ରାଜ୍ୟ

DM School: ବିଲୀନ ହେବ ଡିଏମ୍‌ ସ୍କୁଲ: କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ସହ ମିଶିଯିବ, ୬୨ ବର୍ଷର ଶିକ୍ଷାନୁଷ୍ଠାନରେ ପଡ଼ିବ ଯବନିକା

କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ଭୁବନେଶ୍ବରର ପ୍ରଥମ ସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଡେମୋନ୍‌ଷ୍ଟ୍ରେସନ୍‌ ମଲ୍ଟିପ୍ରପୋଜ୍‌ (ଡିଏମ୍‌) ସ୍କୁଲ ବିଲୀନ ହେବ। ୧୯୬୪ ମସିହାରେ ରାଜଧାନୀରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲକୁ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ...

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ଭୁବନେଶ୍ବରର ପ୍ରଥମ ସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଡେମୋନ୍‌ଷ୍ଟ୍ରେସନ୍‌ ମଲ୍ଟିପ୍ରପୋଜ୍‌ (ଡିଏମ୍‌) ସ୍କୁଲ ବିଲୀନ ହେବ। ୧୯୬୪ ମସିହାରେ ରାଜଧାନୀରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲକୁ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ (କେଭିଏସ୍‌) ସହ ମିଶାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଐତିହ୍ୟ ସମ୍ପନ୍ନ ଏହି ସ୍କୁଲ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ସ୍ଥାପିତ ହୋଇଥିଲା ଏବଂ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ସଂସ୍ଥାନ (ଆରଆଇଇ)ର ଏକ ଅଭିନ୍ନ ଅଙ୍ଗ ପାଲଟିଥିଲା। ଶିକ୍ଷା ସହ ଗବେଷଣାର ପ୍ରାଣକେନ୍ଦ୍ର ପାଲଟିଥିଲା। ଏନ୍‌ସିଇଆରଟି ଦ୍ବାରା ପରିଚାଳିତ ଏହି ବିଦ୍ୟାଳୟରେ ପ୍ରାକ୍-ବିଦ୍ୟାଳୟ ତଥା ବାଲ୍‌ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରାଯାଉଛି। ଯେଉଁଠି ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ବହୁତ କମ୍‌ ମୂଲ୍ୟରେ ଶିକ୍ଷା ମିଳିପାରୁଛି। ବର୍ତ୍ତମାନ ଏହି ସ୍କୁଲକୁ କେଭିଏସ୍‌ରେ ମିଶ୍ରଣ କରାଯିବ। ଫଳରେ ବିଦ୍ୟାଳୟର ନାଁ ବଦଳି ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ହେବ। କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚାରେ ଏଠାରେ ଶିକ୍ଷାଦାନ କରାଯିବ। କେବଳ ଏହି ଗୋଟିଏ ଡିଏମ୍‌ ନୁହେଁ, ଏନ୍‌ସିଇଆରଟି ଅଧୀନରେ ଥିବା ଦେଶରେ ୪ଟି ଯାକ ଡିଏମ୍‌ ସ୍କୁଲକୁ କେଭିଏସ୍‌ ସହ ମିଶ୍ରଣ କରିବାକୁ ନିଷ୍ପତ୍ତି ହୋଇଛି। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିଲାଣି।

କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ସହ ମିଶିଯିବ
୬୨ ବର୍ଷର ଶିକ୍ଷାନୁଷ୍ଠାନରେ ପଡ଼ିବ ଯବନିକା
ନିଷ୍ପତ୍ତିକୁ ଦୃଢ଼ ବିରୋଧ, ଆଗକୁ ବ୍ୟାପକ ଆନ୍ଦୋଳନ

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଐତିହ୍ୟ ସମ୍ପନ୍ନ ଏହି ବିଦ୍ୟାଳୟରୁ ଆରବିଆଇର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର, ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଶିବସୁନ୍ଦର ଦାସ, ବିଶିଷ୍ଟ ନ୍ୟୁରୋସର୍ଜନ ବି. କେ. ମିଶ୍ର, ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ସ୍ୱର୍ଗତ ବିଜୟ କୁମାର ସାହୁ ଶିକ୍ଷାଗ୍ରହଣ କରିଥିଲେ। ଦେଶର ବହୁ ପ୍ରତିଷ୍ଠିତ ‌ବ୍ୟକ୍ତିବିଶେଷଙ୍କୁ ଗଢ଼ିଥିବା ସ୍କୁଲକୁ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ (କେଭିଏସ୍‌)କୁ ହସ୍ତାନ୍ତର କରିବା ଲାଗି ଏନ୍‌ସିଇଆରଟି ଦେଇଥିବା ପ୍ରସ୍ତାବକୁ ପୁରାତନ ଛାତ୍ରଛାତ୍ରୀ ସହଜରେ ଗ୍ରହଣ କରି ପାରିନାହାନ୍ତି। ନିଷ୍ପତ୍ତିକୁ ସେମାନେ ଦୃଢ଼ ବିରୋଧ କରିବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଏନ୍‌ସିଇଆରଟି ନିର୍ଦ୍ଦେଶକଙ୍କ ପାଖକୁ ଦାବିପତ୍ର ପଠାଇଛନ୍ତି। ଯେଉଁଥିରେ ସେମାନେ ପ୍ରସ୍ତାବିତ ମିଶ୍ରଣକୁ ପୁନର୍ବିଚାର ଓ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି।
ଡିଏମ୍ ସ୍କୁଲକୁ ବଞ୍ଚାନ୍ତୁ। ଏହାର ଐତିହ୍ୟକୁ ସଂରକ୍ଷଣ କରନ୍ତୁ। ଆମ ପରିଚୟକୁ ରକ୍ଷା କରନ୍ତୁ। ଏଭଳି ବାର୍ତ୍ତା ଦେଇ ପୁରାତନ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଉଥିବା ଜଣାପଡ଼ିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button