Sea Erosion ; ସମୁଦ୍ର ଆଁରେ ୪୫ ତଟବର୍ତ୍ତୀ ଅଞ୍ଚଳ,୨୮ ବର୍ଷରେ ବିଲୀନ ହେଲାଣି ଜିଲ୍ଲାର ୨୬ ଗାଁ
କୂଳ ଲଂଘୁଛି ସମୁଦ୍ର । ଭାସିଯାଉଛି ଭିଟାମାଟି । ସଙ୍କଟରେ ପଡ଼ିଛି ଜୀବନ ଜୀବିକା । ଆଖି ଆଗରେ ଭାସିଯାଉଛି ଗାଁ, ରାସ୍ତା, ମନ୍ଦିର, ପିଢ଼ିପିଢ଼ିର ସ୍ମୃତି । ସମୁଦ୍ର କୂଳ ଲଂଘିବା ଦ୍ୱାରା ମତ୍ସ୍ୟଜୀବୀଙ୍କ ଉପରେ ମଧ୍ୟ ପ୍ରଭାବ ପଡୁଛି । କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ଯାଇଥିବା ୧୪୯.୩୬ କିଲୋମିଟର ବ୍ୟାପୀ ତଟବର୍ତ୍ତୀ ଅଞ୍ଚଳରୁ ୪୫% ଅଞ୍ଚଳ ଏବେ ସମୁଦ୍ରର ଆଁକୁ ଗଲାଣି ।

କେନ୍ଦ୍ରାପଡ଼ା,୧୩/୮: କୂଳ ଲଂଘୁଛି ସମୁଦ୍ର । ଭାସିଯାଉଛି ଭିଟାମାଟି । ସଙ୍କଟରେ ପଡ଼ିଛି ଜୀବନ ଜୀବିକା । ଆଖି ଆଗରେ ଭାସିଯାଉଛି ଗାଁ, ରାସ୍ତା, ମନ୍ଦିର, ପିଢ଼ିପିଢ଼ିର ସ୍ମୃତି । ସମୁଦ୍ର କୂଳ ଲଂଘିବା ଦ୍ୱାରା ମତ୍ସ୍ୟଜୀବୀଙ୍କ ଉପରେ ମଧ୍ୟ ପ୍ରଭାବ ପଡୁଛି । କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ଯାଇଥିବା ୧୪୯.୩୬ କିଲୋମିଟର ବ୍ୟାପୀ ତଟବର୍ତ୍ତୀ ଅଞ୍ଚଳରୁ ୪୫% ଅଞ୍ଚଳ ଏବେ ସମୁଦ୍ରର ଆଁକୁ ଗଲାଣି । ୧୬.୮% ଅଞ୍ଚଳ ପୂର୍ବବତ୍ ସ୍ଥିର ଥିବା ବେଳେ ୩୮.୯% ଅଞ୍ଚଳରେ ବେଳାଭୂମି ବଢ଼ି ଗ୍ରାସ କରୁଥିବା କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନ୍ୱାଲ ସୂଚନା ଦେଇଛନ୍ତି । ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଯାଇ ମନ୍ତ୍ରୀ ସଂସଦରେ ଏହି ତଥ୍ୟ ରଖିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୨୮ ବର୍ଷ ଅର୍ଥାତ୍ ୧୯୯୦ରୁ ୨୦୧୮ ମସିହା ମଧ୍ୟରେ ଅଧିକ କୋପ ଦେଖାଇଛି ସମୁଦ୍ର । ଏହି ସମୟରେ ୬ ଉପକୂଳବର୍ତ୍ତୀ ଜିଲ୍ଲାର ଗାଁ ସମୁଦ୍ରରେ ବିଲୀନ ହୋଇ ସାରିଛି ।
ଇତିମଧ୍ୟରେ କେନ୍ଦ୍ରାପଡ଼ାର ୨୬, ଗଞ୍ଜାମର ୧୪ ଓ ପୁରୀର ୬ ଗାଁ ସମୁଦ୍ରରେ ବିଲୀନ ହୋଇ ସାରିଥିବା ଜଣାଯାଇଛି । କେବଳ କେନ୍ଦ୍ରାପଡ଼ା ନୁହେଁ, ପୁରୀ ଦେଇ ଯାଇଥିବା ୧୩୮.୧୬ କିଲୋମିଟର ତଟବର୍ତ୍ତୀ ଅଞ୍ଚଳରୁ ୧୦.୨% ଅବକ୍ଷୟର ଶିକାର ହୋଇଥିବା ବେଳେ ୧୧.୫% ଅଞ୍ଚଳ ସ୍ଥିର ଓ ୭୮.୩% ଅଭିବୃଦ୍ଧି ଅପେକ୍ଷାରେ ଅଛି । ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ୮୮.୨୩ କିଲୋମିଟର ଅଞ୍ଚଳରୁ ୨୩.୮% ସମୁଦ୍ର ଗର୍ଭରେ ଲୀନ ହୋଇଥିବା ବେଳେ ୨୨.୩% ସ୍ଥିର ରହିଛି ଓ ୫୪% ଅଂଶରେ ବେଳାଭୂମି ବୃଦ୍ଧି ପାଉଛି । ଭଦ୍ରକ ଓ ଗଞ୍ଜାମରେ ମଧ୍ୟ ଅନୁରୂପ ତଟ କ୍ଷୟ ହୋଇ ଚାଲିଛି । ଭଦ୍ରକ ଜିଲ୍ଲା ଦେଇ ୭୨.୩୬ କିଲୋମିଟର ବ୍ୟାପୀ ତଟରେଖା ଯାଇଥିବା ବେଳେ ୪.୬% ଅଞ୍ଚଳ ସମୁଦ୍ର ଆଁରେ ଗଲାଣି ଏବଂ ୧୯.୬% ସ୍ଥିର ରହିଛି ଓ ୭୫.୮ ପ୍ରତିଶତ ଅଞ୍ଚଳରେ ବିସ୍ତାର କରିବାର ଆଶା ରହିଛି । ଗଞ୍ଜାମ ଜିଲ୍ଲାରେ ୬୦.୧୮ କିଲୋମିଟର ଅଞ୍ଚଳ ମଧ୍ୟରୁ ୪୫.୭% ଅଞ୍ଚଳକୁ ସମୁଦ୍ର ଗ୍ରାସ କରିସାରିଲାଣି । ଏଠାରେ ୨୭.୭% ସ୍ଥିର ଥିବା ବେଳେ ୨୬.୬% ଅଞ୍ଚଳରେ ତଟବର୍ତ୍ତୀ ଅଞ୍ଚଳ ବୃଦ୍ଧି ପାଉଛି । ଓଡ଼ିଶା ଦେଇ ଯାଇଥିବା ମୋଟ୍ ୫୬୪.୧୪ କିଲୋମିଟର ବ୍ୟାପୀ ତଟବର୍ତ୍ତୀ ଅଞ୍ଚଳ ମଧ୍ୟରୁ ୨୮.୩% ସମୁଦ୍ର ମଧ୍ୟକୁ ଚାଲିଗଲାଣି । ଅବଶିଷ୍ଟ ୧୭.୬% ସ୍ଥିର ରହିଛି ଓ ୫୪.୧% ଅଞ୍ଚଳରେ ବେଳାଭୂମି ବଢ଼ିବା ଆଶଙ୍କା ରହିଛି ।
ଜାତୀୟ ଉପକୂଳ ଗବେଷଣା କେନ୍ଦ୍ର ଓଡ଼ିଶା ଉପକୂଳରେ ଅନେକ ସ୍ଥାନରେ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରିଛି । ଯେଉଁଠାରେ ବର୍ଷବର୍ଷ ଧରି ସମୁଦ୍ର କ୍ଷୟ ହୋଇଚାଲିଛି । ଏହା ଭିତରେ କେନ୍ଦ୍ରାପଡ଼ା ଜିଲ୍ଲାର ହେଟାମୁଣ୍ଡିଆ, ହୁକିଟୋଲା, ପେ ଣ୍ଠ-ସାତଭାୟା, ସାତଭାୟାଗହୀରମଥା ଆଦି ଅଞ୍ଚଳ ରହିଛି । ରାଜନଗର ବ୍ଲକ୍ର ସମୁଦ୍ର ଉପକୂଳବର୍ତ୍ତୀ ଗ୍ରାମକୁ ସମୁଦ୍ର ଜୁଆରରୁ ସୁରକ୍ଷା ପାଇଁ ପେଣ୍ଠକୁ ଲାଗି ଥିବା ସୁନ୍ଦରପାଳ, ଗୋବର୍ଦ୍ଧନପୁର, ଓଲସାହି, ପ୍ରହରାଜପୁର, ପ୍ରସନ୍ନପୁର, ଖଣ୍ଡମରା ଆଦି ଗ୍ରାମ ସମେତ ଆଖପାଖ ୫୬ଟି ଗ୍ରାମର ପ୍ରାୟ ୫୦ ହଜାର ଲୋକ ସମୁଦ୍ର ପ୍ରକୋପରୁ ବର୍ତ୍ତିବା ପାଇଁ ପେଣ୍ଠ ବେଳାଭୂମିଠାରେ ଜିଓ ସିନ୍ଥେଟିକ ୱାଲ୍ ନିର୍ମାଣ କରାଯାଇଥିଲା । ହେଲେ ଗତବର୍ଷ ସାମୁଦ୍ରିକ ବାତ୍ୟା ମୋନ୍ଥା ଆସିବା ଆଗରୁ ଜୁଆର ମାଡ଼ରେ ଏହା ଦବି ଯାଇଥିଲା । ଏହି ୱାଲ୍ ସ୍ଥାନୀୟ ବାସିନ୍ଦାଙ୍କୁ ସୁରକ୍ଷା ଦେବା ବଦଳରେ ବର୍ତ୍ତମାନ ସମୁଦ୍ର ଗର୍ଭରେ ବିଲୀନ ହେବାକୁ ବସିଲାଣି । ପେଣ୍ଠ ବେଳାଭୂମିର ମୋଟ ୬୭୫ ମିଟର ବ୍ୟାପୀ ଅଞ୍ଚଳରେ ପଥର ପ୍ୟାକିଂ କରାଯାଇଥିଲା । ୩୨ କୋଟି ଟଙ୍କା ବ୍ୟୟରେ ଜିଓ ସିନ୍ଥେଟିକ ୱାଲ୍ ଉପକୂଳବାସୀଙ୍କ ଧନଜୀବନ ସୁରକ୍ଷିତ ରଖିପାରିବ ବୋଲି ଆଶା ଥିଲା । ତେବେ ସିନ୍ଥେଟିକ୍ ୱାଲ୍ ଦବିବା ଫଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି ।
ସୌଜନ୍ୟ ପ୍ରମେୟ




