ରାଜ୍ୟ

Weather Update: ଲଘୁଚାପ ବର୍ଷାରେ ପୁଣି ଫୁଲିଲା ନଦୀ, ବିପଦ ସଙ୍କେତ ଟପିଲା ବୈତରଣୀ, ଆଜି ଉପକୂଳ ଓ ପଶ୍ଚିମରେ ବର୍ଷିବ

ଭୁବନେଶ୍ୱର,୨୫/୦୮: ଲଗାଣ ବର୍ଷାରେ ପୁଣି ଫୁଲିଛି ନଦୀ ।  ବିପଦ ସଙ୍କେତ ଟପିଛି ବୈତରଣୀ ।  ବନ୍ୟା ଦୁର୍ଦ୍ଦଶା କମିନଥିବାବେଳେ  ନଦୀ ଫୁଲିବାରୁ ତଳି ଅଞ୍ଚଳ ଲୋକଙ୍କ  ଭୟ ବଢ଼ିଛି । ସାଳନ୍ଦୀ ନଦୀ ମଧ୍ୟ  ବିପଦ ସଙ୍କେତ ପାଖରେ ପହଞ୍ଚିଛି ।  ବନ୍ୟା ଯୋଗୁ ବାଲେଶ୍ୱର, ଭଦ୍ରକ,  କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା  ଓ କଳାହାଣ୍ଡି ଜିଲ୍ଲାର ୨୧ଟି ବ୍ଲକ୍‌  ପ୍ରଭାବିତ ହୋଇଛି । ସେପଟେ  ଉତ୍ତର ଓଡ଼ିଶାରେ ବର୍ଷା ଜାରି  ରହିବ ବୋଲି ପାଣିପାଗ ବିଭାଗ  ପୂର୍ବାନୁମାନ କରିଛି ।

ତିନି ଦିନ ଧରି ବୈତରଣୀ ଓ  ସାଳନ୍ଦୀ ନଦୀର ଜଳସ୍ତର ବିପଦ  ସଙ୍କେତ ତଳେ ଥିଲା । ଆଜି ଅଚାନକ ଉଭୟ ନଦୀର ଜଳସ୍ତର  ବଢ଼ିଛି । ଆଖୁଆପଦାଠାରେ  ବୈତରଣୀ ନଦୀର ବିପଦ ସଙ୍କେତ  ସ୍ତର ୧୮.୩୩ ମିଟର ଥିବାବେଳେ  ଏଠାରେ ୧୮.୩୫ ମିଟର ଜଳସ୍ତର  ପ୍ରବାହିତ ହେଉଛି। ସାଳନ୍ଦୀ  ନଦୀର ଜଳସ୍ତର ବି ବଢ଼ିଛି ।  ଜେନାପୁରଠାରେ ବ୍ରାହ୍ମଣୀ ନଦୀର  ଜଳସ୍ତର ୨୦.୯୫ ମିଟର । ଏନଏଚ ୫ ଗୋବିନ୍ଦପୁରଠାରେ ବୁଢ଼ାବଳଙ୍ଗ  ନଦୀର ଜଳସ୍ତର ୬.୧୪ ମିଟର ରହିଛି । ମଥାନି ରୋଡ୍‌ଠାରେ ଜଳକା  ନଦୀର ବିପଦ ସଙ୍କେତ ସ୍ତର ୬.୫୦  ମିଟର ଥିବାବେଳେ ୬.୪୪ ମିଟର  ଜଳ ପ୍ରବାହିତ ହେଉଛି ।  ଚାନ୍ଦବାଲି ବ୍ଲକ୍‌ର ୧୦ ପଞ୍ଚାୟତ ଏବେ ବି  ଜଳବନ୍ଦୀ ହୋଇ ରହିଛି । ଭଣ୍ଡାରିପୋଖରୀ,  ଧାମନଗର ବ୍ଲକ ଅଞ୍ଚଳର ବନ୍ୟା ଜଳ  କମିଥିଲା । ତିହିଡ଼ି, ଧାମନଗର, ଚାନ୍ଦବାଲି  ଅଞ୍ଚଳର ଲୋକେ ବନ୍ଧ, ପର ଘରେ ଆଶ୍ରୟ  ନେଇଥିଲେ ।  କିନ୍ତୁ ପୁଣି ଥରେ ନଦୀ ଜଳସ୍ତର  ବଢ଼ିଛି ।

ଦୁଇ ଦିନ ଧରି ମୟୂରଭଞ୍ଜ ଜିଲ୍ଲା  ଚକଶୂଳିଆପଦା, ଦେଉଳି, ମୋରଡା ଓ  ରାସଗୋବିନ୍ଦପୁର ଅଞ୍ଚଳରେ ଲଗାତାର  ବର୍ଷା ହେବା ଫଳରେ ଜଳକାରେ ବନ୍ୟା  ପରିସ୍ଥିତି ଦେଖାଦେଇଛି । କେନ୍ଦୁଝର ଜିଲ୍ଲା  ୫୨୦ ନଂ ଜାତୀୟ ରାଜପଥରେ ମାଟି ଅତଡ଼ା  ଖସି ରାସ୍ତା ଅବରୋଧ ହେବାରୁ ଯାତାୟାତ  ପ୍ରଭାବିତ ହୋଇଥିଲା । କେନ୍ଦୁଝର ଜିଲ୍ଲା  ବଡ଼ବିଲ ଥାନା ଠାକୁରାଣୀ ଓ ରାଇକା ଦୁଇଟି ପୃଥକ୍‌ ନାଳରେ ଜଣେ ମହିଳା ଓ ଜଣେ  ପୁରୁଷ ଭାସି ଯାଇଛନ୍ତି । ଉଭୟଙ୍କ ମୃତଦେହ  ଉଦ୍ଧାର ହୋଇଛି । ଲଗାଣବର୍ଷାରେ କଳାହାଣ୍ଡି  ଉବୁଟୁବୁ ହେଉଛି । ତେଲନଦୀ, ହାତୀ  ନଦୀ ଓ ମୁଦ୍ରା ନଦୀରେ ବନ୍ୟା ଆସିବାରୁ  ଜୟପାଟଣା, କଲମପୁର, କୋକସରା,  ଗୋଲାମୁଣ୍ଡା  ବ୍ଲକରେ ବ୍ୟାପକ କ୍ଷତି  ହୋଇଛି । କଲମପୁର-ଜୁନାଗଡ଼ ରାସ୍ତାରେ ପାଣି ଚାଲିବାରୁ ଯାତାୟାତ ଠପ୍‌ ହୋଇଛି ।  ତେଲ ନଦୀରେ ଫସିଥିବା ୬ ଚାଷୀଙ୍କୁ  ଅଗ୍ନିଶମ ଟିମ୍‌ ଉଦ୍ଧାର କରିଛି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button