬ଟି ବଲ୍ରୁ ୬ଟି ଛକାମାରି ଏହାକୁ କିମ୍ବଦନ୍ତୀ କ୍ରିକେଟର ସାର୍ ଗ୍ୟାର୍ଫିଲ୍ଡ ସୋବର୍ସଙ୍କୁ ଉତ୍ସର୍ଗ କରିଛନ୍ତି। ଗତ ମାସରେ ୱେଷ୍ଟଇଣ୍ଡିଜ୍ର ସୋବର୍ସଙ୍କ ଦେହାନ୍ତ ହୋଇଥିଲା। ବିଶ୍ବର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ସୋବର୍ସ ୬ଟି ବଲ୍ରୁ ୬ଟି ଛକା ମାରି ପାରିଥିଲେ। ତେବେ ସୋବର୍ସ ଏକ ଓଭରରେ ମାଲ୍କମ ନାଶ୍ଙ୍କୁ ୬ଟି ଛକା ମାରିଥିବା ବେଳେ ଆଲ୍ବର୍ଟ ୨ ଓଭରେର ଏହି କୃତିତ୍ବ ଅର୍ଜନ କରିଥିଲେ। ୪୩ତମ ଓଭରରେ ନାଣ୍ଟିସ୍ ଉସ୍ଥୁଇଜେନ୍ଙ୍କ ଶେଷ ୨ଟି ବଲ୍ରେ ଟୋବି ଆଲ୍ବର୍ଟ ଛକା ମାରିଥିଲେ। ଓଲି କର୍ଟଲି ୪୪ତମ ଓଭର ପକାଇଥିବା ବେଳେ ଆଲ୍ବର୍ଟ ଷ୍ଟ୍ରାଇକ୍ ପାଇବା ପରେ କ୍ରମାଗତ ୪ଟି ବଲ୍ରେ ଛକା ମାରିଥିଲେ। ୨୬ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିବା ଟୋବି ଆଲ୍ବର୍ଟ ୩୭ ବଲ୍ରୁ ୮ଟି ଛକା ଓ ୫ଟି ଚୌକା ସହ ୮୬ ରନ୍ କରିଥିଲେ। ତାଙ୍କ ପୂର୍ବରୁ ଓଲି ଓର୍ ଓ ବେନ୍ ମେୟର୍ସ ଶତକ ମାରିଥିଲେ। ଫଳରେ ହାମ୍ପ୍ସାୟର ୯ ୱିକେଟ୍ରେ ୩୮୩ ରନ୍ କରିଥିଲା। ପରେ ଚାର୍ଲି ଟିଅର୍ଙ୍କ ଶତକ ସତ୍ତ୍ବେ ସସେକ୍ସ ୩୩୨ ରନ୍କରି ଅଲ୍ଆଉଟ୍ ହୋଇ ୫୧ ରନ୍ରେ ପରାସ୍ତ ହୋଇଥିଲା।
ସୌଜନ୍ୟ ସମାଜ




