କିଏ ଦଖଲ କରିବ ପଞ୍ଚାୟତ? ତିନି ଦଳର ଜୋରଦାର୍ କସରତ, ଜେନ୍- ଜିଙ୍କୁ ମନେଇବାକୁ ସରକାରୀ ଦଳର ପ୍ରୟାସ

ଭୁବନେଶ୍ୱର,୦୫/୧୦: ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏ ନେଇ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ସବୁ ରାଜ୍ୟ ରାଜନୀତି ବେଶ୍ ସରଗରମ ହୋଇପଡ଼ିଛି । ପଞ୍ଚାୟତ ନିର୍ବାଚନରେ ବାଜିମାତ୍ କରିବାକୁ ଶାସକ ବିଜେପିଠୁ ଆରମ୍ଭ କରି ମୁଖ୍ୟ ବିରୋଧୀ ଦଳ ବିଜେଡି ଓ ଜାତୀୟ ଦଳ କଂଗ୍ରେସ ଜୋରଦାର କସରତ ଆରମ୍ଭ କରିଛନ୍ତି । ଯେମିତି ହେଉ ନିର୍ବାଚନ ଜିତିବାକୁ ଏବେଠୁ ରଣନୀତି ପ୍ରସ୍ତୁତ କରିବାରେ ମାତିଲେଣି । କିଏ ଶୋଭାଯାତ୍ରା କଲାଣି ତ କିଏ ସମାବେଶ । କେଉଁ ଦଳ ଅଧିକ ପଞ୍ଚାୟତ ଦଖଲ କରିବ, ସେ ନେଇ ପ୍ରତିଦିନ ଘନ ଘନ ବୈଠକ କରିବା ସହିତ ତର୍ଜମା ଆରମ୍ଭ କଲେଣି । ଦଳୀୟ କାର୍ଯ୍ୟାଳୟଗୁଡ଼ିକରେ ଏବେଠୁ ଗହଳି ଦେଖିବାକୁ ମିଳିଲାଣି ।
ଦ୍ୱିତୀୟ ଥର ବିଜେପି ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତ ହୋଇଥିବା ଡି.ପୁରନ୍ଦେଶ୍ୱରୀ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟଗଣ ଓ ଦଳର କର୍ମୀମାନଙ୍କୁ ଭେଟିଛନ୍ତି । ଦଳକୁ ଆଗକୁ କେମିତି ମଜଭୁତ କରାଯିବ ସେ ନେଇ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି । ତାଙ୍କ ଗସ୍ତ ବେଳେ ରାଜ୍ୟ ବିଜେପି ପଞ୍ଚାୟତ ନିର୍ବାଚନ ଜିତିବାକୁ ଖସଡ଼ା ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ବର୍ତ୍ତମାନ ଦଳର ନେତାଙ୍କ ମନୋଭାବ କିପରି ରହିଛି ତା’ ଉପରେ ପ୍ରଭାରୀ ଆଲୋଚନା କରିଥିବା କହିଛନ୍ତି । ଦଳ କେମିତି ଆଗକୁ ଯିବ ତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିବା ପୁରନ୍ଦେଶ୍ୱରୀ କହିଛନ୍ତି ।
ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ସବୁବେଳେ ପ୍ରସ୍ତୁତ । କାରଣ ଆମ ଦଳ ସବୁବେଳେ ଗ୍ରାଉଣ୍ଡରେ ରହେ । ଲୋକଙ୍କ ସେବାରେ ଆମେ ଅଛୁ । ପଞ୍ଚାୟତ ନିର୍ବାଚନ ଆସିଲେ ସବୁ ସ୍ପଷ୍ଟ ହେବ । ବିଜେପିର ପ୍ରଭାରୀ ବୈଠକରେ ସହଜ ସ୍ଥିତି ନ ଥିବା କହିଛନ୍ତି ଶ୍ରୀ ଦାସ । ବିଜେପି ନିଜେ ଆତଙ୍କିତ ଅଛି । ଜେନ୍-ଜି କାହା ସପକ୍ଷରେ ଅଛନ୍ତି ବିଜେପିକୁ ବୁଝେଇବାକୁ ପଡ଼ିବନି । ଜେନ୍-ଜିଙ୍କୁ ମନେଇବା ଚେଷ୍ଟା କାମ ଦେବନି ବୋଲି ସେ କହିଛନ୍ତି ।
ସୌଜନ୍ୟ ପ୍ରମେୟ



