Count Binface Election: ମୁଣ୍ଡରେ ଡଷ୍ଟବିନ୍ ପିନ୍ଧି ନିର୍ବାଚନ ଲଢୁଛନ୍ତି କମେଡିଆନ୍, ଚର୍ଚ୍ଚାରେ ‘ବିନ୍ଫେସ୍’

ନୂଆଦିଲ୍ଲୀ, ୧୨/୦୮: ବ୍ରିଟେନରେ ଏବେ ଜଣେ ଅଜବ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ମୁଣ୍ଡରେ ଡଷ୍ଟବିନ୍ ପିନ୍ଧି ନିର୍ବାଚନ ଲଢୁଛନ୍ତି ଜଣେ କମେଡିଆନ୍। ‘କାଉଣ୍ଟ ବିନ୍ଫେସ୍’ ନାମରେ ପରିଚିତ ଏହି ପ୍ରାର୍ଥୀ କ୍ଲାକ୍ଟନ୍ ଆସନର ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତାଙ୍କ ପ୍ରକୃତ ନାମ ଜନ୍ ହାର୍ଭି। ନିର୍ବାଚନ ପ୍ରଚାର ସମୟରେ ସେ ଡଷ୍ଟବିନ୍ ଦ୍ୱାରା ନିଜ ମୁହଁକୁ ସମ୍ପୂର୍ଣ୍ଣ ଢାଙ୍କି ରଖୁଛନ୍ତି। ନିଜକୁ ସେ ‘ଇଣ୍ଟରଗାଲାକ୍ଟିକ୍ ସ୍ପେସ୍ ୱାରିଅର’ ବୋଲି ପରିଚୟ ଦିଅନ୍ତି।
ବିନ୍ଫେସ୍ ପ୍ରାୟ ୧୦ ବର୍ଷ ଧରି ଏହି ଅନନ୍ୟ ଅନ୍ଦାଜରେ ବିଭିନ୍ନ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଆସୁଛନ୍ତି। ସେ ପୂର୍ବତନ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଓ ଋଷି ସୁନକଙ୍କ ବିରୋଧରେ ମଧ୍ୟ ନିର୍ବାଚନ ଲଢିଛନ୍ତି। ଏହାବ୍ୟତୀତ ଲଣ୍ଡନର ମେୟର ସାଦିକ୍ ଖାନ୍ଙ୍କ ବିରୋଧରେ ସେ ଦୁଇଥର ନିର୍ବାଚନ ଲଢିଥିଲେ। ତେବେ ଏହା ପୂର୍ବରୁ ସେ ‘ଲର୍ଡ ବକେଟ୍ହଡ୍’ ନାମରେ ନିର୍ବାଚନ ଲଢୁଥିଲେ। ପରେ କପିରାଇଟ୍ ବିବାଦ ଯୋଗୁଁ ସେ ‘ବିନ୍ଫେସ୍’ ନାମ ଗ୍ରହଣ କରିଥିଲେ।
ସୌଜନ୍ୟ ପ୍ରମେୟ




