ରାଜ୍ୟ

ଅଲୋଡ଼ା ଏକା ଏକା…ଯାହା ପାଇଁ ଗାଁ ଛାଡ଼ିଲେ, ସିଏ ଛାଡ଼ି ପଳାଇଲା ; ବୁଢ଼ା ବାପା-ମାଙ୍କ’ ପାଇଁ ସମୟ ନାହିଁ

ଭୁବନେଶ୍ୱର,୦୯/୦୯ (ମୁକେଶ ପରିଡ଼ା): ସବୁବେଳେ ଶୂନଶାନ ଦିଶୁଥିବା ଘର ଆଗରେ ୮/୧୦ ଗାଡ଼ି । ଲୋକଙ୍କ ଗହଳି । ଫୁଲରେ ସଜା ସ୍ୱର୍ଗଦ୍ୱାର ଗାଡ଼ି ବି ଥାଏ । କଲୋନିର ଗ୍ରୋସରୀ ଦୋକାନୀ କହିଲେ, ପାତ୍ର ମଉସା ଚାଲିଗଲେ । କିଛିଦିନ ହେବ ଅସୁସ୍ଥ ଥିଲେ । କାଲି ଆଖି ବୁଜି ଦେଲେ । ଗୋଟିଏ ବୋଲି ପୁଅ ବାହାରେ ରହେ । କେବଳ ବୁଢ଼ାବୁଢ଼ୀ ଏଇଠି ରହୁଥିଲେ । ଏବେ ପୁଅ, ବୋହୂଙ୍କୁ ଅପେକ୍ଷା… ।

ଏହି ସମୟରେ ଦୋକାନ ଆଗ ଦେଇ ବୃଦ୍ଧ ଦମ୍ପତ୍ତି ହାତ ଧରାଧରି ହୋଇ ଧୀରେ ଧୀରେ ଯାଉଥିଲେ । ମାଉସୀଙ୍କ ହାତରେ ବାଡ଼ି, ଅଣ୍ଟାରେ ବେଲ୍ଟ । ମଉସାଙ୍କ ବାମ ହାତରେ ପରିବା ବ୍ୟାଗ । ଡାହାଣ ହାତରେ ମାଉସୀର ହାତକୁ ଧରି ଆଗକୁ ବଢ଼ୁ ଥାଆନ୍ତି । ଏମିତି ଅନେକ ବୃଦ୍ଧ ଓ ବୃଦ୍ଧା ବୟସର ଅପରାହ୍ଣରେ ଏକା ଏକା ବାଟ ଚାଲୁଛନ୍ତି । ଗରିବ, ମଧ୍ୟବିତ୍ତଙ୍କ ତୁଳନାରେ ଅଧିକାଂଶ ଥିଲାବାଲା ପରିବାରରେ ବାର୍ଦ୍ଧକ୍ୟ ଏମିତି ଏକା ହୋଇ ଚାଲିଛି । ଦିନେ ଯେଉଁ ବାପା-ମା’ ପିଲାର ପାଠପଢ଼ା ଓ ସୁନେଲି ଭବିଷ୍ୟତ ପାଇଁ ଗାଁ ଛାଡ଼ି ଭୁବନେଶ୍ୱରରେ ଘର ତୋଳିଥିଲେ, ଆଜି ସେଇ ପିଲା ମୋଟା ଦରମା ଲାଗି ବେଙ୍ଗାଲୁରୁ, ପୁନେ, କିମ୍ବା ଦେଶ ବାହାରକୁ ପଳାଇଛନ୍ତି । ଏଇଠି ବାପା-ମା’ ଏକା ।

ରାଜଧାନୀର ସମ୍ଭ୍ରାନ୍ତ ଇଲାକା ନୂଆପଲ୍ଲୀ ଆଇଆରସି ଭିଲେଜ । ଏନ୍-୫ ଅଞ୍ଚଳର ଚକାଚକ ୪ ମହଲା ବିଲ୍ଡିଂ । ତଳ ମହଲାରେ ଅବସରପ୍ରାପ୍ତ ଯନ୍ତ୍ରୀ ମିଶ୍ର ବାବୁ ଓ ତାଙ୍କ ପତ୍ନୀ ରୁହନ୍ତି । ପାଖରେ ବୋଲ ହାକ ପାଇଁ ଜଣେ ସହାୟକ ଅଛନ୍ତି । ଉପର ୩ଟି ଯାକ ଫ୍ଲୋର ଭଡ଼ା ଲାଗିଛି । ସକାଳରୁ ସଞ୍ଜ ଟିଭି ଦେଖା ଏବଂ ପେପର ପଢ଼ାରେ ବିତିଯାଏ। ଆଖପାଖରେ ସମ୍ପର୍କୀୟ ବି କେହି ନାହାନ୍ତି । ପୁଅ ଅଷ୍ଟ୍ରେଲିଆରେ ଆଇଟି ପ୍ରଫେସନାଲ ଓ ବୋହୂ ବି । ବିବାହ ପରେ ଝିଅ ପୁନେରେ ।

ସରକାରୀ ତଥ୍ୟ ଅନୁସାରେ କେବଳ ଭୁବନେଶ୍ୱରରେ ୨ ଲକ୍ଷ ବରିଷ୍ଠ ନାଗରିକ ଅଛନ୍ତି । ବସ୍ତି ଜନସଂଖ୍ୟାକୁ ମିଶାଇଲେ ଏ ଅଙ୍କ ଢେର ଅଧିକ ହେବ । କମିଶନରେଟ ପୁଲିସ ନିକଟରେ ୧୭ ହଜାର ବୃଦ୍ଧ/ବୃଦ୍ଧା ପଞ୍ଜୀକରଣ କରି ବରିଷ୍ଠ ନାଗରିକ କାର୍ଡ ପାଇଛନ୍ତି । ସେଥିରୁ ଅଧିକାଂଶ ଭୁବନେଶ୍ୱରରେ ଏକା ହିଁ ରହୁଛନ୍ତି । ଆଇଟି ଓ ବିଭିନ୍ନ କର୍ପୋରେଟ ସଂସ୍ଥାରେ ଉଚ୍ଚ ଦରମାରେ ନିଯୁକ୍ତି ପାଇବା ପରଠାରୁ ପିଲାମାନେ ରାଜ୍ୟ ବାହାରେ କିମ୍ବା ଦେଶ ବାହାରେ । ଅଧିକାଂଶ ପିଲାଛୁଆ ଧରି ସିଆଡ଼େ ରହିଗଲେଣି । କାଁ ଭାଁ କୁଣିଆ ଭଳି ଆସୁଛନ୍ତି । ଯୋଗାଯୋଗ କହିଲେ, ଫୋନ୍ କଲ୍, ହ୍ୱାଟସ୍ଆପ୍ କିମ୍ବା ଭିଡିଓ କଲ୍ ।

ବାହାରକୁ ବେଶ୍ ଉଲ୍ଲସିତ ଦିଶୁଥିବା ବୃଦ୍ଧ ବାପା-ମା’ ଛାତି ଫୁଲାଇ ପିଲାଙ୍କ ବଡ଼ ଚାକିରି, ଉଚ୍ଚଶିକ୍ଷା କଥା କହି ବୁଲୁଛନ୍ତି । ହେଲେ ଛାତି ଭିତର ଯେ କେତେ କୋହ, ସେ କଥା କାହାକୁ କହିପାରୁନାହାନ୍ତି । ପୋଖରୀପୁଟ ଅନନ୍ତବିହାର ଅଞ୍ଚଳର ପଟ୍ଟନାୟକ ବାବୁ । ଚାକିରି କାଳ ଭିତରେ ଭୁବନେଶ୍ୱରରେ ୩ଟି ପ୍ଲଟ ପକାଇ ଘର ତୋଳିଛନ୍ତି । ସରକାରୀ ଚାକିରି ପରେ ପେନସନ ସାଙ୍ଗକୁ ୩ଟି ଘରୁ ମୋଟା ଭଡ଼ା ବି ମିଳୁଛି । ପୁଅ ବେଙ୍ଗାଲୁରୁରେ, ଝିଅ ବିବାହ ପରେ ଆମେରିକାରେ । ଘରେ କେବଳ ବୃଦ୍ଧ ଦମ୍ପତ୍ତି । କିନ୍ତୁ, ସୁଖଦୁଃଖ ଗପସପ ପାଇଁ କେହି ନାହାନ୍ତି । ନାତି-ନାତୁଣୀଙ୍କ ସହ କଥା କେବଳ ଭିଡିଓ କଲ୍ରେ । ଭୁବନେଶ୍ୱର ଭଳି ବଡ଼ ସହରରେ ରହୁଥିବା ଅଧିକାଂଶ ବୃଦ୍ଧ, ବୃଦ୍ଧା କେବଳ ନାଁକୁ ଜେଜେ-ଜେଜେ ମା’ ଡାକ ମାନ୍ୟତା ପାଇଛନ୍ତି । ପ୍ରାୟତଃ ନାତି-ନାତୁଣୀ ଜେଜେ ବାପା, ଜେଜେ ମା’ଠାରୁ ଦୂରରେ । ଯିଏ ପାଖରେ ରହୁଛନ୍ତି, ସେମାନଙ୍କ ପାଖରେ ସମୟ ନାହିଁ । ସ୍କୁଲ, ଟ୍ୟୁସନ, ମ୍ୟୁଜିକ କ୍ଲାସ ଏବଂ ମୋବାଇଲରେ ସମୟ ବିତିଯାଉଛି । ଯେଉଁମାନେ ପରିବାର ସହ ଅଛନ୍ତି, ସେଥିରୁ ବି ଅନେକ ଏକଲା ଜୀବନ ବିତାଉଛନ୍ତି। ସେମାନେ କହନ୍ତି, ପିଲା ଅଛନ୍ତି, ହେଲେ ବୁଢ଼ା ବାପା ମା’ ପାଇଁ ସମୟ ନାହିଁ । ମିଶି କରି ଖାଇବା ତ ଦୂର କଥା, ଏକାଠି ବସିବା ଭାଗ୍ୟରେ ନାହିଁ ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button