South Korea Beauty Hub: ଦକ୍ଷିଣ କୋରିଆ ପାଲଟିଛି ବିଶ୍ୱର ବିଉଟି ହବ୍, ଲୋକଙ୍କ ବିଚାରରୁ ପ୍ରସ୍ତୁତ ଉତ୍ପାଦକୁ ୩ ମାସରେ ବଜାରକୁ ଆଣୁଛନ୍ତି କମ୍ପାନି

ନୂଆଦିଲ୍ଲୀ ୧୨/୦୮: ମନେକରନ୍ତୁ, ଆପଣଙ୍କର ଏକ ପ୍ରସାଧାନ ଉତ୍ପାଦ ମାତ୍ର ୩ ମାସରେ ଲଞ୍ଚ ହେଉଛି । ଏଥିଲାଗି କାରଖାନା କିମ୍ବା ରିସର୍ଚ୍ଚ ଲ୍ୟାବ୍ର ଆବଶ୍ୟକ ହେଉନି । ଏହି ମଡେଲ ଏବେ ଦକ୍ଷିଣ କୋରିଆର ସୌନ୍ଦର୍ଯ୍ୟ ଉଦ୍ୟୋଗ (କେ-ବିଉଟି)କୁ ‘ଗ୍ଲୋବାଲ ପାୱାରହାଉସ୍’ କରିଛି । ଏହାର ବ୍ୟବସାୟ ଢାଞ୍ଚା ପ୍ରସିଦ୍ଧ ସେମିକଣ୍ଡକ୍ଟର କମ୍ପାନି ଟିଏସ୍ଏମ୍ସି ଭଳି । ଟିଏସ୍ଏମ୍ସି ଯେମିତି ଅନ୍ୟ (ଯଥା- ଆପଲ୍)ର ଡିଜାଇନ୍ ଉପରେ ଚିପ୍ ପ୍ରସ୍ତୁତ କରୁଛି, ଠିକ୍ ସେମିତି ଓଡିଏମ୍ (ଅରିଜିନାଲ ଡିଜାଇନ୍ ମ୍ୟାନୁଫ୍ୟାକ୍ଚରର) କମ୍ପାନି ନୂଆ ବ୍ରାଣ୍ଡର ବିଚାରକୁ ଉତ୍ପାଦରେ ରୂପାନ୍ତରିତ କରୁଛନ୍ତି ।
କୋଲମାର୍ କୋରିଆ ଓ କସ୍ମ୍ୟାକ୍ସ ଭଳି କମ୍ପାନି ଏହି ବ୍ୟବସାୟ ମଡେଲର କେନ୍ଦ୍ରରେ ଅଛନ୍ତି । ଏମାନେ ନିଜର କୌଣସି କଂଜୁମର ବ୍ରାଣ୍ଡ ବିକ୍ରି କରୁନାହାନ୍ତି । ଏମାନଙ୍କ କାମ ଅଧ୍ୟୟନ, ଉତ୍ପାଦ ବିକାଶ ଓ ନିର୍ମାଣ ମଧ୍ୟରେ ସୀମିତ । କୋଲମାର୍ ୨୦୨୪ରେ ଏଭଳି ଏକ ବ୍ୟବସ୍ଥା କଲା, ଯାହା ଜରିଆରେ ବିଚାରକୁ ଉତ୍ପାଦରେ ରୂପାନ୍ତର କରିବାର ସମୟ ୯-୧୨ ମାସରୁ ହ୍ରାସ ପାଇ କେବଳ ୩ ମାସ ହେଲା । ଏହା ପାଖରେ ସର୍ବଦା ୧୫୦ରୁ ଅଧିକ ସେମି- ଫିନିଶ୍ଡ ଉତ୍ପାଦର କ୍ୟାଟ୍ଲଗ୍ ଥାଏ, ଯାହା ଫଳରେ ନୂଆ ଉଦ୍ୟୋଗୀଙ୍କ ପାଇଁ ପ୍ରାରମ୍ଭିକ ନିବେଶ ଓ ବିପଦ କମିଯାଏ ।
ସୌଜନ୍ୟ ପ୍ରମେୟ




