୨୦ ବର୍ଷରୁ କମ୍ ବିଶ୍ବ ଦୌଡ଼କୁଦ ସମ୍ପନ୍ନ ; ୩ଟି ପଦକ ସହ ଭାରତ ୨୭ତମ ସ୍ଥାନରେ

ୟୁଜିନି (ଆମେରିକା) : ରବିବାର ରାତିରେ ୨୦ ବର୍ଷରୁ କମ୍ ବିଶ୍ବ ଦୌଡ଼କୁଦ ଚମ୍ପିଆନ୍ସିପ୍ ଶେଷହୋଇଛି। ଏଥିରେ ଆମେରିକା ୧୨ ସ୍ବର୍ଣ୍ଣ ସହ ୧୮ଟି ପଦକ ଜିତି ପ୍ରଥମ, କେନିୟା ୪ଟି ସ୍ବର୍ଣ୍ଣ ସହ ୧୧ଟି ପଦକ ଜିତି ୨ୟ ଓ ୩ଟି ସ୍ବର୍ଣ୍ଣ ସହ ୫ଟି ପଦକ ଜିତି ଇଟାଲୀ ତୃତୀୟ ସ୍ଥାନ ଅଧିକାର କରିଛି। ରବିବାର ଶେଷଦିନରେ ମହିଳା ହାଇଜମ୍ପେର ଭାରତର ପୂଜା ସିଂହ ୧.୮୪ ମିଟର ଉଚ୍ଚତା ସହ ୭ମ ହୋଇଥିଲେ। ମହିଳା ୪ ଗୁଣା ୪୦୦ ମିଟର ରିଲେ ଫାଇନାଲରେ ଭାରତୀୟ ଦଳ ୩ ମିନିଟ ୪୫.୨୮ ସେକେଣ୍ଡ ସମୟ ନେଇ ୯ମ ସ୍ଥାନରେ ରହିଥିଲା। ୩ଟି ପଦକ ଜିତିଥିବା ଭାରତ ୨୭ତମ ସ୍ଥାନରେ ରହି ଅଭିଯାନ ଶେଷକରିଛି। ଭାରତ ପକ୍ଷରୁ ପୁରୁଷ ବିଭାଗ ଜାଭେଲିନ୍ରେ ଆଶିଷ କୁମାର ଯାଦବ ଓ ହାଇଜମ୍ପରେ ବସନ୍ତ କୁମାର ମେଘୱାଲ ୨ଟି ରୌପ୍ୟ ପଦକ ଜିତିଥିଲେ। ପୁରୁଷ ଲଙ୍ଗ୍ଜମ୍ପରେ ଭାରତର ସାହନୱାଜ୍ ଖାଁ କାଂସ୍ୟ ପଦକ ଜିତିଥିଲେ। ୨୦୧୬ରେ ନୀରଜ ଚୋପ୍ରାଙ୍କ ସ୍ବର୍ଣ୍ଣ ବିଜୟ ପରେ ଆଶିଷ ଜାଭେଲିନ୍ ଥ୍ରୋ’ରେ ଭାରତ ଲାଗି ୨ୟ ପଦକ ଜିତିଥିଲେ। ପୁରୁଷ ହାଇଜମ୍ପରେ ଭାରତକୁ ପ୍ରଥମ ପଦକ ଜିତାଇଥିଲେ ବସନ୍ତ।
ସୌଜନ୍ୟ ସମାଜ




