ଜାତୀୟ

BRICS Summit: BRICS ଦ୍ୱାର ଠକ୍‌ଠକ୍‌ କରୁଛି ପାକିସ୍ତାନ, ପ୍ରବେଶ ପଥରେ ଭାରତର ସହମତି ସବୁଠୁ ବଡ଼ ଚାଲେଞ୍ଜ

ନୂଆଦିଲ୍ଲୀ, ୧୨।୯: ବ୍ରିକ୍ସ ସମୂହରେ ସାମିଲ ହେବା ପାଇଁ ପାକିସ୍ତାନ ଦୀର୍ଘ ଦିନ ହେଲା ପ୍ରୟାସ ଚଳାଇ ଆସୁଛି । ୨୦୨୩ ମସିହାରେ ପାକିସ୍ତାନ ଏହି ସଙ୍ଗଠନର ସଦସ୍ୟତା ପାଇଁ ଆନୁଷ୍ଠାନିକ ଭାବେ ଆବେଦନ କରିଥିଲା । ତଥାପି ଏପର୍ଯ୍ୟନ୍ତ ଏହି ଗୋଷ୍ଠୀରେ ଦେଶକୁ ସ୍ଥାନ ମିଳିପାରି ନାହିଁ । ଏହି ଗୋଷ୍ଠୀର ପ୍ରାରମ୍ଭିକ ମୁଖ୍ୟ ସଦସ୍ୟମାନଙ୍କ ମଧ୍ୟରେ ଭାରତ, ରୁଷ, ଚୀନ୍, ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକା ରହିଥିଲେ । ପରବର୍ତ୍ତୀ ସମୟରେ ଏହାର ସମ୍ପ୍ରସାରଣ ଘଟି ମିଶର, ଇଥୋପିଆ, ଇରାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ପରି ଦେଶଗୁଡ଼ିକ ଏଥିରେ ସାମିଲ ହୋଇଥିଲେ । ପାକିସ୍ତାନର ସଦସ୍ୟତା ପଥରେ ସବୁଠୁ ବଡ଼ ରାଜନୈତିକ ଅନ୍ତରାୟ ଭାରତର ସହମତିକୁ ମାନାଯାଏ । ବ୍ରିକ୍ସରେ ନୂତନ ସଦସ୍ୟମାନଙ୍କୁ ସାମିଲ କରିବାର ନିଷ୍ପତ୍ତି ସର୍ବସମ୍ମତି କ୍ରମେ ନିଆଯାଇଥାଏ । ଏଭଳି ପରିସ୍ଥିତିରେ କୌଣସି ବି ମହଜୁଦ୍ ସଦସ୍ୟର ଅସହମତି ନୂତନ ଦେଶର ପ୍ରବେଶକୁ କଷ୍ଟକର କରିପାରେ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନରୁ ରାଜନୈତିକ ଏବଂ ସୁରକ୍ଷାଗତ ତିକ୍ତତା ରହିଛି, ଯାହାଫଳରେ କେବଳ ଅର୍ଥନୈତିକ ଆଧାରରେ ନୁହେଁ ବରଂ ଏହି କୂଟନୈତିକ ସମୀକରଣ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି ।

ବ୍ରିକ୍ସ ସଦସ୍ୟତା ପାଇଁ ପାକିସ୍ତାନର ଆଗ୍ରହ କାହିଁକି ?

ଦୀର୍ଘ ଦିନରୁ ଗଭୀର ଆର୍ଥିକ ଅସ୍ଥିରତା, ବୈଦେଶିକ ମୁଦ୍ରା ଅଭାବ ଏବଂ ଋଣ ଜାଲରେ ଛନ୍ଦି ହୋଇଥିବା ପାକିସ୍ତାନ ନିଜର ଜିଡିପି ବୃଦ୍ଧି ୩.୭୦ ପ୍ରତିଶତକୁ ସୁଧାରିବା ପାଇଁ ନୂତନ ଆନ୍ତର୍ଜାତୀୟ ବାଣିଜ୍ୟିକ ମାର୍ଗ ଖୋଜୁଛି । ବିଶ୍ୱବ୍ୟାଙ୍କ ଏବଂ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଉପରେ ନିର୍ଭରଶୀଳତା କମାଇବା ପାଇଁ ପାକିସ୍ତାନ ବ୍ରିକ୍ସର ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କରେ ପ୍ରାୟ ୫୮୦ ନିୟୁତ ଡଲାର ନିବେଶ କରିଥିବା ନିକ୍କେଇ ଏସିଆର ଏକ ରିପୋର୍ଟରେ ପ୍ରକାଶ ପାଇଛି । ପାକିସ୍ତାନ ଏହାର ସଦସ୍ୟତା ପାଇଁ ରୁଷ ଏବଂ ଚୀନ୍ ଭଳି ପ୍ରମୁଖ ଦେଶଗୁଡ଼ିକର ସମର୍ଥନ ହାସଲ କରିବାକୁ ବହୁ ଚେଷ୍ଟା କରିଛି । ରୁଷରେ ଅବସ୍ଥାପିତ ପାକିସ୍ତାନର ରାଜଦୂତ ମହମ୍ମଦ ଖାଲିଦ ଜମାଲି ମଧ୍ୟ ସଦସ୍ୟତା ପାଇଁ ସମର୍ଥନ ଲୋଡ଼ାଯାଉଥିବା ସ୍ୱୀକାର କରିଥିଲେ । ତଥାପି, ବ୍ରିକ୍ସର ପ୍ରତ୍ୟେକ ସଦସ୍ୟ ଦେଶର ସହମତି ଜରୁରୀ ଥିବାରୁ, ଭାରତର ସ୍ଥିତି ଏହି ପ୍ରସଙ୍ଗରେ ସବୁଠୁ ନିର୍ଣ୍ଣାୟକ ପାଲଟିଛି ।

ବ୍ରିକ୍ସର ସମ୍ପ୍ରସାରଣ ପରେ ଏହାର ବିଶ୍ୱବ୍ୟାପୀ ପ୍ରଭାବ ବହୁଗୁଣା ବୃଦ୍ଧି ପାଇଛି । ବର୍ଦ୍ଧିତ ବ୍ରିକ୍ସ ଗୋଷ୍ଠୀରେ ବିଶ୍ୱର ପ୍ରାୟ ଅଧା ଜନସଂଖ୍ୟା ବସବାସ କରୁଥିବାବେଳେ କ୍ରୟ ଶକ୍ତି ସମାନତା (PPP) ଆଧାରରେ ବିଶ୍ୱ ଜିଡିପିରେ ଏହାର ଅଂଶ ପ୍ରାୟ ୪୦ ପ୍ରତିଶତ ରହିଛି । ବିଶେଷକରି ଭାରତ ପାଇଁ ଏହି ମଞ୍ଚ କେବଳ କୂଟନୈତିକ ନୁହେଁ ବରଂ ବାଣିଜ୍ୟିକ ଦୃଷ୍ଟିରୁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button