Liquor Smuggling: ମଦ ସହ ମହିଳା ଗିରଫ ଘଟଣା, ନେହାଙ୍କ ସହ ଜଡ଼ିତ ନେଟୱର୍କ ଯାଞ୍ଚ କରିବ ଏସଆଇଟି

ପାଟନା,୧୦/୦୯: ବିହାରର ସମସ୍ତିପୁରରେ ମଦ ଚୋରାଚାଲାଣ ମାମଲାରେ ଗିରଫ ହୋଇଥିବା ନେହା ଝା’ ନାମ୍ନୀ ମହିଳାଙ୍କ ଅଡ଼ୁଆ ବଢ଼ିବାକୁ ଯାଉଛି । ରେଳୱେ ପୁଲିସ ଏହି ମାମଲାର ଗୁରୁତ୍ଵକୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) ଗଠନ କରିଛି । ଟିମ୍ ମଦ ଚୋରାଚାଲାଣ ସହ ଜଡ଼ିତ ନେଟୱର୍କ ସହିତ ଅଭିଯୁକ୍ତ ନେହାଙ୍କ ପରିବାର ସଦସ୍ୟଙ୍କ ଭୂମିକା ଯାଞ୍ଚ କରିବ। ସମସ୍ତିପୁର ରେଳୱେ ଡିଏସପିଙ୍କ ନେତୃତ୍ଵରେ ଏହି ଏସଆଇଟି ଗଠିତ ହୋଇଛି ।
ଉଲ୍ଲେଖଯୋଗ୍ୟ, ଜୟନଗରରୁ ଉଦୟପୁର ଯାଉଥିବା ୧୨୫୬୧ ସ୍ଵତନ୍ତ୍ରତା ସେନାନୀ ଏକ୍ସପ୍ରେସ ଟ୍ରେନର ଏସି ପ୍ରଥମ ଶ୍ରେଣୀରେ ୭୫ ଲିଟର ମଦ ଚୋରାଚାଲାଣ ବେଳେ ୨୫ ବର୍ଷୀୟା ନେହାଙ୍କୁ ଗିରଫ କରାଯାଇଥିଲା। ସେ ବିନା ଟିକେଟରେ ପ୍ରଥମ ଶ୍ରେଣୀରେ ଯାତ୍ରା କରୁଥିଲେ। ତାଙ୍କ ଭିଣୋଇ ଇଶାନ କୁମାରଙ୍କୁ ବି ଗିରଫ କରାଯାଇଥିଲା। ଗୁଇନ୍ଦା ସୂତ୍ରରୁ ଆରପିଏଫ୍ ଏବଂ ସିଆଇବି (ଅପରାଧ ଗୁପ୍ତଚର ବ୍ୟୁରୋ) ସୂଚନା ପାଇବା ପରେ ଏହି ଚଢ଼ଉ ହୋଇଥିଲା । ଗିରଫଦାରି ପରେ ନେହାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ନେହାଙ୍କ ନିର୍ଭୀକ ଠାଣିକୁ ନେଇ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଭଳି ଜଣେ ମହିଳାଙ୍କ ଦ୍ଵାରା ମଦ ଚୋରାଚାଲାଣ ହେବା ବିଶ୍ଵାସ ହେଉନାହିଁ ବୋଲି ଅନେକ ଲୋକ ପ୍ରତିକ୍ରିୟାରେ ଲେଖିଛନ୍ତି ।
ଗିରଫ ପରେ ନେହା ବର୍ତ୍ତମାନ ସମସ୍ତିପୁର ମଣ୍ଡଳ କାରାଗାରର ମହିଳା ସେଲରେ ଅନ୍ୟ କଏଦୀମାନଙ୍କ ଭଳି ରହୁଛନ୍ତି । ତାଙ୍କ ପାଇଁ କୌଣସି ସ୍ଵତନ୍ତ୍ର ସୁବିଧା ଦିଆଯାଇ ନାହିଁ। ଜେଲ୍ ନିୟମ ଅନୁସାରେ ତାଙ୍କୁ ଖାଦ୍ୟ ଦିଆଯାଉଛି । ଜେଲ୍ ପରିସରରେ କ୍ୟାଣ୍ଟିନ ସୁବିଧା ବି ରହିଛି, ଯେଉଁଠାରେ କଏଦୀମାନେ ସିଙ୍ଗଡ଼ା, ମିଠା କିମ୍ବା କ୍ଷୀର ଭଳି ସାମଗ୍ରୀ କିଣିପାରିବେ। ଜେଲ୍ ବାହାରୁ ଖାଦ୍ୟ ଆସିବା ବନ୍ଦ ରହିଛି ।
ସୌଜନ୍ୟ ପ୍ରମେୟ




