Kangana: ଇଶା କୋପିକରଙ୍କ ‘ଅନ୍ଧଭକ୍ତ’ ମନ୍ତବ୍ୟକୁ କଙ୍ଗନାଙ୍କ ସମର୍ଥନ, ଦେଶ ପ୍ରତି ଭକ୍ତି ହିଁ ପ୍ରକୃତ ଦେଶପ୍ରେମ କହିଲେ କଙ୍ଗନା
ଅଭିନେତ୍ରୀ ଇଶା କୋପିକରଙ୍କ ‘ଅନ୍ଧଭକ୍ତ’ ମନ୍ତବ୍ୟକୁ ସମର୍ଥନ କରିଛନ୍ତି ବଲିଉଡ୍ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାୱତ। ଦେଶପ୍ରେମର ଅର୍ଥ କେବଳ ଦେଶଠାରୁ କ’ଣ ମିଳିଛି ବୋଲି ପଚାରିବା ନୁହେଁ, ବରଂ ଦେଶର ଉନ୍ନତି ପାଇଁ ନିଜେ କ’ଣ ଅବଦାନ ଦେଇପାରିବା, ତାହା ଚିନ୍ତା କରିବା ବୋଲି ସେ କହିଥିଲେ।

ମୁମ୍ବାଇ: ଅଭିନେତ୍ରୀ ଇଶା କୋପିକରଙ୍କ ‘ଅନ୍ଧଭକ୍ତ’ ମନ୍ତବ୍ୟକୁ ସମର୍ଥନ କରିଛନ୍ତି ବଲିଉଡ୍ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାୱତ। ଇଶାଙ୍କ ଇନ୍ଷ୍ଟାଗ୍ରାମ୍ ଭିଡିଓକୁ ନିଜ ଷ୍ଟୋରିରେ ସେୟାର କରି କଙ୍ଗନା କହିଛନ୍ତି ଯେ, ଦେଶ ପ୍ରତି ଭକ୍ତିକୁ କୌଣସି ରାଜନୈତିକ ଦଳ ପ୍ରତି ଅନ୍ଧ ସମର୍ଥନ ସହ ଯୋଡ଼ାଯିବା ଉଚିତ ନୁହେଁ। ଇଶା କୋପିକର ନିଜ ଭିଡିଓରେ ‘ଅନ୍ଧଭକ୍ତ’ ଶବ୍ଦକୁ ନିଜ ପାଇଁ ଗ୍ରହଣ କରିଥିବା କହିଥିଲେ। ତାଙ୍କ ଅନୁସାରେ, ଏହି ଭକ୍ତି କୌଣସି ରାଜନୈତିକ ଦଳ କିମ୍ବା ନେତାଙ୍କ ପ୍ରତି ନୁହେଁ, ବରଂ ଭାରତ ପ୍ରତି। ଦେଶପ୍ରେମର ଅର୍ଥ କେବଳ ଦେଶଠାରୁ କ’ଣ ମିଳିଛି ବୋଲି ପଚାରିବା ନୁହେଁ, ବରଂ ଦେଶର ଉନ୍ନତି ପାଇଁ ନିଜେ କ’ଣ ଅବଦାନ ଦେଇପାରିବା, ତାହା ଚିନ୍ତା କରିବା ବୋଲି ସେ କହିଥିଲେ।
‘ଜେନେରେସନ୍ ଗଟର୍’ ଭଳି ଶବ୍ଦ ବ୍ୟବହାରକୁ ନେଇ ବିବାଦ
ଇଶାଙ୍କ ଏହି ମତକୁ ସମର୍ଥନ କରି କଙ୍ଗନା ନିଜର ପୁରୁଣା ଅଭିଜ୍ଞତାର ଉଦାହରଣ ଦେଇଛନ୍ତି। ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଶାରୀରିକ ଦଣ୍ଡ ଦିଆଯିବା ବିରୋଧରେ ନିଜେ ସ୍ୱର ଉଠାଇଥିବା ସେ କହିଛନ୍ତି। ଏହା ସହ ୨୬/୧୧ ମୁମ୍ବାଇ ଆକ୍ରମଣ ଓ ନିର୍ଭୟା ଘଟଣା ପରି ପ୍ରସଙ୍ଗରେ ମଧ୍ୟ ସେ ପ୍ରତିବାଦରେ ସାମିଲ ହୋଇଥିବା କଙ୍ଗନା ଉଲ୍ଲେଖ କରିଛନ୍ତି। କଙ୍ଗନା ନିଜ ପୋଷ୍ଟରେ କହିଛନ୍ତି ଯେ, ସେ ଯେଉଁମାନଙ୍କୁ ଭେଟନ୍ତି, ସେମାନଙ୍କ ପ୍ରତି ମଧ୍ୟ ଜଣେ ‘ଭକ୍ତ’ ଭାବେ ରହିବାକୁ ପସନ୍ଦ କରନ୍ତି। ନିଜ ଦେଶ ଓ ଦେଶବାସୀଙ୍କ ପ୍ରତି ତାଙ୍କର ଭଲପାଇବା ଥିବା ସହ ଅନ୍ୟାୟ ବିରୋଧରେ ସ୍ୱର ଉଠାଇବା ମଧ୍ୟ ଦେଶପ୍ରେମର ଏକ ଅଂଶ ବୋଲି ସେ ନିଜ ମତ ରଖିଛନ୍ତି। ତେବେ କଙ୍ଗନାଙ୍କ ଏହି ସମର୍ଥନ ଏପରି ସମୟରେ ଆସିଛି, ଯେତେବେଳେ ଜେନ୍ ଜି ପ୍ରତିବାଦକୁ ନେଇ ତାଙ୍କର ପୂର୍ବ ମନ୍ତବ୍ୟ ଚର୍ଚ୍ଚାରେ ରହିଛି। ଜନ୍ତର ମନ୍ତରରେ ହୋଇଥିବା ଜେନ୍ ଜି’ ପ୍ରତିବାଦକୁ ସେ ସମାଲୋଚନା କରି ‘ଜେନେରେସନ୍ ଗଟର୍’ ଭଳି ଶବ୍ଦ ବ୍ୟବହାର କରିଥିବାରୁ ବିବାଦ ଦେଖାଦେଇଥିଲା। ପରେ ତାଙ୍କ ମନ୍ତବ୍ୟ ସମସ୍ତ ଯୁବପିଢ଼ିଙ୍କୁ ଲକ୍ଷ୍ୟ କରି ନୁହେଁ ବୋଲି ସେ ସ୍ପଷ୍ଟ କରିଥିଲେ। ଇଶା କୋପିକର ଓ କଙ୍ଗନା ରାଣାୱତଙ୍କ ଏହି ମତାମତ ଏବେ ଦେଶପ୍ରେମ, ନାଗରିକଙ୍କ ଦାୟିତ୍ୱ ଓ ରାଜନୈତିକ ସମର୍ଥନକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ଇଶାଙ୍କ ମତରେ, ଦେଶକୁ ନେଇ କେବଳ ଅଭିଯୋଗ କରିବା ପରିବର୍ତ୍ତେ ତାହାର ଉନ୍ନତିରେ ନିଜର ଯୋଗଦାନ ରଖିବା ହିଁ ଜଣେ ଦାୟିତ୍ୱବାନ ନାଗରିକଙ୍କ ମୁଖ୍ୟ ଭୂମିକା।
ସୌଜନ୍ୟ ସମ୍ବାଦ




