Fish: ଇନ୍ଦ୍ରଦ୍ୟୁମ୍ନରେ ମାଛ ମଡ଼କ: ପରୀକ୍ଷା ପାଇଁ ‘ସିଫା’କୁ ଗଲା ନମୁନା, ସ୍ଥିତି ନିରୀକ୍ଷଣ କଲେ ମତ୍ସ୍ୟ ଅଧିକାରୀ
ଶ୍ବେତଗଙ୍ଗା ପରେ ଇନ୍ଦ୍ରଦ୍ୟୁମ୍ନରେ ମାଛ ମଡ଼କ। ଲକ୍ଷଲକ୍ଷ ପର୍ଯ୍ୟଟକ ବର୍ଷସାରା ଯେଉଁ ପାଣିକୁ ତୀର୍ଥଜଳ ବୋଲି ସିଞ୍ଚି ହେଉଛନ୍ତି, ସ୍ନାନ କରୁଛନ୍ତି ସେ ପାଣି ମାଛଙ୍କ ପାଇଁ ଅସୁରକ୍ଷିତ। ସପ୍ତାହେ ହେଲା ମହାନ୍ତିସାହି କୋଣରେ କିଛି ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି।

ପୁରୀ: ଶ୍ବେତଗଙ୍ଗା ପରେ ଇନ୍ଦ୍ରଦ୍ୟୁମ୍ନରେ ମାଛ ମଡ଼କ। ଲକ୍ଷଲକ୍ଷ ପର୍ଯ୍ୟଟକ ବର୍ଷସାରା ଯେଉଁ ପାଣିକୁ ତୀର୍ଥଜଳ ବୋଲି ସିଞ୍ଚି ହେଉଛନ୍ତି, ସ୍ନାନ କରୁଛନ୍ତି ସେ ପାଣି ମାଛଙ୍କ ପାଇଁ ଅସୁରକ୍ଷିତ। ସପ୍ତାହେ ହେଲା ମହାନ୍ତିସାହି କୋଣରେ କିଛି ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ତୀର୍ଥ ଜଳରାଶି ଯେ ପ୍ରଦୂଷିତ, ତାହା ପୁଳାପୁଳା ମାଛ ମରି ଭାସିବା ପରେ ସ୍ପଷ୍ଟ ହୋଇଛି। ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟ ପକ୍ଷରୁ ଅଧିକାରୀମାନେ ଯାଇ ମାଛର ନମୁନା ସଂଗ୍ରହ କରି ସିଫା (ସେଣ୍ଟ୍ରାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ ଫ୍ରେସୱାଟର୍ ଆକ୍ବାକଲ୍ଚର)କୁ ପଠାଇଛନ୍ତି। ରିପୋର୍ଟ ଆସିବା ପରେ ମାଛ ମଡ଼କର କାରଣ ସ୍ପଷ୍ଟ ହେବ। ମାଛମାନେ କୌଣସି ରୋଗ ଯୋଗୁଁ ମରୁଛନ୍ତି, ନା ପାଣିର ମାନ ମାଛଙ୍କ ପାଇଁ ବିପଦ ସାଜିଛି, ତାହା ଏବେ ବଡ଼ ପ୍ରଶ୍ନ। ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପାରିପାର୍ଶ୍ବିକ ବିକାଶ ହେଲା ସତ, କିନ୍ତୁ ପାଣିର ବିଶୋଧନ ପାଇଁ ପଦକ୍ଷେପ ନିଆଯାଇ ନାହିଁ। ଫଳରେ ଏହି ତୀର୍ଥ ସରୋବରର ପାଣିରେ ନୀଳ ଆସ୍ତରଣ ଜମିଗଲାଣି। କିଛିମାସ ତଳେ ଶ୍ବେତଗଙ୍ଗାରେ ମଧ୍ୟ ସମାନ ଅବସ୍ଥା ଉପୁଜିଥିଲା। ଶ୍ବେତଗଙ୍ଗା ପୁଷ୍କରିଣୀରେ ଅମ୍ଳଜାନ ପରିମାଣ ହ୍ରାସ ମାଛ ମରିବାର ପ୍ରମୁଖ କାରଣ ବୋଲି ଜଣାପଡ଼ିଥିଲା। ଏହାବ୍ୟତୀତ ପୁଷ୍କରିଣୀର ଜଳରାଶିରେ ନାଇଟ୍ରୋଜେନ୍ ଓ ଡିଜଲ୍ଭ ଫସଫେଟ୍ ଆବଶ୍ୟକତାଠାରୁ ଅଧିକ ରହିଥିବା ସ୍ପଷ୍ଟ ହୋଇଥିଲା।
ସୌଜନ୍ୟ ସମ୍ବାଦ




