ରାଜ୍ୟ

AgriStack Odisha: ଏଗ୍ରିଷ୍ଟାକ୍‌ ପଞ୍ଜୀକରଣ ପ୍ରକ୍ରିୟା ମନ୍ଥର; ୨୦ ଜିଲ୍ଲାରେ ମାତ୍ର ୫୦%ରୁ କମ୍ ରେଜିଷ୍ଟ୍ରେସନ, ସରକାରଙ୍କୁ ଘେରିଲେ ବିରୋଧୀ

  • ସାନପୁରରେ ୨୭.୪%, ସୁନ୍ଦରଗଡ଼ରେ ୩୬.୯୫%, କେନ୍ଦ୍ରାପଡ଼ାରେ ୩୭.୭୫%
  • ଶେଷ ଚାଷୀ ଏଗ୍ରିଷ୍ଟାକ କାର୍ଡ କରିବା ପର୍ଯ୍ୟନ୍ତ ପ୍ରକ୍ରିୟା ଚାଲିବ: ରାଜସ୍ୱ ମନ୍ତ୍ରୀ
  • ଚାଷୀଙ୍କ ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର,୧୨|୦୮: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଚାଷୀଙ୍କର ଏଗ୍ରିଷ୍ଟାକ୍‌ ପଞ୍ଜୀକରଣ କର । ସେମାନଙ୍କ ଜମି ପଟ୍ଟା ସହିତ ଆଧାର କାର୍ଡ ସଂଯୋଗ କର । ଫଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ଚାଷୀମାନେ ସହଜରେ ପାଇପାରିବେ । ଚାଷୀଙ୍କ ପାଇଁ ରହୁଥିବା ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଅଣଚାଷୀମାନେ ନନେବା ପାଇଁ ଏହି ବ୍ୟବସ୍ଥା ହୋଇଥିବା ବେଳେ ପ୍ରକ୍ରିୟାରେ କିନ୍ତୁ ଦେଖାଦେଇଛି ମାନ୍ଦାବସ୍ଥା । ବିଶେଷ କରି ଭାଗଚାଷୀ ଓ କ୍ଷୁଦ୍ରଚାଷୀମାନେ ଜମି ପଟ୍ଟା ପାଉନଥିବାରୁ ଏଗ୍ରିଷ୍ଟାକ୍‌ ପଞ୍ଜୀକରଣ କରିପାରୁନାହାନ୍ତି । ସେଥିପାଇଁ ପଞ୍ଜୀକରଣରେ ଦେଖା ଦେଇଛି ମାନ୍ଦାବସ୍ଥା ।

ସାରା ରାଜ୍ୟରେ ୪୫ ଲକ୍ଷ ୮୪ ହଜାର ୪୫୫ଜଣ ଚାଷୀଙ୍କୁ ଏଗ୍ରିଷ୍ଟାକ୍‌ରେ ପଞ୍ଜୀକରଣ ପାଇଁ ଟାର୍ଗେଟ୍‌ ଥିବା ବେଳେ ମଙ୍ଗଳବାର (ଅଗଷ୍ଟ ୧୧) ସନ୍ଧ୍ୟା ୫ଟା ୩୩ ସୁଦ୍ଧା ମାତ୍ର ୨୧ ଲକ୍ଷ ୩୫ ହଜାର ୧୨୯ଜଣ ପଞ୍ଜୀକରଣ କରିଛନ୍ତି । ଟାର୍ଗେଟର ଅଧା ଚାଷୀ ବି ପଞ୍ଜୀକରଣ କରିପାରିନାହାନ୍ତି । ଏଗ୍ରିଷ୍ଟାକ୍‌ ପଞ୍ଜୀକରଣ ପ୍ରକ୍ରିୟାରେ ୨୦ ଜିଲ୍ଲାରେ ୫୦%ରୁ କମ୍ ପଞ୍ଜୀକରଣ କରିଛନ୍ତି । ସୋନପୁରରେ ମାତ୍ର ୨୭.୪% ଚାଷୀ ପଞ୍ଜୀକରଣ କରିଥିବା ବେଳେ ସୁନ୍ଦରଗଡ଼ରେ ୩୬.୯୫%, କେନ୍ଦ୍ରାପଡ଼ାରେ ୩୭.୭୫%, ବଲାଙ୍ଗିରରେ ୩୭.୮୮%, ପୁରୀରେ ୪୧.୯୮%, ମାଲକାନଗିରିରେ ୪୩.୪% ମୟୂରଭଞ୍ଜରେ ୪୩.୪୭%, ଯାଜପୁରରେ ୪୪.୨୧%, ଭଦ୍ରକରେ ୪୪.୪୩%, ଅନୁଗୁଳରେ ୪୪.୮୧%, ଖୋର୍ଦ୍ଧାରେ ୪୪.୯୪% ଓ ଗଞ୍ଜାମରେ ୪୫.୪୨% ଚାଷୀ ପଞ୍ଜୀକରଣ ହୋଇଛି । ଯାହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର ।

ଏବେ ଏଗ୍ରିଷ୍ଟାକ୍‌ ପଞ୍ଜୀକରଣର ଶେଷ ଦିବସ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି । ଯେ ପର୍ଯ୍ୟନ୍ତ ଶେଷ ଚାଷୀ ପଞ୍ଜୀକରଣ କରିନାହାନ୍ତି, ସେ ପର୍ଯ୍ୟନ୍ତ ଏଗ୍ରିଷ୍ଟାକ୍‌ ପଞ୍ଜୀକରଣ ଜାରି ରହିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ଏଗ୍ରିଷ୍ଟାକ୍‌ ସହିତ ଧାନ କିଣାର କୌଣସି ସମ୍ପର୍କ ନାହିଁ । ଏଗ୍ରିଷ୍ଟାକ୍‌ ପଞ୍ଜୀକରଣ କରିପାରିଲେ ସମସ୍ତ ସରକାରୀ ଯୋଜନା ହାସଲ କରିବାରେ ଅଧିକ ସହଜ ହେବ । ବିଶେଷ କରି ଏଗ୍ରିଷ୍ଟାକ କାର୍ଡ ଥିଲେ ସାର, ବିହନ, ପିଏମ୍‌ କିଷାନ, ସିଏମ୍‌ କିଷାନ ଭଳି ସୁବିଧା ଚାଷୀଙ୍କୁ ମିଳିବା ଅଧିକ ସହଜ ହେବ । ଚଳିତ ମାସ ୩୧ ତାରିଖ ଏଗ୍ରିଷ୍ଟାକ କାର୍ଡ ଜେନେରେସନ୍‌ର ଶେଷ ତାରିଖ ବୋଲି ଧରା ହୋଇଛି । କିନ୍ତୁ ଏହାର ଧାନ ପଞ୍ଜୀକରଣ ସହିତ କୌଣସି ସମ୍ପର୍କ ନାହିଁ । ଶେଷ ଚାଷୀର ଏଗ୍ରିଷ୍ଟାକ କାର୍ଡ ହେବା ପର୍ଯ୍ୟନ୍ତ ପ୍ରକ୍ରିୟା ଚାଲିବ । କାର୍ଡ କରିବା ପାଇଁ ତାରିଖକୁ ବୃଦ୍ଧି କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button