ରାଜ୍ୟ

ଆଉ ୮,୪୧୭ କୋଟିର ପ୍ରସ୍ତାବ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ଦ୍ୱିତୀୟ ଦିନରେ ୫ଟି ଏମଓୟୁ ଏବଂ ୮ଟି ନିବେଶ ଇଚ୍ଛାପତ୍ର ସ୍ୱାକ୍ଷରିତ ହୋଇଛି। ଏଥିରୁ ୮,୪୧୭ କୋଟି ଟଙ୍କାର ନିବେଶ ସମ୍ଭାବନା ଏବଂ ୧୪,୩୧୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଆଇଟି-ସକ୍ଷମ ସେବା, ରିଅଲ୍ ଏଷ୍ଟେଟ୍, ଲଜିଷ୍ଟିକ୍ସ, ଖାଦ୍ୟ ପ୍ରକ୍ରିୟାକରଣ, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ଷ୍ଟିଲ ଏବଂ ଷ୍ଟିଲ ଡାଉନଷ୍ଟ୍ରିମ୍, ରେୟାର ଆର୍ଥସ୍, କେମିକାଲ୍ସ, ଆଲୁମିନିୟମ୍ ଏବଂ ସର୍କୁଲାର ଇକୋନୋମି ଭଳି ବିଭିନ୍ନ କ୍ଷେତ୍ର ଏହି ନିବେଶ ପ୍ରସ୍ତାବରେ ରହିଛି। ଗୁରୁବାର ପ୍ରଥମେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏବଂ ୟୁଏଇର କ୍ୟାବିନେଟ୍ ସଦସ୍ୟ ତଥା ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ଏବଂ ଅନ୍ତର୍ଜାତୀୟ ନିବେଶ ପରିଷଦର ଅଧ୍ୟକ୍ଷ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାର୍ରିଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଓଡ଼ିଶା ଏବଂ ୟୁଏଇ ମଧ୍ୟରେ ଆର୍ଥିକ ଏବଂ ନିବେଶ ସହଯୋଗକୁ ମଜଭୁତ କରିବା ସହ ଓଡ଼ିଶାରେ ୟୁଏଇ-ଭିତ୍ତିକ ନିବେଶକ ଏବଂ ବ୍ୟବସାୟୀଙ୍କ ପାଇଁ ନୂତନ ସୁଯୋଗ ଅନ୍ୱେଷଣ କରିବା ନେଇ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ଓଡ଼ିଶାର ବର୍ଦ୍ଧିତ ଶିଳ୍ପ ସମ୍ଭାବନା, ଉପଯୁକ୍ତ ଶିଳ୍ପାଞ୍ଚଳ, ସୁଦୃଢ଼ ଭିତ୍ତିଭୂମି, ପ୍ରାକୃତିକ ସମ୍ପଦର ଉପଲବ୍ଧତା, ଦକ୍ଷ ମାନବସମ୍ବଳ ଏବଂ ନିବେଶକ-ଅନୁକୂଳ ନୀତିଗତ ପରିବେଶକୁ ଆଲୋକପାତ କରି ଓଡ଼ିଶାରେ ନିବେଶ ପାଇଁ ପ୍ରସ୍ତାବ ରଖିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଦୁବାଇରେ ଅନୁଷ୍ଠିତ ଓଡ଼ିଶା ନିବେଶ ରୋଡ୍‌ଶୋ’ରେ ଯୋଗ ଦେଇଥିଲେ। ଏଠାରେ ମାନୁଫାକ୍ଚରିଂ, ମେଟାଲ୍ ଓ ଡାଉନଷ୍ଟ୍ରିମ୍ ଶିଳ୍ପ, ସୂଚନା ପ୍ରଯୁକ୍ତିବିଦ୍ୟା, ଭିତ୍ତିଭୂମି, ଲଜିଷ୍ଟିକ୍ସ, ଖାଦ୍ୟ ପ୍ରକ୍ରିୟାକରଣ, କେମିକାଲ୍ସ, ଶକ୍ତି ଏବଂ ଅନ୍ୟାନ୍ୟ ଉଦୀୟମାନ କ୍ଷେତ୍ରରେ ଓଡ଼ିଶାର ଦକ୍ଷତାକ ପ୍ରଦର୍ଶିତ କରାଯାଇଥିଲା। ଆଲୁମିନିୟମ୍ ଡାଉନଷ୍ଟ୍ରିମ୍ ଶିଳ୍ପଗୁଡ଼ିକ ସହିତ ଏକ ସ୍ୱତନ୍ତ୍ର ରାଉଣ୍ଡ ଟେବଲ ବୈଠକରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରତିଷ୍ଠିତ ଧାତବ ଶିଳ୍ପ ଉପରେ ଆଲୋକପାତ କରିବା ସହ ଅଧିକ ଆର୍ଥିକ ମୂଲ୍ୟ ଓ ନିଯୁକ୍ତି ସୃଷ୍ଟି କରିବା ପାଇଁ ଡାଉନଷ୍ଟ୍ରିମ୍ ଶିଳ୍ପଗୁଡ଼ିକୁ ମଜଭୁତ କରିବା ଉପରେ ରାଜ୍ୟର ଗୁରୁତ୍ୱକୁ ଦୋହରାଇଥିଲେ।
ମୁଖ୍ୟମନ୍ତ୍ରୀ ଦୁବାଇସ୍ଥିତ ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ କାଉନସିଲ୍ (ଆଇବିପିସି) ସହ ଏକ ଆଲୋଚନାରେ ମଧ୍ୟ ସାମିଲ ହୋଇଥିଲେ। ଏହା ଓଡ଼ିଶା ଏବଂ ୟୁଏଇ ମଧ୍ୟରେ ସମ୍ଭାବ୍ୟ ସହଯୋଗ, ବଜାର ସଂଯୋଗ ଏବଂ ଅର୍ଥନୈତିକ ସମ୍ପର୍କକୁ ବିସ୍ତାର କରିବା ପାଇଁ ପଥ ପ୍ରଶସ୍ତ କରିବାର ସୁଯୋଗ ପ୍ରଦାନ କରିଥିଲା। ଓଡ଼ିଶା ପ୍ରଗତିଶୀଳ ନୀତି, ଭିତ୍ତିଭୂମି ବିକାଶ, ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ନିବେଶକଙ୍କ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରୁଥିବା ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ପରେ ମୁଖ୍ୟମନ୍ତ୍ରୀ ୟୁଏଇର ଏକ ଅଗ୍ରଣୀ ଆଲୁମିନିୟମ୍ ଉତ୍ପାଦନ ପ୍ରତିଷ୍ଠାନ ‘ଏମିରେଟ୍ସ ଗ୍ଲୋବାଲ୍ ଆଲୁମିନିୟମ୍’ (ଇଜିଏ) ପରିଦର୍ଶନ କରିଥିଲେ। ମଧ୍ୟପ୍ରାଚ୍ୟ ରିସାଇକ୍ଲିଂ ବ୍ୟୁରୋ ସହ ଏକ ଶିଳ୍ପ ରାଉଣ୍ଡଟେବଲ ବୈଠକରେ ରିସାଇକ୍ଲିଂ, ରିସୋର୍ସ ଏଫିସିଏନ୍ସି ଏବଂ ସର୍କୁଲାର ଇକୋନୋମି କ୍ଷେତ୍ରରେ ଥିବା ସୁଯୋଗଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା।
ଦିନକର ଏହି କାର୍ଯ୍ୟକ୍ରମରେ ୫ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହା ୫,୬୦୦ କୋଟି ଟଙ୍କାର ନିବେଶ ସମ୍ଭାବନା ଏବଂ ୧୧,୫୦୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି କୁହାଯାଉଛି। ଏହାବ୍ୟତୀତ, ୮ଟି ନିବେଶ ଇଚ୍ଛାପତ୍ର ଗ୍ରହଣ କରାଯାଇଥିଲା। ଏହା ୨,୮୧୭ କୋଟି ଟଙ୍କାର ପ୍ରସ୍ତାବିତ ନିବେଶ ଏବଂ ୨,୮୧୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ମୋଟ୍ ୫ଟି ଏମଓୟୁ ଏବଂ ୮ଟି ନିବେଶ ପ୍ରସ୍ତାବ ୮,୪୧୭ କୋଟି ଟଙ୍କାର ପ୍ରସ୍ତାବିତ ନିବେଶ ଏବଂ ୧୪,୩୧୦ଟି ନିଯୁକ୍ତି ସୁଯୋଗ ଆଣିଦେଇଛି, ଯାହା ଓଡ଼ିଶାର ଦୁବାଇ ନିବେଶ ଅଭିଯାନର ଏକ ବଡ଼ ସଫଳତାକୁ ଦର୍ଶାଉଛି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button