Election Donations: ଚାନ୍ଦାରେ ବିଜେପିର ବଡ଼ ରେକର୍ଡ; ମିଳିଲା ୧,୪୭୩ କୋଟି, କଂଗ୍ରେସକୁ ମାତ୍ର ୨୦୭ କୋଟି

ନୂଆଦିଲ୍ଲୀ, ୧୦।୯: ଚଳିତ ବର୍ଷ ଏପ୍ରିଲରେ ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ପ୍ରାୟ ୧,୪୭୩ କୋଟି ଟଙ୍କା ଚାନ୍ଦା ମିଳିଛି । ଏହା କଂଗ୍ରେସର କେନ୍ଦ୍ରୀୟ ଏବଂ ରାଜ୍ୟ ଶାଖାଗୁଡ଼ିକୁ ମିଳିଥିବା ଚାନ୍ଦାଠାରୁ ୭ ଗୁଣାରୁ ଅଧିକ । କଂଗ୍ରେସକୁ ଏହି ୫ ରାଜ୍ୟର ନିର୍ବାଚନବେଳେ ୨୦୭.୧୭ କୋଟି ଟଙ୍କା ମିଳିଥିବା ଭାରତର ନିର୍ବାଚନ କମିଶନ (ଇସିଆଇ) ବୁଧବାର ସୂଚନା ଦେଇଛନ୍ତି । ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଏବଂ ପୁଡ଼ୁଚେରୀରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହୋଇଥିଲା । ଗତ ମେ’ ୪ରେ ଆସିଥିବା ଫଳାଫଳରେ ଆସାମ, ପଶ୍ଚିମବଙ୍ଗ ଏବଂ ପୁଡ଼ୁଚେରୀରେ ଏନ୍ଡିଏର ବିଜୟ ହୋଇଥିଲା । ସେହିପରି କେରଳରେ ଇଣ୍ଡି ମେଣ୍ଟ ଏବଂ ତାମିଲନାଡ଼ୁରେ ଟିଭିକେ ଏବଂ କଂଗ୍ରେସ ମିଶି ସରକାର ଗଠନ କରିଥିଲେ । ତେବେ କେରଳ ଏବଂ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ଖର୍ଚ୍ଚ ବିବରଣୀ ସାର୍ବଜନିନ କରାଯାଇନାହିଁ । ତେଣୁ ବିଜେପିର ଆୟ ଆହୁରି ଅଧିକ ହେବାର ସମ୍ଭାବନା ରହିଛି । ନିର୍ବାଚନ ଅବଧି ବେଳେ ବିଜେପିର କେନ୍ଦ୍ରୀୟ ମୁଖ୍ୟାଳୟର ବାଲାନ୍ସ ବି ବେଶ୍ ବଢ଼ିଛି । ତେଣୁ ମାର୍ଚ୍ଚ ୧୫ରେ ତାହା ୬,୭୨୨.୬ କୋଟି ଟଙ୍କା ଥିଲା, ଯାହା କି ମେ’ ୬ରେ ବଢ଼ି ୭,୬୨୭.୨ କୋଟି ହୋଇଥିଲା । ଅର୍ଥାତ ନିର୍ବାଚନ ସମୟରେ ୯୦୪.୬ କୋଟି ଟଙ୍କା ବୃଦ୍ଧି ପାଇଥିଲା ।
ଅନ୍ୟପକ୍ଷରେ ନିର୍ବାଚନ ସମୟରେ କଂଗ୍ରେସର ଆର୍ଥିକ ସ୍ଥିତି ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଏହାର କେନ୍ଦ୍ରୀୟ ମୁଖ୍ୟାଳୟ ଏବଂ ୫ଟି ରାଜ୍ୟ ଶାଖାଗୁଡ଼ିକ ପାଖରେ ନିର୍ବାଚନ ଅବଧି ଆରମ୍ଭ ବେଳେ ପ୍ରାୟ ୧୬୯.୦୬ କୋଟି ଟଙ୍କା ଥିଲା । ସେଥିମଧ୍ୟରେ ୨୨.୯ କୋଟି ଟଙ୍କା ନଗଦ ଏବଂ ୧୪୬.୧ କୋଟି ଟଙ୍କା ବ୍ୟାଙ୍କରେ ଥିଲା । ମେ’ ୬ ସୁଦ୍ଧା କଂଗ୍ରେସ ପାଖରେ ପ୍ରାୟ ୧୦୩.୨ କୋଟି ଟଙ୍କା ବଞ୍ଚିଥିଲା । ଅର୍ଥାତ କଂଗ୍ରେସ ପାଖରେ ୬୫.୮୬ କୋଟି ଟଙ୍କା ହ୍ରାସ ପାଇଥିଲା । ଅଦ୍ୟାବଧି ଉପଲବ୍ଧ ଖର୍ଚ୍ଚ ବିବରଣୀରୁ ଜଣାପଡ଼ିଛି, ବିଜେପି ଆସାମ, ତାମିଲନାଡ଼ୁ ଏବଂ ପୁଡୁଚେରୀରେ ପ୍ରାୟ ୧୫୯.୭ କୋଟି ଟଙ୍କା ଖର୍ଚ୍ଚ କରିଛି । ସେଥିରୁ ପ୍ରାୟ ୧୩୦.୪ କୋଟି ଟଙ୍କା ସାଧାରଣ ଦଳୀୟ ପ୍ରଚାର ଏବଂ ଅବଶିଷ୍ଟ ଟଙ୍କା ପ୍ରାର୍ଥୀ ଏବଂ ସମ୍ପୃକ୍ତ ଖର୍ଚ୍ଚ ପାଇଁ ବ୍ୟବହୃତ ହୋଇଛି । ଆସାମରେ ସର୍ବାଧିକ ୯୬.୨୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେଥିରୁ ୭୬.୭୩ କୋଟି ଦଳୀୟ ପ୍ରଚାର ଏବଂ ୧୯.୫୪ କୋଟି ପ୍ରାର୍ଥୀଙ୍କ ଉପରେ ଖର୍ଚ୍ଚ ହୋଇଛି । ତାମିଲନାଡ଼ୁରେ ବିଜେପିର ମୋଟ ଖର୍ଚ୍ଚ ୫୧.୫୬ କୋଟି ଟଙ୍କା ଥିଲା । ସେଥିରୁ ୪୪.୫୧ କୋଟି ପ୍ରଚାର ଏବଂ ୭.୦୫ କୋଟି ପ୍ରାର୍ଥୀଙ୍କ ଉପରେ ଖର୍ଚ୍ଚ କରାଯାଇଥିଲା ।
ସୌଜନ୍ୟ ପ୍ରମେୟ




