Mineral Fund Loot-9: ଖଣିଜ ପାଣ୍ଠି ଲୁଟ୍-୯: ପ୍ରଦୂଷଣ ରୋକିବା ଆଳରେ ଉଡ଼ାଇଛନ୍ତି ୭୦ କୋଟି
ଗୋଟିଏ ପଟେ ଖଣି ପ୍ରଭାବିତ ଅଞ୍ଚଳର ଲୋକମାନେ ଧୂଳିଧୂଆଁରେ କଲବଲ, ବାୟୁ ପ୍ରଦୂଷଣରେ ଘାଣ୍ଟି ହୋଇ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି। ମାତ୍ର ଏହି ଲୋକଙ୍କ ହକ୍ (ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି)କୁ ସେମାନଙ୍କ ପାଇଁ ବିନିଯୋଗ ନକରି ବିନର୍ବ୍ୟୟ କରାଯାଇଛି।

ଯାଜପୁର: ଗୋଟିଏ ପଟେ ଖଣି ପ୍ରଭାବିତ ଅଞ୍ଚଳର ଲୋକମାନେ ଧୂଳିଧୂଆଁରେ କଲବଲ, ବାୟୁ ପ୍ରଦୂଷଣରେ ଘାଣ୍ଟି ହୋଇ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି। ମାତ୍ର ଏହି ଲୋକଙ୍କ ହକ୍ (ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି)କୁ ସେମାନଙ୍କ ପାଇଁ ବିନିଯୋଗ ନକରି ବିନର୍ବ୍ୟୟ କରାଯାଇଛି। ଘରୋଇ ଡାକ୍ତରଖାନା, କୋଚିଂ ସେଣ୍ଟର, ଟ୍ରାଭେଲ ଏଜେନ୍ସି, ବିଭିନ୍ନ ଅଦୂରଦୃଷ୍ଟି ପ୍ରକଳ୍ପ ନାମରେ ଶହଶହ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେଥିରୁ ଗୋଟିଏ ବି ପ୍ରକଳ୍ପ ଲୋକଙ୍କ ସେବାରେ ଆସିନାହିଁ। କେବଳ ଏହାକୁ ଠିକାଦାର ଓ ନେତାଙ୍କ ହାତପାଣ୍ଠି ଭଳି ବ୍ୟବହାର କରାଯାଇଛି। ଏବେ ଆଉଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ପରିବେଶ ପ୍ରଦୂଷଣ ରୋକିବା ଆଳରେ ୭୦ କୋଟି ଟଙ୍କା ଉଡ଼ାଇ ଦେଇଛନ୍ତି। ବ୍ୟାସନଗରସ୍ଥିତ ବ୍ୟାସ ସରୋବର ପ୍ରକଳ୍ପରେ ହୋଇଥିବା ୭୦ କୋଟିର ଏକ ବଡ଼ ଦୁର୍ନୀତି ଏବେ ସମସ୍ତଙ୍କୁ ଚକିତ କରିଛି। ଏପରିକି ଏହି ପ୍ରକଳ୍ପକୁ ନେଇ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲଙ୍କୁ ଅନ୍ଧାରରେ ରଖାଯାଇଛି। ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରିର ଆବଶ୍ୟକତା ନଥିବା ଦର୍ଶାଯାଇଛି। ତଥ୍ୟ ମୁତାବକ ଯାଜପୁରରୋଡ୍ସ୍ଥିତ କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷ ଓ ବ୍ୟାସନଗର ପୌରପାଳିକା ଅଧୀନରେ ଚାଲିଥିବା ପ୍ରଦୂଷଣ ନିୟନ୍ତ୍ରଣ ଯୋଜନାରେ ସହରୀ ଜଙ୍ଗଲର ବିକାଶ ପ୍ରକଳ୍ପ ପ୍ରସ୍ତାବ ରଖାଯାଇଥିଲା। ମୁଣ୍ଡାମାଳ ମୌଜାରେ ଥିବା ୧୦୫.୪୫ ଏକର ଜମିରେ ବିନା ପରିବେଶ ମଞ୍ଜୁରିରେ ଏଠାରେ ଏକ ବୃହତ୍ ପ୍ରକଳ୍ପ ନିର୍ମାଣ ହୋଇଥିଲା। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଏହି ପ୍ରକଳ୍ପ ପାଇଁ ୬୯.୨୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ପ୍ରକଳ୍ପର ମୂଳଲକ୍ଷ୍ୟ ଥିଲା ଶିଳ୍ପାଞ୍ଚଳ ଓ ଖଣି ପ୍ରଭାବିତ ଜୋନ୍ରେ ସ୍ଥାନୀୟ ପ୍ରଜାତିର ଘଞ୍ଚ ଗଛ ଲଗାଇ ଏକ ଜୈବ-ବଳୟ ସୃଷ୍ଟି କରିବା। ଯାହା କଳିଙ୍ଗନଗରର ବିଷାକ୍ତ ଧୂଳି ଓ ଗ୍ୟାସ୍କୁ ଶୋଷଣ କରିପାରିବ। ଏଥିସହିତ ଆର୍ଦ୍ରଭୂମି ଓ ଜଳାଶୟଗୁଡ଼ିକର ସଂରକ୍ଷଣ କରି ବାୟୁମଣ୍ଡଳକୁ ଶୀତଳ ରଖିବ। କିନ୍ତୁ ଏହି ମହତ ପ୍ରକଳ୍ପକୁ ତା’ର ମୂଳ ଲକ୍ଷ୍ୟଠାରୁ ଦୂରେଇ ରଖାଯାଇଥିଲା।
ସୌଜନ୍ୟ ସମ୍ବାଦ




