ରାଜ୍ୟ

ବାପାଙ୍କ ‘ଭାତହାଣ୍ଡି’ ସମ୍ଭାଳିଛନ୍ତି ପ୍ରିୟବ୍ରତ ; ୨୦ ଏକରରେ ସୁନା ଫଳାଉଛନ୍ତି, ଚାଷରୁ ସମାଜସେବା

ଝୁମ୍ପୁରାର ୫୪ ବର୍ଷୀୟ ପ୍ରିୟବ୍ରତ ବେହେରା ବାପାଙ୍କ କୃଷି ପରମ୍ପରାକୁ ଆଗେଇ ନେଇ ଜଣେ ସଫଳ ଚାଷୀ ଭାବେ ଉଦାହରଣ ସୃଷ୍ଟି କରିଛନ୍ତି। ପ୍ରାୟ ୨୦ ଏକରରେ ଧାନ, ୬ ଏକରରେ ସୋରିଷ, ୪ ଏକର ପୋଖରୀରେ ମାଛ ଚାଷ ସହ ଆମ୍ବ, ନଡ଼ିଆ, କଦଳୀ ଓ ବିଭିନ୍ନ ପନିପରିବା ଚାଷ କରୁଛନ୍ତି। ଆଧୁନିକ କୃଷି ପ୍ରଣାଳୀ ଆପଣାଇ ଚଳିତ ଖରିଫରେ ୫୦୦ କ୍ୱିଣ୍ଟାଲ ଧାନ ଅମଳର ଲକ୍ଷ୍ୟ ରଖିଛନ୍ତି।

ଝୁମ୍ପୁରା,୧୩/୦୮: ଆଜିର ସମୟରେ କର୍ମସଂସ୍ଥାନ ନାଁରେ ଯୁବସମାଜ ଯେତେବେଳେ ସହର ମୁହାଁ ହେଉଛନ୍ତି ଏବଂ କୃଷି କ୍ଷେତ୍ରରୁ ଦୂରେଇ ଯାଉଛନ୍ତି, ସେତେବେଳେ ନିଜ ମାଟିକୁ ଆପଣାଇ ଜଣେ ସଫଳ ଚାଷୀ ଭାବେ ଉଦାହରଣ ସୃଷ୍ଟି କରିଛନ୍ତି ଝୁମ୍ପୁରାର ୫୪ ବର୍ଷୀୟ ପ୍ରିୟବ୍ରତ ବେହେରା । ତାଙ୍କ ବାପା ଚନ୍ଦ୍ରଶେଖର ବେହେରା ରାଜ୍ୟର ଦ୍ୱିତୀୟ ଅଧିକ ଧାନ ଉତ୍ପାଦନକାରୀ ଭାବେ ୧୯୯୭ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଠାରୁ ପୁରସ୍କାର ପାଇଥିବାବେଳେ ବାପାଙ୍କ ପଦାନୁସରଣ କରି ସେ ନିଜର ନିଷ୍ଠା, ପରିଶ୍ରମ ଓ ବୈଜ୍ଞାନିକ ପ୍ରଣାଳୀ ବଳରେ କୃଷି କ୍ଷେତ୍ରରେ ଏକ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି । ବ୍ୟାପକ ଜମିରେ ଧାନ, ସୋରିଷ ଚାଷ ସହିତ ଫାର୍ମ ହାଉସରେ ନଡ଼ିଆ, ଆମ୍ବ ଏବଂ ମାଛ ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ପ୍ରିୟବ୍ରତ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚାଷରୁ ରୋଜଗାର କରି ଅସହାୟ, ଗରିବ ଲୋକଙ୍କ ଦୁଃଖ, ଦୁର୍ଦ୍ଦଶା ସମୟରେ ଖର୍ଚ୍ଚ କରୁଥିବାବେଳେ ନିଜ ପାଇଁ ନୁହେଁ, ବରଂ ଅନ୍ୟ ଶ୍ରମିକ ଓ ବେକାର ଯୁବକଙ୍କ ପାଇଁ ସେ ଆଜି ସାଜିଛନ୍ତି ଆଶାର ଆଲୋକବର୍ତ୍ତିକା । ପ୍ରିୟବ୍ରତଙ୍କ ବାପା ଜଣେ ନିଷ୍ଠାପର କୃଷକ ଥିଲେ । ଧାନ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ସରକାରୀ ସ୍ତରରେ ପୁରସ୍କୃତ ମଧ୍ୟ ହୋଇଥିଲେ ।

ଗ୍ରାଜୁଏସନ୍ ପଢିଥିବା ପ୍ରିୟବ୍ରତ ୧୨ ବର୍ଷ ବୟସରୁ ହିଁ ବାପାଙ୍କ ପଦ ଅନୁସରଣ କରିଥିଲେ । ବିଲରେ ହଳ କରିବା ଠାରୁ ଆରମ୍ଭ କରି ବିଭିନ୍ନ କୃଷି କାର୍ଯ୍ୟ ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା । ତେବେ ବର୍ତ୍ତମାନ ବାପାଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି କୃଷି ପରମ୍ପରା ଏବଂ “ଭାତହାଣ୍ଡି’କୁ ସମ୍ଭାଳିବାର ସମ୍ପୂର୍ଣ୍ଣ ଦାୟିତ୍ୱ ପ୍ରିୟବ୍ରତ ନିଜ କାନ୍ଧକୁ ନେଇଛନ୍ତି । ପ୍ରତିବର୍ଷ ପାଖାପାଖି ୨୦ ଏକର ଜମିରେ ଧାନ ଚାଷ କରିବା ସହିତ ୬ ଏକର ରୁ ଅଧିକ ଜମିରେ ସୋରିଷ ଚାଷ କରୁଛନ୍ତି ପ୍ରିୟବ୍ରତ । ପ୍ରତିକୂଳ ପରିବେଶ ଥିଲେ ବି ଦୂରଦୃଷ୍ଟି ଓ ସଠିକ୍ ପରିଚାଳନା ଯୋଗୁଁ ଆଜି ତାଙ୍କର ୨୦ ଏକର ଧାନ କ୍ଷେତ ସବୁଜିମାରେ ହସୁଛି । ସେ ପାରମ୍ପରିକ ଚାଷ ପଦ୍ଧତି ବଦଳରେ ଆଧୁନିକ କୃଷି ଜ୍ଞାନକୌଶଳ ଓ ସ୍ୱତନ୍ତ୍ର ଯନ୍ତ୍ରପାତି ବ୍ୟବହାର କରୁଛନ୍ତି । ଏହି ଉନ୍ନତ ଚାଷ ପ୍ରଣାଳୀ ଯୋଗୁଁ ଚଳିତ ଖରିଫ ଋତୁରେ ସେ ୫୦୦ କ୍ୱିଣ୍ଟାଲ ଧାନ ଅମଳ କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ପ୍ରିୟବ୍ରତ । ଧାନ ସାଙ୍ଗକୁ ସେ ବ୍ୟାପକ ଭାବେ ସୋରିଷ ଚାଷ କରି ମାଟିର ଉର୍ବରତା ବୃଦ୍ଧି ସହ ଅତିରିକ୍ତ ରୋଜଗାରକ୍ଷମ ହୋଇ ପାରିଛନ୍ତି । ପ୍ରତିବର୍ଷ ୬ ଏକର ପାଖାପାଖି ଜମିରେ ସୋରିଷ ଚାଷ କରି ୩୦ ରୁ ୩୫ କ୍ୱିଣ୍ଟାଲ ସୋରିଷ ଅମଳ କରୁଥିବାବେଳେ ତାଙ୍କ ପରିବାର ଖାଇବାତେଲ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିଥିବା ପ୍ରକାଶ କରିଛନ୍ତି ।

କେବଳ ଶସ୍ୟ ଚାଷରେ ସୀମିତ ନରହି ପ୍ରିୟବ୍ରତ ନିଜ ଜମିକୁ ଏକ ଆଦର୍ଶ ବହୁମୁଖୀ କୃଷି ଫାର୍ମରେ ପରିଣତ କରିଛନ୍ତି । ସେ ୪ ଏକର ପରିମିତ ପୋଖରୀରେ ମାଛ ଚାଷ କରୁଛନ୍ତି । ବିଭିନ୍ନ ପ୍ରକାରର ଋତୁକାଳୀନ ପନିପରିବା ଚାଷ କରୁଛନ୍ତି । ଏହାଦ୍ୱାରା ବର୍ଷସାରା ନିଜ ରୋଷେଇ ଘର ପାଇଁ ପରିବା ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇପାରିଛି । ଏକ ସୁନ୍ଦର ଫାର୍ମହାଉସ୍ ଗଢ଼ି ତୋଳିବା ସହ ସେଥିରେ ଆଧୁନିକ କିସମର ଥାଇଲାଣ୍ଡ କୋଳି ଏବଂ ଉନ୍ନତ ମାନର କଦଳୀ ଗଛ ରୋପଣ କରି ଅତିରିକ୍ତ ଲାଭାନ୍ୱିତ ହେଉଛନ୍ତି । ଏହା ସହିତ ସେ ୨୦୦ ଫଳନ୍ତି ନଡ଼ିଆ ଗଛ ଏବଂ ୪୦୦ ଆମ୍ବ ଗଛର ନିୟମିତ ସୁପରିଚାଳନା ଓ ଯତ୍ନ ନେଉଛନ୍ତି । ଚାଷ ତାଙ୍କ ପାଇଁ ଆତ୍ମସନ୍ତୋଷ ପ୍ରଦାନ କରୁଛି ବୋଲି ପ୍ରିୟବ୍ରତ କହିଥିବାବେଳେ “ଚାଷରୁ ମିଳୁଥିବା ଆୟରୁ ସେ ନିଜ ସଂସାର ଚଳାଇବା ସହ ସାମାଜିକ କାର୍ଯ୍ୟ କରନ୍ତି ବୋଲି କହିଛନ୍ତି । ତାଙ୍କ ଦୁଇ ପୁଅ ମଧ୍ୟରୁ ଜଣଙ୍କୁ ଡାକ୍ତର ଏବଂ ଅନ୍ୟ ଜଣଙ୍କୁ ବୈଜ୍ଞାନିକ କରିବାର ସ୍ୱପ୍ନ ରହିଥିବା ସେ ପ୍ରକାଶ କରିଛନ୍ତି । ସେ ଗ୍ରାମାଞ୍ଚଳର ୩୦ ଜଣ ଶ୍ରମିକଙ୍କୁ ବର୍ଷ ତମାମ ରୋଜଗାର ଯୋଗାଇ ଦେଇଛନ୍ତି । ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ଡମ୍ବରୁଧର ଦାଶ ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button