ଜାତୀୟ

କାହାର ଟେନ୍‌ସନ ବଢ଼ାଇବେ ସୋନମ ୱାଙ୍ଗଚୁକ? କଲେ ବଡ଼ ଘୋଷଣା, ଦେଶରେ ଚହଳ

ନୂଆଦିଲ୍ଲୀ,୧୪।୮: ସ୍ବାଧୀନତା ଦିବସ ପୂର୍ବରୁ ବୈଜ୍ଞାନିକ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସୋସିଆଲ ମିଡିଆରେ ଏକ ଭିଡିଓ ଲେୟାର କରିଛନ୍ତି। ଏହି ଭିଡିଓରେ ସେ ଦେଶର ଭବିଷ୍ୟତକୁ ନେଇ ଏକ ବଡ଼ ବାର୍ତ୍ତା ଦେଇଛନ୍ତି। ଦେଶରେ ନେତା ଚୟନ କରିବାର ପ୍ରଣାଳୀରେ ପରିବର୍ତ୍ତନ ଆଣିବା ପାଇଁ ସେ ଭାରତର ଦ୍ୱିତୀୟ ସ୍ବାଧୀନତା ଆନ୍ଦୋଳନର ଆହୱାନ କରିଛନ୍ତି। ସେ ନାଗରିକମାନଙ୍କୁ ଏପରି ନିଃସ୍ବାର୍ଥ ଏବଂ ନିର୍ଭୀକ ଲୋକଙ୍କ ନାମ ପ୍ରସ୍ତାବ କରିବାକୁ କହିଛନ୍ତି, ଯେଉଁମାନଙ୍କର ଭଲ ଚରିତ୍ର ଓ ଦକ୍ଷତା ରହିଛି।

ସୋନମ ୱାଙ୍ଗଚୁକ ଭିଡିଓଟି ଶେୟାର କରି ଲେଖିଛନ୍ତି ଦେଶକୁ ଏକ ଶାନ୍ତିପୂର୍ଣ୍ଣ ପରିବର୍ତ୍ତନର ଆବଶ୍ୟକତା ରହିଛି। ଅତି କମ୍ରେ, ଆମେ କିପରି ଆମର ନେତାମାନଙ୍କୁ ଚୟନ କରୁଛୁ, ସେହି ପ୍ରଣାଳୀରେ ପରିବର୍ତ୍ତନ ଆବଶ୍ୟକ। ଯାହାଦ୍ୱାରା ୨୦୪୭ ସୁଦ୍ଧା ଆମେ ଏକ ସମ୍ମାନିତ ରାଷ୍ଟ୍ର ଭାବେ ରହିପାରିବୁ। ଆମର ପ୍ରାୟ ଅଧା ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ଏବଂ ଏକ-ତୃତୀୟାଂଶ ସାଂସଦଙ୍କ ବିରୋଧରେ ହତ୍ୟା, ବଳାତ୍କାର ଓ ଅପହରଣ ଭଳି ଗୁରୁତର ଅଭିଯୋଗ ରହିଛି। ଏଭଳି ପରିସ୍ଥିତିରେ ଜନସାଧାରଣ ଓ ଶାସନ ବ୍ୟବସ୍ଥା ମଧ୍ୟରେ ଭରସା ଭାଙ୍ଗିଯିବା ସ୍ବାଭାବିକ।

ସୋନମ କହିଛନ୍ତି, ମୁଁ ଦେଶର ବିଭିନ୍ନ ସ୍ଥାନରେ ଥିବା ସେହି ଶ୍ରେଷ୍ଠ ଏବଂ ନିର୍ଭୀକ ଲୋକମାନଙ୍କ ସହ ଯୋଡ଼ି ହେବାକୁ ଚାହୁଁଛି, ଯେଉଁମାନେ ଚରିତ୍ର ଓ ଉଦ୍ଦେଶ୍ୟ ଦୃଷ୍ଟିରୁ ଦୃଢ଼। ଯାହାଦ୍ୱାରା ଆମେ ମିଳିତ ଭାବେ ଏହି ପରିସ୍ଥିତିର ସୁଧାର କିପରି କରାଯାଇପାରିବ, ସେନେଇ ଆଲୋଚନା କରିପାରିବା। ଦୂର ଲଦାଖରେ ବସିଥିବାରୁ ମୁଁ ଜାଣିପାରୁନାହିଁ ଯେ ସେହି ଲୋକମାନେ କେଉଁଠାରେ ଅଛନ୍ତି। ଆପଣ ନିଜ ଅଞ୍ଚଳ କିମ୍ବା ଦେଶରୁ ଏଭଳି ଅତି କମ୍ରେ ଜଣେ ବ୍ୟକ୍ତିଙ୍କ ନାମ ପ୍ରସ୍ତାବ କରିପାରିବେ କି? ଆସନ୍ତୁ, ଆମେ ସମସ୍ତେ ମିଳି ଭାରତର ଦ୍ୱିତୀୟ ସ୍ବାଧୀନତା ଆନ୍ଦୋଳନର ଆରମ୍ଭ କରିବା।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button