ଦେଶ ବିଦେଶ

ଧୋଇଗଲା ସଂସଦର ମୌସୁମି ଅଧିବେଶନ, ବିରୋଧୀଙ୍କ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ: ଶାହା

ନୂଆଦିଲ୍ଲୀ: ସଂସଦରେ ଲାଗି ରହିଥିବା ଅଚଳାବସ୍ଥା ପାଇଁ ବିରୋଧୀ ଦଳଗୁଡିକୁ ଦାୟୀ କରିଛନ୍ତି ସରକାର। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ବିରୋଧୀଙ୍କ ସମସ୍ତ ଦାବି ଉପରେ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ମାତ୍ର ବିରୋଧୀ ଦଳ ଆଲୋଚନାରେ ଭାଗ ନେବାକୁ ଆସୁନାହାନ୍ତି। ନିଟ୍ ପ୍ରଶ୍ନପତ୍ର ଲିକ୍ ସମ୍ପର୍କିତ ଛାତ୍ର ଆନ୍ଦୋଳନ ବେଳେ ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ବିରୋଧୀ ଦଳ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିବୃତି ଦାବି କରିଛନ୍ତି। ବିରୋଧୀଙ୍କ ଏହି ଦାବି ଉପରେ ଜବାବ ଦେବାକୁ ସ୍ବରାଷ୍ଟ୍ର ମନ୍ତ୍ରୀ ପ୍ରସ୍ତୁତ ଅଛନ୍ତି। ମାତ୍ର ବିରୋଧୀ ଦଳର ସଦସ୍ୟମାନେ ଗୃହରେ ଉପସ୍ଥିତ ରହି ସରକାରଙ୍କ ଜବାବ ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। ରିଜିଜୁ କହିଛନ୍ତି ଯେ ବିରୋଧୀଙ୍କ ଉପସ୍ଥିତି ବିନା ସରକାର ଏକାକୀ ଗୃହରେ ନିଜର ବିବୃତି ବା ଉତ୍ତର ରଖିପାରିବେ ନାହିଁ। ବିରୋଧୀ କଂଗ୍ରେସକୁ ସମାଲୋଚନା କରି ରିଜିଜୁ କହିଛନ୍ତି ଯେ କଂଗ୍ରେସ ସାଂସଦମାନଙ୍କର କାମ ହେଉଛି ସ୍ଲୋଗାନ ଦେବା ଓ ପ୍ଲାକାର୍ଡ ପ୍ରଦର୍ଶନ କରିବା। ସେମାନେ ଭୁଲି ଯାଇଛନ୍ତି ଯେ ସଂସଦର ମୁଖ୍ୟ କାର୍ଯ୍ୟ ହେଲା ଆଲୋଚନା ଓ ବିତର୍କ। ସେ କହିଛନ୍ତି ଯେ ଆସନ୍ତାକାଲି ମୌସୁମି ଅଧିବେଶନର ଶେଷ ଦିନ। ତେଣୁ ଆଜି ଆମେ ନିବେଦନ କରୁଛୁ ବିରୋଧୀ ଦଳ ଆଲୋଚନା ପାଇଁ ଗୃହକୁ ଅାସନ୍ତୁ। ଛାତ୍ର ଆନ୍ଦୋଳନ ସହିତ ଅନ୍ୟାନ୍ୟ ପ୍ରସଙ୍ଗରେ ପର୍ଯ୍ୟାପ୍ତ ସମୟ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ରହିଛନ୍ତି। ଏପରି କି ଅଧିକ ସମୟ ଆଲୋଚନା ପାଇଁ ବିରୋଧୀ ଦଳ ଯଦି ଆବଶ୍ୟକ ମନେ କରିବେ ତେବେ ଅଧିବେଶନର ସମୟକୁ ବୃଦ୍ଧି କରାଯିବ ବୋଲି ରିଜିଜୁ କହିଛନ୍ତି।

ଅନ୍ୟପଟେ ଅମିତ ଶାହା କହିଛନ୍ତି ଯେ ମଁୁ ବିରୋଧୀଙ୍କ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଅଛି। ମାତ୍ର ବିରୋଧୀଙ୍କ ଉଦ୍ଦେଶ୍ୟ ଆଲୋଚନା ନୁହେଁ ହୋହଲ୍ଲା କରିବା। ସାଧାରଣ ଜନତା ଜାଣିବା ଦରକାର ଯେ, ସମସ୍ତ ପ୍ରସଙ୍ଗ ଉପରେ କିଏ ଆଲୋଚନା କରିବାକୁ ଚାହୁଁଛି ଓ କିଏ ପଳାୟନ କରୁଛି ? ମୋଦୀ ସରକାର ସଂସଦରେ ସମସ୍ତ ପ୍ରକାରର ଆଲୋଚନା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସେ ସଂସଦରେ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ କିନ୍ତୁ ବିରୋଧୀ ଦଳ କୌଣସି ଆଲୋଚନା କରିବାକୁ ଚାହୁଁନାହାନ୍ତି। ଶାହା ବିରୋଧୀ ଦଳକୁ କହିଛନ୍ତି ଯେ, ବିରୋଧୀ ଦଳ ବାଚସ୍ପତିଙ୍କୁ ପତ୍ର ଲେଖି ଆଲୋଚନା ପାଇଁ ନୋଟିସ୍‌ ଦେବା ଉଚିତ। କାରଣ ଗୃହରେ ପ୍ରତ୍ୟେକ ପ୍ରସଙ୍ଗର ଆଲୋଚନା ପାଇଁ ଏକ ନିୟମ ରହିଛି। ପ୍ରତ୍ୟେକ ଆଲୋଚନା ନିୟମ ଅନୁଯାୟୀ ହୋଇଥାଏ। ତେଣୁ ବିରୋଧୀ ଦଳ ଯେଉଁ ପ୍ରସଙ୍ଗରେ ଆଲୋଚନା ପାଇଁ ଚାହୁଁଛନ୍ତି ସେ ପ୍ରସଙ୍ଗରେ ବାଚସ୍ପତିକୁ ଲିଖିତ ନୋଟିସ୍‌ ଦେବା ଦରକାର। ବିରୋଧୀଙ୍କ ପ୍ରସଙ୍ଗ ଉପରେ ଆଲେଚନା ପାଇଁ ବାଚସ୍ପତି ଅନୁମତି ଦେଲେ ଏହା ଉପରେ ସବିଶେଷ ଆଲୋଚନା କରାଯିବ। ମାତ୍ର ବିରୋଧୀ ଦଳ ବାଚସ୍ପତିଙ୍କୁ ଆଲୋଚନା ପାଇଁ କୌଣସି ପ୍ରକାର ନୋଟିସ୍ ନ ଦେଇ ଗୃହକୁ ଅଚଳ କରିବା ଠିକ୍‌ ନୁହେଁ। ତେଣୁ ବିରୋଧୀ ଦଳ ସେମାନଙ୍କ ଦାବି ମୁତାବକ ବାଚସ୍ପତିଙ୍କୁ​‌ ନୋଟିସ୍ ଦିଅନ୍ତୁ ବୋଲି ଶାହା କହିଛନ୍ତି। ଏପରି କି ବୁଧବାର ଅପରାହ୍ଣ ୨ଟା ସୁଦ୍ଧା ବାଚସ୍ପତିଙ୍କୁ ନୋଟିସ ଦେବା ଲାଗି ସେ ବିରୋଧୀଙ୍କୁ କହିଛନ୍ତି। ନୋଟିସ୍ ଦିଆଗଲେ ଅପରାହ୍ଣ ୩ଟାରୁ ଆଲୋଚନା ଆରମ୍ଭ ହେବ। ଶାହା ଆହୁରି କହିଛନ୍ତି ଯେ, ଯଦି ବାଚସ୍ପତି ଅନୁମତି ଦିଅନ୍ତି ତେବେ ସରକାର ପ୍ରଶ୍ନକାଳକୁ ସ୍ଥଗିତ ରଖି ଆଲୋଚନା କରିବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ ସରକାରଙ୍କ ପାଖରେ ଲୁଚାଇବା ପାଇଁ କିଛି ନାହିଁ। ଆଲୋଚନା କରିବା ଦ୍ୱାରା ଦେଶର ଜନତାଙ୍କ ପାଖରେ ସବୁକିଛି ସ୍ପଷ୍ଟ ହୋଇଯିବ। ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍‌କୁ ନେଇ ଛାତ୍ର ଆନ୍ଦୋଳନ ବେଳେ ପୁଲିସର କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କ ଠାରୁ ଜବାବ ଲୋଡିଛନ୍ତି। ଏହା ସହିତ ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥ ହେରଫେର ଘଟଣା​‌ ଉପରେ ଆଲୋଚନା କରିବାକୁ ଦାବି କରିଛନ୍ତି। ଏହି ଦୁଇ ପ୍ରସଙ୍ଗକୁ ଆଧାର କରି ବିରୋଧୀ ଦଳ ସଂସଦକୁ ଅଚଳ କରିଛନ୍ତି।

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button