Mayawati removes Akash Anand: ମାୟାବତୀଙ୍କ ବଡ଼ ଆକ୍ସନ୍ ! BSPରୁ ଆକାଶ ଆନନ୍ଦ ଆଉଟ୍, ଉତ୍ତରପ୍ରଦେଶ ରାଜନୀତିରେ ହଲଚଲ

ଲକ୍ଷ୍ନୌ, ୧୦।୯: ଉତ୍ତରପ୍ରଦେଶ ରାଜନୀତିରେ ହଲଚଲ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଏସପି ସୁପ୍ରିମୋ ମାୟାବତୀ ଏକ କଠୋର ତଥା ଚାଞ୍ଚଲ୍ୟକର ନିଷ୍ପତ୍ତି ନେଇଛନ୍ତି । ଦଳର ଜାତୀୟ ସଂଯୋଜକ ତଥା ତାଙ୍କ ନିଜ ଭଣଜା ଆକାଶ ଆନନ୍ଦଙ୍କୁ ପାର୍ଟିରୁ ସମ୍ପୂର୍ଣ୍ଣ ଭାବେ ବହିଷ୍କୃତ କରାଯାଇଛି । ଶ୍ୱଶୁର ଅଶୋକ ସିଦ୍ଧାର୍ଥଙ୍କ ରାଜନୈତିକ ସନ୍ନ୍ୟାସ ପରେ ମଧ୍ୟ ପରିବାରର କଳହ ଯୋଗୁଁ ମାୟାବତୀ ଏହି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି, ଯାହାକି ରାଜନୈତିକ କରିଡରରେ ଏବେ ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି ।
ଶ୍ୱଶୁର ଅଶୋକ ସିଦ୍ଧାର୍ଥଙ୍କ ସନ୍ନ୍ୟାସ ଏବଂ ମାୟାବତୀଙ୍କ ତୀକ୍ଷ୍ଣ ପ୍ରତିକ୍ରିୟା:
ସମଗ୍ର ବିବାଦର ମୂଳରେ ରହିଛନ୍ତି ଆକାଶ ଆନନ୍ଦଙ୍କ ଶ୍ୱଶୁର ତଥା ପୂର୍ବତନ ସାଂସଦ ଅଶୋକ ସିଦ୍ଧାର୍ଥ । ଗତକାଲି ମାୟାବତୀ ଏକ ସର୍ତ୍ତ ରଖିଥିଲେ ଯେ, ଯଦି ଅଶୋକ ସିଦ୍ଧାର୍ଥ ରାଜନୀତିରୁ ସନ୍ନ୍ୟାସ ନିଅନ୍ତି, ତେବେ ଆକାଶ ଆନନ୍ଦଙ୍କୁ ଦଳରେ ପୁନର୍ବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯିବ । ଏହି ଚାପର ବଶବର୍ତ୍ତୀ ହୋଇ ଅଶୋକ ସିଦ୍ଧାର୍ଥ ତୁରନ୍ତ ରାଜନୀତିରୁ ଅବସର ଘୋଷଣା ମଧ୍ୟ କରିଥିଲେ । ତଥାପି, ଏହି ନାଟକୀୟ ମୋଡ଼ରେ ପୂର୍ଣ୍ଣଚ୍ଛେଦ ପକାଇ ମାୟାବତୀ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ମାଧ୍ୟମରେ ଏକ କଡ଼ା ବିବୃତ୍ତି ଜାରି କରି କହିଛନ୍ତି । ଅଶୋକ ସିଦ୍ଧାର୍ଥ ରାଜନୀତିରୁ ଅବସର ନେବାରେ ବହୁତ ବିଳମ୍ବ କରିଛନ୍ତି । ଯଦି ସେ ଏହି ନିଷ୍ପତ୍ତି ଆଗରୁ ନେଇଥାନ୍ତେ, ତେବେ ବହୁଜନ ଆନ୍ଦୋଳନ ଏବଂ ଆକାଶ ଆନନ୍ଦଙ୍କ ସମ୍ମୁଖରେ ଏଭଳି ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା । ମାୟାବତୀ ବ୍ୟଙ୍ଗାତ୍ମକ ଭାବେ କହିଛନ୍ତି ଯେ, ଯଦି ଅଶୋକ ସିଦ୍ଧାର୍ଥଙ୍କୁ ନିଜ ଜ୍ୱାଇଁ ଆକାଶ ଆନନ୍ଦଙ୍କ ଉଜ୍ଜ୍ୱଳ ଭବିଷ୍ୟତ କିମ୍ବା ବହୁଜନ ଆନ୍ଦୋଳନର ବ୍ୟାପକ ସ୍ୱାର୍ଥ ଚିନ୍ତା ଥାନ୍ତା, ତେବେ ସେ ବିନା ଦ୍ୱିଧାରେ ବହୁ ପୂର୍ବରୁ ସନ୍ନ୍ୟାସ ଘୋଷଣା କରିସାରିଥାନ୍ତେ । ସମୟ ସୂଚକ ଭାବେ ଏହି ପଦକ୍ଷେପ ନ ନେବା ତାଙ୍କ ନିୟତରେ ଖୋଟ ଏବଂ ଅଭିଳାଷା ଅକ୍ଷୁର୍ଣ୍ଣ ଥିବାର ପ୍ରମାଣ ଦିଏ ।
ସୌଜନ୍ୟ ପ୍ରମେୟ




